କନକ ବ୍ୟୁରୋ : ଡାଇବେଟିସ୍‌ ... ଏବେ କେବଳ ବୟସ୍କ ନୁହନ୍ତି, ଯୁବ ପିଢ଼ି ମଧ୍ୟ ହେଉଛନ୍ତି ଡାଇବେଟିସ୍ ରୋଗର ଶିକାର । ଯଦି ଉଚ୍ଚ ରକ୍ତ ଶର୍କରାର ଏହି ରୋଗ ଅନିୟନ୍ତ୍ରିତ ହୋଇଯାଏ, ତେବେ ଏହା ଜଣେ ବ୍ୟକ୍ତିଙ୍କୁ ମୃତ୍ୟୁ ମୁଖକୁ ନେଇପାରେ । ଏକ ସୁସ୍ଥ ଜୀବନଶୈଳୀ ଆପଣାଇ ଡାଇବେଟିସକୁ ଏଡାଯାଇପାରିବ ବୋଲି ଡାକ୍ତରମାନେ କହିଛନ୍ତି । ତେବେ ଡାଇବେଟିସ୍ ହେଲେ ଶରୀରର କେଉଁ ଅଙ୍ଗ ଅଧିକ ପ୍ରଭାବିତ ହୁଏ, ତାହା ଆପଣଙ୍କର ଜାଣିବା ଜରୁରୀ ।

Advertisment

୧. ଟାଇପ୍-୨ ଡାଇବେଟିସ୍‌ ହେ‌ଲେ ରୋଗୀଙ୍କର ଧୀରେ ଧୀରେ ଦୃଷ୍ଟି ଶକ୍ତି ଚାଲିଯାଇଥାଏ । ମଧୁମେହ ଆପଣଙ୍କ ଆଖିରେ ଥିବା ଛୋଟ ରକ୍ତବାହିକାକୁ ନଷ୍ଟ କରିଦେଇଥାଏ । ଏହା ଦ୍ବାରା ଗ୍ଲୁକୋମା, ମୋତିଆବିନ୍ଦୁ ଏବଂ ଡାଇବେଟିକ ରେଟିନୋପାଥି ହେବାର ଆଶଙ୍କା ବଢ଼ିଯାଇଥାଏ ।

୨. ଟାଇପ୍-୨ ଡାଇବେଟିସ୍‌ ହେ‌ବା ଦ୍ବାରା ହାତ ଏବଂ ପାଦ ଉପରେ ଗଭୀର ପ୍ରଭାବ ପଡ଼ିଥାଏ । ହାତରେ ବା ଗୋଡ଼ରେ ଯନ୍ତ୍ରଣା ଅନୁଭବ ହେବା ଭଳି ସମସ୍ୟା ଦେଖାଯାଇଥାଏ ।

୩. ଯଦି ଆପଣ ମଧୁମେହକୁ ନିୟନ୍ତ୍ରଣ ନକରନ୍ତି, ତେବେ ଉଚ୍ଚ ରକ୍ତଚାପ ଏବଂ ହୃଦରୋଗ ହେବାର ଆଶଙ୍କା ବଢ଼ିଯାଇଥାଏ । ଯଦି ଆପଣ ଟାଇପ୍-୨ ମଧୁମେହରେ ପୀଡିତ ଅଛନ୍ତି ତେବେ ସୋଡିୟମ୍ କମ ଥିବା ଖାଦ୍ୟ ଖାଆନ୍ତୁ ଏବଂ ନିୟମିତ ଭାବରେ ଆପଣଙ୍କର ରକ୍ତଚାପ ଯାଞ୍ଚ କରନ୍ତୁ ।

୪. ରକ୍ତ ସଞ୍ଚାଳନ ଠିକ ନହେଲେ ଗୋଡରେ ଅଲସର ଭଳି ସମସ୍ୟା ଦେଖାଦେଇପାରେ । ପାଦର ଅଲସରରୁ ରକ୍ଷା ପାଇବା ପାଇଁ ମଧୁମେହ ରୋଗୀମାନଙ୍କୁ ସେମାନଙ୍କର ପାଦକୁ ସଫା ଏବଂ ଶୁଖିଲା ରଖିବା ଉଚିତ୍ । ଆରାମଦାୟକ ଏବଂ ହାଲୁକା ମୋଜା ପିନ୍ଧିବା ଉଚିତ୍ । ଯଦି ଆପଣଙ୍କର ପାଦରେ କୌଣସି ପ୍ରକାରର ଘା’ ହୋଇଛି ତେବେ ତୁରନ୍ତ ଡାକ୍ତରଙ୍କ ସହିତ ଯୋଗାଯୋଗ କରନ୍ତୁ ।

୫. ରକ୍ତରେ ଶର୍କରା ସ୍ତର ବୃଦ୍ଧି ହେଲେ ଏହା କିଡନୀକୁ ସିଧାସଳଖ ପ୍ରଭାବିତ କରିଥାଏ । ଏହି କାରଣରୁ, ମଧୁମେହ ରୋଗୀଙ୍କୁ ରକ୍ତରେ ଶର୍କରାସ୍ତର ନିୟନ୍ତ୍ରଣରେ ରଖିବ‌ା ଅତ୍ୟନ୍ତ ଜରୁରୀ। ଏଥିପାଇଁ ଆପଣଙ୍କୁ ନିଜର ଡାଏଟ୍ ପ୍ରତି ଅଧିକ ଧ୍ୟାନ ଦେବା ଆବଶ୍ୟକ ।

୬. ଟାଇପ୍-୨ ଡାଇବେଟିସକୁ ନିୟନ୍ତ୍ରଣରେ ନରଖିଲେ ଦାନ୍ତ ଏବଂ ମାଢ଼ିରେ ସଂକ୍ରମଣ ଦେଖାଯାଇଥାଏ । ସେଥିପାଇଁ ଟାଇପ୍-୨ ଡାଇବେଟିସକୁ ନିୟନ୍ତ୍ରଣରେ ରଖିବା ସହ ପାଟିକୁ ସଫା ରଖିବା ଜରୁରୀ ।