ସୁପ୍ରିମକୋର୍ଟଙ୍କ ତାଗିଦର ପଡ଼ିଲାନି ପ୍ରଭାବ। ଜିଦରେ ଅଟଳ ରହିଲା ସମ୍ବଲପୁର ଓକିଲ ସଂଘ ।

108

କନକ ବ୍ୟୁରୋ: ସୁପ୍ରିମକୋର୍ଟର ଚେତାବନୀର ପଡ଼ିଲାନି ପ୍ରଭାବ। ହାଇକୋର୍ଟ ବେଞ୍ଚ ଦାବିରେ ସମ୍ବଲପୁରରେ ଆନ୍ଦୋଳନ ଜାରି ରହିଛି।ସାମୂହିକ ଲାଇସେନ୍ସ ଫେରାଇବା ପାଇଁ ପାଲଟା ଚେତାବନୀ ଦେଇଛନ୍ତି ବାର ଆସୋସିଏସନର ସଦସ୍ୟ ।

ଆନ୍ଦୋଳନ ପ୍ରତ୍ୟାହାର ନକଲେ ଓକିଲଙ୍କ ଲାଇସେନ୍ସ ସସପେଣ୍ଡ ନେଇ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ପରେ ବି ପୂର୍ବ ଭଳି ଆନ୍ଦୋଳନ କରିଛି ସମ୍ବଲପୁର ଓକିଲ ସଂଘ । ସମ୍ବଲପୁରଠାରେ ହାଇକୋର୍ଟର ବେଞ୍ଚ ଦାବିରେ ସକାଳୁ ସକାଳୁ ପିକେଟିଂ ଆରମ୍ଭ କରିଦେଇଥିଲେ ଆଇନଜୀବୀ । ଏମିତି କି କୋର୍ଟକୁ ଆସୁଥିବା ବିରାପତିମାନଙ୍କୁ ଅଦାଲତ ନଯିବାକୁ ଅନୁରୋଧ କରିଥିଲେ ଆନ୍ଦୋଳନ କରୁଥିବା ଓକିଲ । ବିଚାରପତି କିଛି ସମୟ ଅପେକ୍ଷା କରିବା ପରେ ଫେରିଯିବାକୁ ବାଧ୍ୟ ହୋଇଥିଲେ । ତେବେ ସୁପ୍ରିମକୋର୍ଟ ଦେଇଥିବା ନିର୍ଦ୍ଦେଶକୁ ଅଣଦେଖା କରି ପ୍ରତିବାଦ କରିଥିଲେ ସମ୍ବଲପୁର ବାର’ର ଓକିଲ ।

ଓକିଲମାନଙ୍କର ଯୁକ୍ତି ହେଲା ବର୍ଷ ବର୍ଷ ଧରି ହାଇକୋର୍ଟ ବେଞ୍ଚ ନେଇ ଆନ୍ଦୋଳନ ଚାଲିଛି, ଆନ୍ଦୋଳନ ଚୂଡାନ୍ତ ପର୍ଯ୍ୟାୟରେ ପହଞ୍ଚିଥିବା ବେଳେ ଏହା ଅଟକିବ ନାହିଁ ବୋଲି ଓକିଲ ସଂଘର ସଦସ୍ୟମାନେ କହିଛନ୍ତି । ଏମିତି କି ଏହି ଆନ୍ଦୋଳନ କେବଳ ଓକିଲ ସଂଘର ନୁହେଁ ବରଂ ଜନତାଙ୍କ ଆନ୍ଦୋଳନ ବୋଲି କୁହାଯାଇଛି ।

ପୂର୍ବରୁ ନଭେମ୍ବର ୧୬ ତାରିଖ ସୁଦ୍ଧ ଓକିଲମାନେ ଆନ୍ଦୋଳନ ପ୍ରତ୍ୟାହାର ନକଲେ ଓକିଲଙ୍କ ଲାଇସେନ୍ସ ସସପେଣ୍ଡ କରାଯିବ ବୋଲି ନିର୍ଦ୍ଦେଶ ଦେଇଥିଲେ ସୁପ୍ରିମକୋର୍ଟ । କିନ୍ତୁ ଏହି ନିର୍ଦ୍ଦେଶର କୌଣସି ପ୍ରଭାବ ସମ୍ବଲପୁରରେ ଦେଖିବାକୁ ମିଳିନାହିଁ ।