ସଂଯୁକ୍ତ କିଷାନ ମୋର୍ଚ୍ଚାର ଦେଶବ୍ୟାପୀ ୬ ଘଣ୍ଟିଆ ରେଳରୋକ : ବ୍ରହ୍ମପୁର ରେଳ ଷ୍ଟେସନରେ ଆନ୍ଦୋଳନକାରୀ-ପୁଲିସ୍ ଧସ୍ତାଧସ୍ତି

ଲଖିମପୁର ହିଂସା ମାମଲାରେ କେନ୍ଦ୍ର ଗୃହରାଷ୍ଟ୍ରମନ୍ତ୍ରୀଙ୍କ ଇସ୍ତଫା ଓ କୃଷି ଆଇନ ପ୍ରତ୍ୟାହାର ଦାବି

95

କନକ ବ୍ୟୁରୋ : ସଂଯୁକ୍ତ କିଷାନ ମୋର୍ଚ୍ଚାର ଦେଶବ୍ୟାପୀ ୬ ଘଂଟିଆ ରେଳରୋକ । ଦିନ ୧୦ଟାରୁ ଆରମ୍ଭ ହୋଇଥିବା ରେଳ ରୋକ ଦିନ ୪ଟା ପର୍ଯ୍ୟନ୍ତ ଚାଲିବ । ଉତରପ୍ରଦେଶ ଲଖୀମପୁର ଖେରୀରେ କୃଷକଙ୍କୁ ଗାଡି ଚଢାଇ ହତ୍ୟା, କେନ୍ଦ୍ର ଗୃହ ରାଷ୍ଟ୍ରମନ୍ତ୍ରୀଙ୍କୁ ବହିଷ୍କାର ଓ କୃଷକ ବିରୋଧୀ ୩ କଳା ଆଇନକୁ ପ୍ରତ୍ୟାହାର ଦାବିରେ ରେଳରୋକ କରାଯାଉଛି । ଦେଶର ବିଭିନ୍ନ ସ୍ଥାନରେ ଚାଷୀ ସଂଗଠନ ପକ୍ଷରୁ ଟ୍ରେନକୁ ଅଟକାଯାଇଛି । ଆନ୍ଦୋଳନକୁ କଂଗ୍ରେସ ସମେତ ବାମଦଳ ସମର୍ଥନ କରୁଛନ୍ତି ।

ହରିଆଣା ବାହାଦୁରଗଡ଼ରେ ଚାଷୀମାନେ ରେଳ ଲାଇନ୍ରେ ବସିଥିବାର ଦେଖିବାକୁ ମିଳିଛି । ଚାଷୀ ସଂଗଠନର ଆନ୍ଦୋଳନକୁ ନଜରରେ ରଖି ଲକ୍ଷ୍ନୌରେ ୧୪୪ ଧାରା ଜାରି କରାଯାଇଛି । ସେହିପରି ସଂଯୁକ୍ତ କିଷାନ ମୋର୍ଚ୍ଚା ପକ୍ଷରୁ ଭୁବନେଶ୍ୱର ରେଳ ଷ୍ଟେସନରେ ରେଳ ରୋକ୍ କରାଯାଇଛି । ଷ୍ଟେସନ୍ରେ ଟ୍ରେନ୍ ଅଟକି ରହିଛି । ଭୁବନେଶ୍ୱର ଷ୍ଟେସନରେ କରାଯାଉଥିବା ଆନ୍ଦୋଳନରେ କିଷାନ କଂଗ୍ରେସ ସମେତ ଅନେକ ସଂଗଠନ ସାମିଲ ହୋଇଛନ୍ତି । ସେପଟେ ବ୍ରହ୍ମପୁର ରେଳ ଷ୍ଟେସନକୁ ଧସେଇ ପଶିଛନ୍ତି ୫ଶହରୁ ଅଧିକ କଂଗ୍ରେସ କର୍ମୀ ।

ସେହିପରି ଖୋର୍ଦ୍ଧା ଜିଲ୍ଲା ନିରାକାରପୁର ରେଳ ଷ୍ଟେସନରେ କୃଷକ ସଭା ପକ୍ଷରୁ ରେଳ ବନ୍ଦ କରାଯାଇଥିବା ଦେଖିବାକୁ ମିଳିଛି । କୃଷକ ସଭା ପକ୍ଷରୁ ଚାଷୀମାନେ ରେଳ ଧାରଣା ଉପରେ ବସି ରହି ରେଳ ଚଳାଚଳ ବନ୍ଦ କରିଛନ୍ତି । ଏହି ରେଳ ବନ୍ଦ କାର୍ଯ୍ୟକ୍ରମକୁ କଂଗ୍ରେସ ସମେତ କେତକ ବିରୋଧୀ ଦଳ ମଧ୍ୟ ସମର୍ଥନ ଜଣାଇଛନ୍ତି ।