କନକ ନ୍ୟୁଜରେ ଖବର ପ୍ରସାରଣ ପରେ ଅସହାୟ ପବିତ୍ରଙ୍କ ପରିବାର ପାଇଁ ବଢିଲା ସହାୟତାର ହାତ । ଅସୁସ୍ଥ ବାପାଙ୍କୁ ଚିକିତ୍ସା ଯୋଗାଇ ଦେବାକୁ ପ୍ରତିଶ୍ରୁତି ଦେଲେ ଜିଲ୍ଲାପାଳ । ପୁଅ ପ୍ରଥମେଶର ପାଠପଢା ପାଇଁ ଆଗେଇ ଆସିଲେ ସ୍ଥାନୀୟ ସରପଞ୍ଚ ।

343

କନକ ବ୍ୟୁରୋ : ଖବର । ଖବରର ପ୍ରଭାବ । ଏ କଥା ପ୍ରାୟ ସମସ୍ତେ ଜାଣନ୍ତି । କିନ୍ତୁ ଆଜି ଆମେ ଏମତି ଏକ ଖବର କହିବୁ, ଯେଉଁ ଖବର କନକ ନ୍ୟୁଜରେ ପ୍ରସାରଣ ହେବା ପରେ ଅସହାୟ ପରିବାରକୁ ମିଳିଛି ସହାୟତା । ଆମେ କହୁଛୁ ସେହି ଖବର କଥା, ଯେଉଁ ଖବର ୨-୩ ଦିନ ତଳେ କନକ ନ୍ୟୁଜରେ ପ୍ରସାରଣ ହୋଇଥିଲା । ପୁରା ପରିବାରକୁ ବଂଚାଇବା ପାଇଁ ଜଣେ କୁନି ପୁଅ ସଂଘର୍ଷର କାହାଣୀ । ଆଉ ସେ ଦୁଃଖ ଦାୟକ ଖବର ଦେଖିବା ପରେ କେନ୍ଦ୍ରାପଡା ମାର୍ଶାଘାଈ ବ୍ଲକ ଆଠବାଟିଆ ଗାଁର ପବିତ୍ର ବେହେରାଙ୍କ ପରିବାର ପାଇଁ ଲମ୍ବିଛି ସହାୟତାର ହାତ । ରାଜ୍ୟ ଏବଂ ରାଜ୍ୟ ବାହାରୁ ବିଭିନ୍ନ ସ୍ୱେଚ୍ଛାସେବୀ ସଂଗଠନ ଏବଂ ବ୍ୟକ୍ତି ବିଶେଷ ଅସହାୟ ପବିତ୍ରଙ୍କୁ ଆର୍ଥିକ ସହାୟତା ପ୍ରଦାନ କରିଛନ୍ତି ।

ଅସହାୟ ପବିତ୍ର ବେହେରାଙ୍କ ଖବର କନକ ନ୍ୟୁଜରେ ପ୍ରସାରଣ ପରେ ବିଭିନ୍ନ ଆଡୁ ଛୁଟିଛି ସହାୟତାର ସୁଅ । ବିଭିନ୍ନ ସ୍ୱେଛାସେବୀ ସଙ୍ଗଠନ ଏବଂ ବ୍ୟକ୍ତି ବିଶେଷ ସହାୟତାର ହାତ ବଢାଇଛନ୍ତି । ବାପା-ମାଆ ଓ ବଡ ଭାଇ ରୋଗଶଯ୍ୟାରେ ପଡିଥିବା ବେଳେ ପରିବାରର ଦାୟିତ୍ୱ ମୁଣ୍ଡାଇଥିବା ୯ ବର୍ଷର ପୁଅ ପ୍ରଥମେଶଙ୍କ ପାଠପଢା ପାଇଁ ଆଗେଇ ଆସିଛନ୍ତି କିଛି ବ୍ୟକ୍ତି ବିଶେଷ । ୪ ମାସ ହେବ ବିଛଣାରେ ରୋଗାଗ୍ରସ୍ଥ ପବିତ୍ରଙ୍କର ଚିକିତ୍ସା ପାଇଁ ପ୍ରଶାସନକୁ ପ୍ରାର୍ଥନା କରିଛନ୍ତି ପତ୍ନି ଚମ୍ପାବତୀ ।

ଅସହାୟଙ୍କ ପାଇଁ ବଢିଲା ସହାୟତାର ହାତ । ଖବର ପ୍ରସାରଣ ପରେ ମିଳିଲା ସହାୟତା । ପବିତ୍ର, ସ୍ତ୍ରୀ ଚମ୍ପାବତୀ ଓ ବଡ ପୁଅ ପ୍ରଦ୍ୟୁମ୍ନ ରୋଗାକ୍ରାନ୍ତ ହେବା ପରେ ସାନ ପୁଅ ଅର୍ଥାତ୍ ୯ ବର୍ଷିୟ ପ୍ରଥମେଶଙ୍କ ମୁଣ୍ଡରେ ପୁରା ପରିବାରର ଦାୟିତ୍ୱ । ତୃତୀୟ ଶ୍ରେଣୀରେ ପଢୁଥିବା ପ୍ରଥମେଶ କୁହନ୍ତି ‘ମୋ ପାଇଁ ପାଠ ଅପେକ୍ଷା ପରିବାର ବଡ’ । ତେବେ ଏମିତି ଚିନ୍ତାଧାରା ନେଇ ଆଗକୁ ବଢୁଥିବା କୁନି ପୁଅକୁ ଏ ଯୁଗର ଶ୍ରବଣ କୁମାର କହିଲେ ଅତ୍ୟୁକ୍ତି ହେବନାହିଁ । ଏ ଶ୍ରବଣ କୁମାର ପରିବାର ସେବାରେ ଲାଗିଥିବା ବେଳେ ତାଙ୍କ ପାଠପଢା ପାଇଁ ଆଗେଇ ଆସିଛନ୍ତି ସ୍ଥାନୀୟ ସରପଞ୍ଚ । ଗୋଟିଏ ମାସର ରାସନ ସାମଗ୍ରୀ ଦେବା ସହ ପ୍ରଥମେଶଙ୍କ ପାଠପଢା ପାଇଁ ଖାତା ଏବଂ ପେନସିଲ ବି ଦେଇଛନ୍ତି । ଏହାସହ ପ୍ରଥମେଶଙ୍କ ଘରକୁ ପାଇପ ପାଣି ସଂଯୋଗ କରିବା ପାଇଁ ପଦକ୍ଷେପ ନେଇଛନ୍ତି ସ୍ଥାନୀୟ ସରପଂଚ ବିପୁଲ ନାୟକ । କିନ୍ତୁ ପ୍ରଥମେଶଙ୍କୁ ଆଗକୁ ନେବାକୁ ହେଲେ ପ୍ରଥମେ ତାଙ୍କ ବାପାଙ୍କୁ ଉତ୍ତମ ଚିକିତ୍ସା ଯୋଗାଇ ଦେବା ଜରୁରୀ ।

ଜିଲ୍ଲା ପ୍ରଶାସନ ମଧ୍ୟ ପ୍ରଥମେଶଙ୍କ ଦୁଃଖ ବୁଝି ପବିତ୍ରଙ୍କ ଚିକିତ୍ସା କରିବାକୁ ମନସ୍ଥ କରିଛି । ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିରୁ ସହାୟତା ପ୍ରଦାନ କରାଯିବ ବୋଲି ଜିଲ୍ଲାପାଳ ସମର୍ଥ ବର୍ମା କହିଛନ୍ତି । କେବଳ ପବିତ୍ରଙ୍କ ପରିବାର ନୁହେଁ ସମାଜରେ ଏମିତି ଅନେକ ଅସହାୟ ପରିବାର ଅଛନ୍ତି । ସେମାନଙ୍କୁ ଏକ ସୁସ୍ଥ ଆଉ ସୁନ୍ଦର ଜୀବନ ଦେବା ପାଇଁ ଆପଣ ଆଉ ଆମ ମାନଙ୍କ ଉଦ୍ୟମ ଏମିତି ଜାରି ରହୁ ।