ପାରାଦୀପଠାରୁ ୯୫ କିମି ଦୂରରେ ‘ବୁଲବୁଲ’: ଘଂଟାପ୍ରତି ୧୫ କିମି ବେଗରେ ଓଡିଶା ଉପକୂଳ ଦେଇ ଗତି କରୁଛି ଭୀଷଣ ସାମୁଦ୍ରିକ ଝଡ଼; ମଧ୍ୟରାତ୍ରିରେ ସୁନ୍ଦରବନରେ ଛୁଇଁବ ସ୍ଥଳଭାଗ

ବାତ୍ୟା ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା । କେନ୍ଦ୍ରାପଡା,ପାରାଦୀପ ଓ ଭଦ୍ରକରେ ବର୍ଷା ସାଙ୍ଗକୁ ପବନ

2,939

କନକ ବ୍ୟୁରୋ: ପାରାଦୀପଠାରୁ ୯୫ କିଲୋମିଟର ଦୂରରେ କେନ୍ଦ୍ରୀଭୂତ ହେଉଛି ଭୀଷଣ ସାମୁଦ୍ରିକ ଝଡ । ଘଂଟାପ୍ରତି ୧୫ କିଲୋମିଟର ବେଗରେ ଓଡିଶା ଉପକୂଳ ଦେଇ ପଶ୍ଚିମବଙ୍ଗ ଓ ବାଂଲାଦେଶ ମୁହାଁଇଛି ବାତ୍ୟା ବୁଲବୁଲ । ଏହାର ପ୍ରଭାବରେ ରାଜ୍ୟର ଅଧିକାଂଶ ସ୍ଥାନରେ ବର୍ଷା ସାଙ୍ଗକୁ ପ୍ରବଳ ବେଗରେ ପବନ ବହୁଛି । ତେବେ ତିନି ଦିନ ଯାଏ ଉପକୂଳ ଓ ଉତର ଓଡିଶାରେ ବର୍ଷା ଆରମ୍ଭ ହୋଇଛି । ଏବଂ ପବନର ବେଗ ମଧ୍ୟ ବଢିବାରେ ଲାଗିଛି ।

ସେପଟେ ବୁଲବୁଲ ପ୍ରଭାବରେ ୪ଟି ଜିଲ୍ଲାର ୬ଟି ବ୍ଲକ୍ ବିଶେଷ ଭାବେ ପ୍ରଭାବିତ ହୋଇଛି । ବାଲେଶ୍ୱର, ଭଦ୍ରକ, କେନ୍ଦ୍ରୀପଡା ଓ ଜଗତସିଂହପୁର ଜିଲ୍ଲାର ୬ଟି ବ୍ଲକରେ ବର୍ଷା ଏବଂ ପବନ ଯୋଗୁଁ ବ୍ୟାପକ କ୍ଷତିଗ୍ରସ୍ତ ହୋଇଥିବା ଜଣାପଡିଛି । ଏବେବି ଭଦ୍ରକର ଧାମରା ଓ ଚାନ୍ଦବାଲିରେ ୭୯ କିଲୋମିଟର ବେଗରେ ପବନ ବହୁଥିବା ବେଳେ ବାସୁଦେବପୁର-ଧାମରା ରାସ୍ତାରେ ଶହ ଶହ ଗଛ ଶୋଇରହିଛି । ସେହିଭଳି ବାଲେଶ୍ୱର ଓ ଭଦ୍ରକରେ ବର୍ଷା ମଧ୍ୟ ଲାଗି ରହିଛି ।

ସେହିଭଳି ବୁଲବୁଲ ପ୍ରଭାବରେ କେନ୍ଦ୍ରାପଡା ଜିଲ୍ଲାର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ସାଙ୍ଗକୁ ଗଛ ଭାଙ୍ଗି ପଡିଥିବା ଦେଖିବାକୁ ମିଳିଛି । ବିଶେଷକରି ମହାକାଳପଡା , ରାଜନଗର, ରାଜକନିକା ଓ ପଟ୍ଟାମୁଣ୍ଡାଇ ଅଂଚଳରେ ପ୍ରବଳ ବର୍ଷା ଲାଗି ରହିଛି । ମହାକାଳପଡାରେ ପବନ କମିଥିବାବେଳେ ରାଜନଗରର, ରାଜକନିକା ଓ ପଟ୍ଟାମୁଣ୍ଡାଇ ଅଂଚଳରେ ପବନ ଲାଗି ରହିଛି । ଏହାର ପ୍ରଭାବରେ ବହୁ ଗଛ ଭାଙ୍ଗି ପଡିଛି । କେତେକ ସ୍ଥାନରେ ଘର ଉପରେ ମଧ୍ୟ ଗଛ ପଡିଥିବା ଜଣାପଡିଛି । ପରିସ୍ଥିତିକୁ ନଜରରେ ରଖି ୨ହଜାର ଲୋକଙ୍କୁ ବାତ୍ୟା ଆଶ୍ରୟସ୍ଥଳକୁ ସ୍ଥାନାନ୍ତର କରାଯାଇଛି ।