ବାତ୍ୟା ଅମ୍ଫାନ ଆସିଲା, ସବୁକିଛି ଛାରଖାର କରି ଦେଇଗଲା । ବାତ୍ୟା ଚାଲିଯିବା ଏମିତି ରହିଛି ରାଜ୍ୟର ସ୍ଥିତି…

241

କନକ ବ୍ୟୁରୋ: ବାତ୍ୟା ଅମ୍ଫାନ ଚାଲିଯିବା ପରେ ଓଡିଶାରେ ଆରମ୍ଭ ହୋଇଛି କ୍ଷୟକ୍ଷତି ଆକଳନ । ଆଜି କେନ୍ଦ୍ର କ୍ୟାବିନେଟ୍ ସଚିବଙ୍କ ସହ କ୍ଷୟକ୍ଷତି ନେଇ ସରକାର ଆଲୋଚନା କରିଛନ୍ତି । ରାଜ୍ୟରେ ଅମ୍ଫାନ ଯୋଗୁଁ ୮୯ଟି ବ୍ଳକ ପ୍ରଭାବିତ ହୋଇଥିବା ବେଳେ ପାଖାପାଖି ୪୫ ଲକ୍ଷ ଲୋକ କ୍ଷତିଗ୍ରସ୍ତ ହୋଇଛନ୍ତି । ୧ ଲକ୍ଷ ହେକ୍ଟର ଚାଷ ଜମିରେ ପାଣି ମାଡିଯାଇଥିିବା ସରକାର ସୂଚନା ଦେଇଛନ୍ତି । ସେପଟେ ବାତ୍ୟା ଯୋଗୁଁ ସେସୁର ୨୭ ଲକ୍ଷ ଉପଭୋକ୍ତା କ୍ଷତିଗ୍ରସ୍ତ ହୋଇଛନ୍ତି । ୨ ଦିନ ଭିତରେ ପ୍ରଭାବିତ ଜିଲ୍ଲାରେ ବିଦ୍ୟୁତ ଯୋଗାଣ ସ୍ୱାଭାବିକ ହେବ ବୋଲି ଶକ୍ତି ମନ୍ତ୍ରୀ ସ୍ପଷ୍ଟ କରିଛନ୍ତି ।

ବାତ୍ୟା ଅମ୍ପାନ ପଶ୍ଚିମବଙ୍ଗର ସୁନ୍ଦରବନରେ ମାଡ କରିଛି ସତ ହେଲେ ଉପକୂଳ ଓଡିଶାରେ କରିଛି ବ୍ୟାପକ କ୍ଷୟକ୍ଷତି । ଶହ ଶହ ଗଛ ଉପୁଡିପଡିଛି । ବିଦ୍ୟୁତଖୁଂଟ କେଉଁଠି ନଇଁପଡିଛି , ଆଉ କେଉଁଠି ରାସ୍ତାରେ ଗଡୁଛି । ଘରଦ୍ୱାର ଭାଂଗିଯାଇଛି । ଗାଁରେ ପାଣି ପଶିଛି ।.. ଏହାରି ଭିତରେ ବାତ୍ୟା କ୍ଷୟକ୍ଷତି ନେଇ କେନ୍ଦ୍ର କ୍ୟାବିନେଟ୍ ସଚିବଙ୍କ ସହ ରାଜ୍ୟ ସରକାର ଆଲୋଚନା କରିଛନ୍ତି । ରାଜ୍ୟ ସରକାର କହିଛନ୍ତି, ରାଜ୍ୟରେ ଅମ୍ଫାନ ଯୋଗୁଁ ୮୯ ବ୍ଳକ୍ ପ୍ରଭାବିତ ହୋଇଛି । ୧୫ ଶହ ଗ୍ରାମ ପଂଚାୟତର ୪୪ ଲକ୍ଷ ୮୦ ହଜାର ଲୋକ କ୍ଷତିଗ୍ରସ୍ତ ହୋଇଛନ୍ତି । ପାଖାପାଖି ୧ ଲକ୍ଷ ହେକ୍ଟର ଚାଷ ଜମି ନଷ୍ଟ ହୋଇଛି । ୨ ଦିନ ଭିତରେ କୃଷି ଜନିତ କ୍ଷୟକ୍ଷତି ଆକଳନ କରାଯିବ ଏବଂ ଜିଲ୍ଲାପାଳଙ୍କୁ ପ୍ରାଥମିକ ରିପୋର୍ଟ ମଗାଯାଇଛି ବୋଲି କହିଛନ୍ତି ରାଜସ୍ୱ ମନ୍ତ୍ରୀ ।

ବାତ୍ୟା ଚାଲିଯିବା ପରେ ଯୁଦ୍ଧ କାଳୀନ ଭିତିରେ ପୁନରୁଦ୍ଧାର କାମ ଆରମ୍ଭ ହୋଇଛି । ଜରୁରୀ ସେବାକୁ ବିଦ୍ୟୁତ୍ ସଂଯୋଗ ଦିଆଯାଇଛି । ତେବେ ଶକ୍ତି ବିଭାଗର ସୂଚନା ଅନୁସାରେ, ଅମ୍ଫାନ ଯୋଗୁଁ ସେସୁର ୨୬ରୁ ୨୭ ଲକ୍ଷ ଉପଭୋକ୍ତା ପ୍ରଭାବିତ ହୋଇଛନ୍ତି । ୮୦ ପ୍ରତିଶତ ବିଦ୍ୟୁତ୍ ପାଇସାରିଲେଣି । ନେସ୍କୋ ପାଇଁ ୧୫୮ ଗ୍ୟାଙ୍ଗ କାମ କରୁଛନ୍ତି । ୨ ଦିନ ଭିତରେ ନେସ୍କୋ ଅଂଚଳର ୯୦ ପ୍ରତିଶତ ଏବଂ ବାକି ସ୍ଥାନରେ ଏକ ସପ୍ତାହ ଭିତରେ ବିଦ୍ୟୁତ୍ ଯୋଗାଣ ସ୍ୱାଭାବିକ ହେବ ବୋଲି ଶକ୍ତି ମନ୍ତ୍ରୀ କହିଛନ୍ତି । ତେବେ ବାତ୍ୟା ପୂର୍ବରୁ ରାଜ୍ୟରେ ପ୍ରଭାବିତ ହେବାକୁ ଥିବା ଜିଲ୍ଲା ଗୁଡିକରୁ ୨ ଲକ୍ଷ ଲୋକଙ୍କୁ ସ୍ଥାନାନ୍ତର କରାଯାଇଥିବା ସରକାର ସ୍ପଷ୍ଟ କରିଛନ୍ତି ।