ରାଜ୍ୟରେ କରୋନାର ନୂଆ ଠିକଣା ପାଲଟିଛି କଲେଜ କ୍ୟାମ୍ପସ୍ : କଳାହାଣ୍ଡିର ଏକ ଘରୋଇ କଲେଜରେ ୩୬ ଛାତ୍ରଛାତ୍ରୀ ପଜିଟିଭ୍ ସୂଚନା

ରାଉରକେଲା ଏନ୍ଆଇଟିରେ ଆଉ ୭ ଆକ୍ରାନ୍ତ ଚିହ୍ନଟ; ସେପଟେ ପାରାଦୀପ କୂଳରେ ଲାଗିଥିବା ବିଦେଶୀ ଜାହାଜର ୧୪ କ୍ରୁ ମେମ୍ବରଙ୍କୁ କରୋନା

81

କନକ ବ୍ୟୁରୋ : ରାଜ୍ୟରେ ଏବେ କରୋନାର ନୂଆ ଠିକଣା ପାଲଟିଛି କଲେଜ କ୍ୟାମ୍ପସ । ପ୍ରତିିଦିନ ଶିକ୍ଷାନୁଷ୍ଠାନରେ କରୋନା ସଂକ୍ରମିତ ଚିହ୍ନଟ ହେଉଥିବା ଖବର ଆସିବାରେ ଲାଗିଛି । କଳାହାଣ୍ଡି ଭବାନୀପାଟଣା ସ୍ଥିତ ଏକ ଘରୋଇ କଲେଜରେ ୩୬ ଜଣ ଛାତ୍ରଛାତ୍ରୀ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ପ୍ରଗତୀ କଲେଜରେ ପ୍ରାୟ ୧୫ଶହ ଛାତ୍ରଛାତ୍ରୀ ରହିଛନ୍ତି । ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗର ଏକ ଟିମ୍ କଲେଜ ପରିସରରେ ପହଂଚି ଅନ୍ୟ ଛାତ୍ରଛାତ୍ରୀ ଓ କର୍ମଚାରୀଙ୍କ କରୋନା ପରୀକ୍ଷା କରାଯାଇଛି । ୮୦ ଜଣଙ୍କର ନମୁନା ପରୀକ୍ଷା କରାଯାଇଥିବା ଦାୟିତ୍ୱରେ ଥିବା କଳାହାଣ୍ଡି ଜିଲ୍ଲା ଚିକିତ୍ସା ଅଧିକାରୀ ସୂଚନା ଦେଇଛନ୍ତି । ଆଉ ୩୬ ଜଣ କରୋନା ପଜିଟିଭ୍ ଆସିବା ପରେ କଲେଜକୁ ସିଲ୍ କରିଦିଆଯାଇଛି । କ୍ୟାମ୍ପସକୁ କନ୍ଟେନମେଂଟ ଜୋନ ଭାବେ ଘୋଷଣା କରାଯାଇଛି ।

ସେପଟେ ପାରାଦୀପରେ ଚିନ୍ତା ବଢାଇଛନ୍ତି ଏକ ଜାହାଜରୁ ଚିହ୍ନଟ ହୋଇଥିବା କରୋନା ଆକ୍ରାନ୍ତ । ବିଦେଶରୁ କୋଇଲା ଆଣି ପାରାଦୀପ ବନ୍ଦରକୁ ଆସିଥିବା ଏକ ଜାହାଜର ୨୪ ଜଣ ସଦସ୍ୟଙ୍କ ମଧ୍ୟରୁ ୧୪ ଜଣ କରୋନା ସଂକ୍ରମିତ ହୋଇଛନ୍ତି । ପାରାଦୀପ ବନ୍ଦର ପକ୍ଷରୁ ସେମାନଙ୍କର କରୋନା ପରୀକ୍ଷା କରାଯାଇଥିଲା । ୧୪ ସଂକ୍ରମିତଙ୍କୁ ଭୁବନେଶ୍ୱର ସ୍ଥାନାନ୍ତର କରାଯାଇଛି । ଏହାସହ ଜାହାଜକୁ ସଂପୂୂର୍ଣ୍ଣ ସାନିଟାଇଜ୍ କରାଯାଇଛି ।

ତେବେ ସବୁଠୁ ଉଦବେଗଜନକ ହୋଇଛି ବିଭିନ୍ନ ଶିକ୍ଷାନୁଷ୍ଠାନରେ କରୋନା ଆକ୍ରାନ୍ତ ଚିହ୍ନଟ ହେଉଛନ୍ତି । ଭୁବନେଶ୍ୱର ଆଇଆଇଟି, ରାଉରକେଲାର ଏନଆଇଟି ଠାରୁ ଆରମ୍ଭ କରି କଟକ, ସମ୍ବଲପୁର, ଝାରସୁଗୁଡାର କିଛି କଲେଜରେ ମଧ୍ୟ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେପଟେ ରାଉରକେଲା ଏନ୍ଆଇଟିରୁ ଆହୁରି ୭ ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।

Comments are closed.