ଦେଶରେ କମୁଛି କରୋନା ସଂକ୍ରମଣ । ପୁଣି ଟ୍ରାକକୁ ଫେରୁଛି ଜୀବନ. ୫ ରାଜ୍ୟରେ ଖୋଲିଲା ଶିକ୍ଷାନୁଷ୍ଠାନ

133

କନକ ବ୍ୟୁରୋ: ଦେଶରେ କମୁଛି କରୋନା ସଂକ୍ରମଣ । ମୃତ୍ୟୁସଂଖ୍ୟା ମଧ୍ୟ ହ୍ରାସ ପାଇବାରେ ଲାଗିଛି । କମୁଥିବା ସଂକ୍ରମଣକୁ ଦେଖି ଆଜିଠୁ ୫ଟି ରାଜ୍ୟରେ ଶିକ୍ଷାନୁଷ୍ଠାନ ଖୋଲିଛି । ସେପଟେ  ରାଜଧାନୀ ଦିଲ୍ଲୀରେ ସମସ୍ତ କର୍ମଚାରୀଙ୍କୁ ଅଫିସ ଆସିବାକୁ ମିଳିଲା ଅନୁମତି । ଅନ୍ୟପଟେ ୟୁରୋପୀୟ ଦେଶରେ କରୋନା ସଂକ୍ରଂମଣ  ହ୍ରାସ ପାଉଥିବା ଯୋଗୁଁ ଖୁବଶୀଘ୍ର ଦୁନିଆରୁ କରୋନା କାଳ ଶେଷ ହେବ ବୋଲି ଅନୁମାନ କରିଛି  ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ।

ଦେଶରେ ତଳ ମୁହାଁ ହେଉଛି କରୋନା ସଂକ୍ରମଣ । ମୃତ୍ୟୁ ସଂଖ୍ୟା ମଧ୍ୟ କମିବାରେ ଲାଗିଛି । ଗତ ୨୪ ଘଣ୍ଟା ମଧ୍ୟରେ ୮୩ ହଜାର ୮୭୬ ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେପଟେ କରୋନାରେ ଆକ୍ରାନ୍ତ ହୋଇ ୮ ଶହ ୯୫ ଜଣଙ୍କ ମୃତ୍ୟୁ ହୋଇଛି । ୧ ଲକ୍ଷ ୯୯ ହଜାର ୫୪ ଜଣ ରୋଗୀ ସୁସ୍ଥ ହୋଇଛନ୍ତି । ଅନ୍ୟପଟେ ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ୧୧ ଲକ୍ଷ ୮ ହଜାର ୯୩୮ ଥିବା କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ସୂଚନା ମିଳିଛି । ସେପଟେ କରୋନା ବିରୋଧୀ ଲଢେଇରେ ଦେଶରେ ଚାଲିଛି ଜୋରଦାର  ଟିକାକରଣ ଅଭିଯାନ । ଆଜି ସୁଦ୍ଧା ୧୭୦ କୋଟି ଡୋଜ ଟିକା ଦେଇ ଦେଶ ଏବେ ମାଇଲଖୁଂଟ ସ୍ଥାପନ କରିଛି । ସେପଟ ଭାରତକୁ ମିଳିଛି ସିଙ୍ଗଲ ଡୋଜ କରୋନା ଟିକା । ଡିସିଜିଆଇ ଦେଶରେ ସିଙ୍ଗଲ ଡୋଜ ଟିକା ସ୍ପୁଟନିକ ଲାଇଟର ଜରୁରୀକାଳୀନ ବ୍ୟବହାର ପାଇଁ ଅନୁମତି ଦେଇଛି ।

ଧୀରେଧୀରେ କମୁଥିବା ସଂକ୍ରମଣ ଯୋଗୁଁ ଜନଜୀବନ ସ୍ୱାଭାବିକ ହେବାକୁ ଲାଗିଛି । ଦେଶରେ କରୋନା ସଂକ୍ରମଣ ସ୍ଥିତିରେ ସୁଧାର ଆସିବା ପରେ ସ୍ୱାଭାବିକ ହେଉଛି ଜନଜୀବନ । ଆଜି ଓଡିଶା ସମେତ ୫ଟି ରାଜ୍ୟରେ ଖୋଲିଛି ସ୍କୁଲ । କରୋନା କଟକଣା ଭିତରେ ଶ୍ରେଣୀଗୃହରେ ପାଠପଡା ଆରମ୍ଭ ହୋଇଛି । ଅନ୍ୟ ରାଜ୍ୟଗୁଡିକରେ ବନ୍ଦ ଥିବା ଶିକ୍ଷାନୁଷ୍ଠାନ ଗୁଡିକ ଖୋଲିବାକୁ ଯାଉଛି । ଓଡିଶା, ଦିଲ୍ଲୀ, ଉତ୍ତରପ୍ରଦେଶ, ବିହାର ଓ କେରଳରେ କୋଭିଡ କଟକଣାକୁ ମାନି ଶିକ୍ଷାନୁଷ୍ଠାନ ଖୋଲିଛି । ପ୍ରଥମ ପର୍ଯ୍ୟାୟରେ ୯ମରୁ ୧୨ ଶ୍ରେଣୀ ସ୍କଲ ଖୋଲିଛି । ଘରେ ରହି ଅନଲାଇନରେ କ୍ଲାସ କରୁଥିବା ଛାତ୍ରଛାତ୍ରୀ ଦୀର୍ଘ ଦିନ ପରେ ସ୍କୁଲ ଆସିବାପରେ ତାଙ୍କ ଭିତରେ ଉତ୍ସାହ ଦେଖିବାକୁ ମିଳିଛି ।

କମୁଛି କରୋନା ସଂକ୍ରମଣ । ପୁଣି ଟ୍ରାକକୁ ଫେରିବାରେ ଲାଗିଛି ଜୀବନ । କମୁଥିବା ସଂକ୍ରମଣକୁ ଆଖିଆଗରେ ରଖି ରାଜ୍ୟରେ କଟକଣା ହଟାଇବାକୁ ନିଷ୍ପତ୍ତି ନେଇଛନ୍ତି ଆସାମ ସରକାର । ଆସନ୍ତା ଫେବୃଆରୀ ୧୫ ତାରିଖରୁ ଆସାମରେ ନାଇଟ କର୍ଫ୍ୟୁ ହଟାଇବା ସହ ସମସ୍ତ କରୋନା କଟକଣାକୁ ହଟେଇବାକୁ ରାଜ୍ୟ ସରକାର ନିଷ୍ପତି ନେଇଛନ୍ତି । ତେବେ କିଛି ଦିନର ଭାରି ସମସ୍ୟା ପରେ ୟୁରୋପୀୟ ଦେଶ ଗୁଡିକରେ କରୋନା ସଂକ୍ରମଣ ହ୍ରାସ ପାଇବାର ଲାଗିଛି ।  ଖୁବଶୀଘ୍ର କରୋନା କରୋନା ଭାଇରସ ସଙ୍କଟ ଦୂର ହେବ ବୋଲି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ୟୁରୋପ କାର୍ଯ୍ୟାଳୟର ନିର୍ଦ୍ଦେଶକ ଡକ୍ଟର ହନଓ କଲୁଜ କହିଛନ୍ତି