‘ଫୋନି’ ପାଇଁ ଶିକ୍ଷାନୁଷ୍ଠାନ ବନ୍ଦ। ବାତ୍ୟାକୁ ଦୃଷ୍ଟିରେ ରଖି କାଲିଠୁ ରାଜ୍ୟର ସବୁ ସ୍କୁଲ ଏବଂ କଲେଜ ବନ୍ଦ ଘୋଷଣା । ଏହି ସମୟରେ ଥିବା ସମସ୍ତ ପରୀକ୍ଷା ବାତିଲ

2,994

କନକ ବ୍ୟୁରୋ: ଭୟଙ୍କର ରୂପ ନେଉଛି ଫୋନି । ସିଭିୟର ଏକ୍ସ୍ସଟ୍ରିମଲି ସିଭିୟର ସାଇକ୍ଲୋନିକ ଷ୍ଟର୍ମ ବା ଅତ୍ୟନ୍ତ ପ୍ରବଳ ବାତ୍ୟାରେ ପରିଣତ ହୋଇସାରିଛି ଫୋନି । ଆଗକୁ ଏହା ଆହୁରି ଘନିଭୁତ ହେବ । ୩ ତାରିଖ ଅପରାହ୍ନରେ ଫୋନି ଓଡିଶା ଉପକୂଳ ଛୁଇଁବ । ତେବେ ଏହି ସମୟରେ ପବନର ବେଗ ଘଂଟା ପ୍ରତି ୧୮୦ରୁ ୧୯୦ କିଲୋମିଟର ରହିବ । ବାତ୍ୟା ଫୋନି ଗୋପାଳପୁରରୁ ଚାନ୍ଦବାଲି ମଧ୍ୟରେ ପୁରୀ ଉପକୂଳ ଦେଇ ଅତିକ୍ରମ କରିପାରେ ବୋଲି ପାଣିପାଗ ବିଭାଗ ପକ୍ଷରୁ ସୂଚନା ମିଳିଛି ।

ତେବେ ସମ୍ଭାବ୍ୟ ବାତ୍ୟାକୁ ଦୃଷ୍ଟିରେ ରଖି ସରକାରଙ୍କ ତରଫରୁ ତତ୍ପରତା ଦେଖାଦେଇଛି । ଆସନ୍ତା କାଲିଠାରୁ ରାଜ୍ୟର ସମସ୍ତ ଶିକ୍ଷାନୁଷ୍ଠାନ ତଥା ସ୍କୁଲ ଏବଂ କଲେଜ ବନ୍ଦ ଘୋଷଣା କରାଯାଇଛି । ଫୋନି ପାଇଁ ଶିକ୍ଷାନୁଷ୍ଠାନ ମାନଙ୍କରେ ହେବାକୁ ଥିବା ପରୀକ୍ଷା ଗୁଡିକୁ ମଧ୍ୟ ଘୁଂଚାଇ ଦିଆଯାଇଛି । ତେବେ ପରୀକ୍ଷା ଥିଲେ ତାହା ପରବର୍ତ୍ତୀ ସମୟରେ ତାରିଖ ନିର୍ଧାରଣ କରାଯିବ ବୋଲି ଘୋଷଣା କରାଯାଇଛି ।

ସେହିଭଳି ସାମୁଦ୍ରିକ ବାତ୍ୟା ଫୋନି ଓଡିଶାକୁ ଛୁଇଁ ପଶ୍ଚିମବଂଗ ଆଡକୁ ଗତି କରିବ । ସେଥିପାଇଁ ପର୍ଯ୍ୟଟନ କ୍ଷେତ୍ର ପୁରୀରେ ଅଧିକ ସତର୍କତା ପଦକ୍ଷେପ ଗ୍ରହଣ କରିଛନ୍ତି ସରକାର । ପୁରୀରୁ ସମସ୍ତ ପର୍ଯ୍ୟଟକଙ୍କୁ ଖାଲି କରିବାକୁ ଏସଆରସି ଜିଲ୍ଲାପାଳଙ୍କୁ ନିର୍ଦେଶ ଦେଇଛନ୍ତି । ସମୁଦ୍ର ଉପକୂଳରେ ଅଧିକ ନଜର ରଖାଯାଇଛି । ସମୁଦ୍ର ଅଶାନ୍ତ ରହିବା ସହ ଅଧିକ ଉଚ୍ଚ ଜୁଆର ଉଠିବା ସଂଭାବନା ଥିବାରୁ ସମୁଦ୍ର ଉପକୂଳରେ ଅଧିକ ନଜର ରଖାଯାଇଛି ।

ଅନ୍ୟପଟେ ଜିଲ୍ଲାପାଳମାନେ ମଧ୍ୟ ବ୍ଲକ ଓ ତହସିଲ ସ୍ତରୀୟ ଅଧିକାରୀଙ୍କ ସହ ବୈଠକ କରିଛନ୍ତି । ପ୍ରଭାବିତ ଆଶଙ୍କା ଥିଲା ଜିଲ୍ଲାମାନଙ୍କରେ ଥିବା ମୋଟ ୮୭୯ ବାତ୍ୟା ଆଶ୍ରୟ ଗୃହକୁ ପ୍ରସ୍ତୁତ କରି ରଖାଯାଉଛି ବୋଲି ସ୍ୱତନ୍ତ୍ର ରିଲିଫ କମିଶନର ସୂଚନା ଦେଇଛନ୍ତି । ଯଦି ଆସନ୍ତା ୩ ତାରିଖରେ ବାତ୍ୟା ଫୋନି ଭୂଖଣ୍ଡ ଛୁଏଁ, ତେବେ ୨ ତାରିଖରେ ଲୋକଙ୍କୁ ସ୍ଥାନାନ୍ତର କରାଯିବ ବୋଲି ସେ କହିଛନ୍ତି । ଏହା ସହ ବାତ୍ୟାର ମୁକାବିଲା ପାଇଁ ମୁଣ୍ଡୁଲିଠାରେ ୧୨ ୟୁନିଟ ଏନଡିଆରଏଫ, ୨୦ ୟୁନିଟ ଓଡ୍ରାଫ ଏବଂ ଅଗ୍ନିଶମ ବିଭାଗର ସ୍ୱତନ୍ତ୍ର ଦଳକୁ ପ୍ରସ୍ତୁତ କରି ରଖାଯାଇଛି ବୋଲି ସୂଚନା ମିଳିଛି । ତେବେ ଯଦି ବାତ୍ୟାରେ କିଛି ବିଶେଷ କ୍ଷୟକ୍ଷତି ହୁଏ ପ୍ରଶାସନ ତରଫରୁ ସମସ୍ତ ପ୍ରକାର ସହାୟତା ଯୋଗାଇ ଦେବାସହ ତୁରନ୍ତ ଉଦ୍ଧାର କାର‌୍ୟ୍ୟ ଏବଂ ଅନ୍ୟନ୍ୟ ମୌଳିକ ସୁବିଧା ଯୋଗାଇଦେବାକୁ ପ୍ରସ୍ତୁତ ରହିବାକୁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ ।