ଘଞ୍ଚ ଜଙ୍ଗଲ ଓ ଅନ୍ଧକାର ଯାହା ରାସ୍ତାରେ ସାଜିନଥିଲା ପ୍ରତିବନ୍ଧକ ! ଅପହଞ୍ଚ ଇଲାକାରେ ୨୦ ବର୍ଷ ଧରି ଶିକ୍ଷା ପହଞ୍ଚାଉଥିବା ବ୍ୟକ୍ତିଙ୍କୁ ଜାଣନ୍ତୁ ।

27

ଅପହଞ୍ଚ ଇଲାକାରେ ଶିକ୍ଷା ପହଞ୍ଚାଇବା ପାଇଁ ଚେଷ୍ଟିତ ଥିବା ଶିକ୍ଷକଙ୍କର ସଂଘର୍ଷ ଯେତିକି କଠିନ ସେତିକି ପ୍ରେରଣାଦାୟୀ ମଧ୍ୟ । ଗୋଟିଏ କି ଦୁଇ ଦିନ ନୁହେଁ, ଇତିମଧ୍ୟରେ ବିତିଗଲାଣି ୨୦ ବର୍ଷ । ସଂଘର୍ଷର ଏହି ରାସ୍ତାରେ ନଦୀ ଅଛି ଏପରିକି ବନ୍ୟା ମଧ୍ୟ ଅଛି କିନ୍ତୁ ନାହିଁ କୌଣସି ପୋଲ । ଜଙ୍ଗଲ ଅଛି ଏବଂ ପାହାଡ ମଧ୍ୟ ଅଛି କିନ୍ତୁ ନାହିଁ କୌଣସି ରାସ୍ତା । ଆଉ ଏତେ ସବୁ ଅସୁବିଧା ମଧ୍ୟରେ କିନ୍ତୁ ସ୍କୁଲର ଘଣ୍ଟି ବାଜିବା କେବେ ବନ୍ଦ ହୋଇନଥାଏ ।

ଛତିଶଗଡ ଏବଂ ଝାରଖଣ୍ଡର ଏହି ଦୁର୍ଗମ ଭୌଗୋଳିକ ଗାଁରେ ପିଲାମାନଙ୍କ ଭବିଷ୍ୟତ ଗଢିବା ପାଇଁ ଦୁଇ ଜଣ ଶିକ୍ଷକ ସେମାନଙ୍କର ଜୀବନ ସମର୍ପିତ କରିଦେଇଛନ୍ତି । ଏହି ଦୁଇ ଜଣ ଶିକ୍ଷକ ହେଉଛନ୍ତି, ଜଗତରାମ୍ ନିର୍ମଳକର ଏବଂ ରଜନୀକାନ୍ତ ମଣ୍ଡଳ । ନଦୀ, ଜଙ୍ଗଲ ଏବଂ ପାହାଡର କଠିନ ରାସ୍ତା ମଧ୍ୟ ତାଙ୍କ ସଂକଳ୍ପକୁ ଭାଙ୍ଗିପାରିନାହିଁ । ଆଦର୍ଶ ଶିକ୍ଷକ ଭାବେ କର୍ତ୍ତବ୍ୟ ପାଳନ କରୁଥିବା ଜଗତରାମ ଗତ ୧୮ ବର୍ଷରେ ପ୍ରତିଦିନ ଅନେକ କଷ୍ଟପଥ ଦେଇ ସ୍କୁଲକୁ ଆସିଥାନ୍ତି । ପାଖାପାଖି ୪୦ ଫୁଟର ଏକ ନଦୀକୁ ନିଜେ ଡଙ୍ଗା ଚଲାଇ ପାର ହୋଇ ସେ ସ୍କୁଲକୁ ଆସିଥାନ୍ତି  । ଘନ ଜଙ୍ଗଲ ଏବଂ ପାହାଡ ମଧ୍ୟରେ ରହୁଥିବା କୋରବା ଆଦିବାସୀ ପରିବାରର ପିଲାମାନଙ୍କୁ ଶିକ୍ଷା ପ୍ରଦାନ କରିବା ପାଇଁ ଦାୟିତ୍ୱ ହିଁ ତାଙ୍କୁ ଏହି ବାଧାବିଘ୍ନ ପାର କରିବା ପାଇଁ ପ୍ରେରିତ କରିଆସୁଛି ।

ଛତିଶଗଡର କୋରବା ଜିଲ୍ଲା ମୁଖ୍ୟାଳୟ ଠାରୁ ପାଖାପାଖି ୪୦ କିଲୋମିଟର ଦୂରରେ ରହିଛି ସତରେଙ୍ଗା ଗାଁ । ଗାଁକୁ ପହଞ୍ଚିବା ପାଇଁ ରାସ୍ତା ଅନେକ ରହିଛି, କିନ୍ତୁ ପ୍ରତି ରାସ୍ତାରେ ପାହାଡର ବିପଦପୂର୍ଣ୍ଣ ରାସ୍ତା ଦେଇ ଯିବାପାଇଁ ପଡିଥାଏ । ଆଉ ଏହି କଠିନ ପଥ ଦେଇ ପ୍ରତିଦିନ ସ୍କୁଲକୁ  ଆସିଥାନ୍ତି ଜଗତରାମ୍ । ତାଙ୍କ ଏହି କର୍ତ୍ତବ୍ୟନିଷ୍ଠା ପାଇଁ ତାଙ୍କୁ ୨୦୧୬ ମସିହାରେ ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ପୁରସ୍କୃତ ମଧ୍ୟ କରାଯାଇଥିଲା । ଜଗତରାମ ଏହି ସ୍କୁଲରେ ଜନସମ୍ପର୍କ କରି ଲୋକମାନଙ୍କୁ ତାଙ୍କ ପିଲାଙ୍କୁ ସ୍କୁଲ ପଠାଇବା ପାଇଁ ପ୍ରେରିତ କରିଥାନ୍ତି । ତେବେ ସବୁଠାରୁ ବଡ କଥା ହେଉଛି, ତାଙ୍କ ପାଠପଢା ଦ୍ୱାରା ୧୧ ଜଣ କୋରବା ଯୁବକ ଆଜି ସରକାରୀ ଚାକିରି ପାଇ ପାରିଛନ୍ତି ।