ପାରିତ ହେଲା ପରୀକ୍ଷାରେ କପି ରୋକିବା ପାଇଁ ଲୋକସଭାରେ ଉପସ୍ଥାପିତ ବିଲ । ପ୍ରଶ୍ନପତ୍ର ଲିକ୍ ମାମଲାରେ ଦୋଷୀଙ୍କୁ ମିଳିବ କଠୋର ଦଣ୍ଡ

3,223

କନକ ବ୍ୟୁରୋ : ସରକାରୀ ନିଯୁକ୍ତି ମୂଳକ ପରୀକ୍ଷାରେ ଅନିୟମିତତାକୁ ରୋକିବା ପାଇଁ ଲୋକସଭାରେ ଉପସ୍ଥାପିତ ହେଲା ବିଲ୍ । କେନ୍ଦ୍ରମନ୍ତ୍ରୀ ଜିତେନ୍ଦ୍ର ସିଂହ ସାର୍ବଜନୀନ ପରୀକ୍ଷା ବିଲ୍ ୨୦୨୪ ଆଗତ କରିଛନ୍ତି । ଏହି ବିଲରେ ପ୍ରତିଯୋଗିତା ମୂଳକ ପରୀକ୍ଷାରେ ଅନୈତିକ ପନ୍ଥା ଅବଲମ୍ବନ କରି ଧରାପଡ଼ିଲେ ସର୍ବାଧିକ ୧୦ ବର୍ଷ ଜେଲ ଓ ୧କୋଟି ଟଙ୍କା ପର୍ଯ୍ୟନ୍ତ ଜରିମାନାର ପ୍ରସ୍ତାବ ରଖାଯାଇଛି । ପ୍ରଶ୍ନପତ୍ର ଲିକ ଘଟଣାରେ ମଧ୍ୟ ଦୋଷୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯିବାର ବ୍ୟବସ୍ଥା ରହିଛି ।

ସରକାର ଆଗତ କରିଥିବା ବିଲ ନା ରହିଛି ‘ଦ ପବ୍ଲିକ ଏକ୍ସାମିନେସନ ପ୍ରିଭେନସନ ଅଫ ଅନଫେୟାର’ ।ତେବେ ବିଲରେ କି ସବୁ ବ୍ୟବସ୍ଥା ରହିଛି ନଜର ପକାଇବା ।

ନୂଆ ବ୍ୟବସ୍ଥାରେ କ’ଣ ରହିଛି?
-ବିଲରେ ବିଭିନ୍ନ ପ୍ରବେଶିକା ପରୀକ୍ଷା ପାଇଁ ଗୋଟିଏ ଉଚ୍ଚସ୍ତରୀୟ କମିଟି ଗଠନ କରାଯିବ । ଏହି କମିଟି ପରୀକ୍ଷାକୁ ସୁରକ୍ଷିତ ଭାବେ ପରିଚାଳିତ କରିବ
– କମିଟି ପରୀକ୍ଷା ଓ ପ୍ରଶ୍ନପତ୍ର ପାଇଁ ପ୍ରୋଟକଲ ପ୍ରସ୍ତୁତ କରିବ । ଆଇଟି ସୁରକ୍ଷା ବ୍ୟବସ୍ଥାକୁ ଅଧିକ ମଜବୁତ କରିବ ।
-ପରୀକ୍ଷା କେନ୍ଦ୍ରରେ ସର୍ଭେଲାନ୍ସ ବ୍ୟବସ୍ଥା ସୁଦୃଢ କରିବ । ପ୍ରବେଶ ପରୀକ୍ଷା ପାଇଁ ଜାତୀୟ ସ୍ତରରେ ସେବା ମିଳିବ
-କୌଣସି ଗ୍ୟାଙ୍ଗ ପରୀକ୍ଷା ପରିଚାଳନାରେ ସାମିଲ ଉପରେ କଟକଣା ଲାଗିବ
-ସ୍ୱଚ୍ଛତା, ନିରପେକ୍ଷତା ଓ ଉତ୍ତରଦାୟିତ୍ୱକୁ ମଜଭୁତ କରିବାକୁ ବିଲରେ ବ୍ୟବସ୍ଥା ରହିଛି
-ଠକେଇ, ଆର୍ଥିକ ହେରଫର ପାଇଁ ନକଲି ୱେବସାଇଟ ଖୋଲିବା, ନକଲି ପରୀକ୍ଷା କରିବା, ନକଲି ପରିପତ୍ର ଦେବା, ଫର୍ଜୀ ଅଫର ଲେଟର ଦେବା, ସିଟିଂ ବ୍ୟବସ୍ଥାକୁ ପ୍ରଭାବିତ କରିବା ଓ ବେଆଇନ ଭାବେ ଆଶାୟୀଙ୍କୁ ସେମାନଙ୍କ ପରୀକ୍ଷା ପାଇଁ ତାରିଖ ଦେବା ପରି କାମକୁ ନୂଆ ବିଲରେ ଦଣ୍ଡନୀୟ ଅପରାଧ ଭାବେ ବିବେଚନା କରାଯିବ
-ଯଦି ଏହି ଆଇନ ଅନୁସାରେ ଅଭିଯୁକ୍ତ ଦୋଷୀ ସାବ୍ୟସ୍ତ ହୁଅନ୍ତି ତେବେ ତାଙ୍କୁ ୩ରୁ ୫ବର୍ଷ ଯାଏ ଜେଲଦଣ୍ଡ ଓ ୧୦ଲକ୍ଷ ଟଙ୍କା ଜରିମାନା ଦେବାକୁ ପଡିବ ।
-ସଂଗଠିତ ଭାବେ ପ୍ରବେଶିକା ପରୀକ୍ଷାରେ ଅନିୟମତା କରୁଥିବା ଦୋଷୀଙ୍କୁ ୧୦ବର୍ଷ ଯାଏ ଜେଲଦଣ୍ଡ ଓ ୧କୋଟି ଟଙ୍କା ଫାଇନ ଦେବାକୁ ପଡିବ ।
-ୟୁପିଏସଏସି, ଏସଏସସି, ରେଳବାଇ, ଆଇବିପିଏ ଓ ଏନଟିଏ ଭଳି ପ୍ରବେଶିକା ପରୀକ୍ଷା ପାଇଁ ଲାଗୁ ହେବ

ସଙ୍ଗଠିତ ଗ୍ୟାଙ୍ଗ, ମାଫିଆ ଓ ଯେଉଁମାନେ ଅନିୟମିତତା କରୁଛନ୍ତି ସେମାନଙ୍କୁ ରୋକିବା ପାଇଁ ଏହି ବ୍ୟବସ୍ଥା କରାଯାଇଛି । ରାଜସ୍ଥାନର ଶିକ୍ଷକ ନିଯୁକ୍ତି ପରୀକ୍ଷା, ଗୁଜରାଟରେ କନିଷ୍ଠ କିରାଣୀ ନିଯୁକ୍ତି ଓ ବିହାରରେ କନଷ୍ଟେବଳ ନିଯୁକ୍ତି ପରୀକ୍ଷାରେ ବ୍ୟାପକ ଅନିୟମିତତା ହୋଇଥିଲା । ଏଥିପାଇଁ ପରୀକ୍ଷାକୁ ବାତିଲ ମଧ୍ୟ କରାଯାଇଥିଲା । ଏହାକୁ ଦୃଷ୍ଟିରେ ରଖି ସରକାର ଏହି ବିଲ୍ ଆଣିଛନ୍ତି ।