କନକ ବ୍ୟୁରୋ : ବୁଲିବାକୁ କାହାକୁ ବା ଭଲ ନଲାଗେ । ସମସ୍ତେ ଚାହାନ୍ତି ତାଙ୍କର ବ୍ୟସ୍ତବହୁଳ ଜୀବନ ଭିତରେ ଟିକିଏ ସମୟ ବାହାର କରି ବୁଲି ଆସିବା ପାଇଁ କିନ୍ତୁ କେତେଜଣ ଲୋକ ଅଛନ୍ତି ଯିଏ କି ଖୁବ କମ୍ ବୟସରେ ଅନେକ ଦେଶ ବୁଲିପାରିଥିବେ ।

Advertisment

ଲେକ୍ସି ଅଲ୍ଫୋଡ୍ ନାମକ ଜଣେ ଯୁବତୀ ମାତ୍ର ୨୧ବର୍ଷ ବୟସରେ ୧୯୭ଟି ଦେଶ ବୁଲି ରେକର୍ଡ ସୃଷ୍ଟି କରିଛନ୍ତି । ତାଙ୍କର ନାଁ ଗିନିଜ୍ ବୁକ୍ ଅଫ୍ ୱାର୍ଲ୍ଡ ରେକର୍ଡରେ ବି ସାମିଲ କରାଯାଇଛି ।

ଲେକ୍ସି ୨୦୧୬ରୁ ପୁରା ଦୁନିଆ ବୁଲିବାର ମିଶନ ବନାଇଥିଲେ । ଯେତେବେଳେ ସେ ୧୮ବର୍ଷର ହୋଇଥିଲେ ସେତେବେଳକୁ ସେ ୭୨ ଦେଶ ବୁଲିସାରିଥିଲେ । ଦେଶ ଦେଶ ବୁଲିବା ସହିତ ସେ ପାଠପଢାରେ ବି ଆଗୁଆ ଥିଲେ । ଗତ ୨ବର୍ଷ ତଳେ ଲେକ୍ସି ତାଙ୍କର ହାଇସ୍କୁଲ ପାଠପଢା ସାରିବା ସହ ସ୍ଥାନୀୟ କଲେଜରେ ଡିଗ୍ରୀ ହାସଲ କରିବାରେ ସଫଳ ହୋଇଛନ୍ତି ।

ସବୁଠୁ ବଡ କଥା ହେଉଛି ଲେକ୍ସି ଯେତେବେଳେ ୧୨ବର୍ଷର ଥିଲେ ସେତେବେଳେ ସେ ସାରା ଦୁନିଆର କୋଣ ଅନୁକୋଣ ବୁଲିବା ପାଇଁ ସେଭିଂ ଆରମ୍ଭ କରିଦେଇଥିଲେ । ସେ ଜାଣିଥିଲେ ବୁଲିବା ପାଇଁ ଟଙ୍କାର ଆବଶ୍ୟକତା ନିହାତି ପଡିବ । ତେଣୁ ସେ ନିଜ ଖର୍ଚ୍ଚ ନିଜେ ଉଠାଇବା ପାଇଁ ବିଭିନ୍ନ ବ୍ରାଣ୍ଡ ସହ ଯୋଡି ହୋଇଥିଲେ । ଏହା ସହିତ ସେ ପ୍ରତିଟି ଦେଶ ବାବଦରେ ରିସର୍ଚ୍ଚ ମଧ୍ୟ କରୁଥିଲେ । କେଉଁଠି ଶସ୍ତାରେ ଭଲ ଖାଦ୍ୟ ମିଳିବ । କେଉଁଠି ଶସ୍ତାରେ ରହି ହେବ । କାରଣ ଏହା ଦ୍ୱାରା ପଇସା ବଞ୍ଚାଇ ହେବ ।

ଲେକ୍ସି ଏତେ ଦେଶ ବୁଲିବା ପରେ ତାଙ୍କୁ ସବୁଠୁ ପାକିସ୍ତାନ ଓ ବେନେଜୁଏଲାର ପ୍ରାକୃତିକ ପରିବେଶ ବେସ୍ ଆକର୍ଷିତ କରିଥିବା ସେ କହିଛନ୍ତି । ସେହିପରି ପଶ୍ଚିମ ଓ ମଧ୍ୟ ଆଫ୍ରିକାରେ ପର୍ଯ୍ୟଟକଙ୍କ ପାଇଁ କମ୍ ଇଂଫାଷ୍ଟ୍ରକଚର୍ ରହିଛି । ଆଉ ଗୋଟିଏ ସ୍ଥାନରୁ ଅନ୍ୟ ଏକ ସ୍ଥାନକୁ ଯିବା ପାଇଁ ଖୁବ୍ କମ୍ ଉଡାଣ ବ୍ୟବସ୍ଥା ରହିଥିବା ଲେକ୍ସି କହିଛନ୍ତି । ସେ ଆହୁରି ମଧ୍ୟ କହିଛନ୍ତି କି, ମୁଁ ଏତେ ଦେଶ ବୁଲିବା ଭିତରେ କୌଣସି ଦେଶର ସିମ୍ କାର୍ଡ ବ୍ୟବହାର କରିନି । ସୋସିଆଲ ମିଡିଆ ଏବଂ ଇଂଟରନେଟ୍ ଠାରୁ ଦୁରେଇ ରହିବା ସହ ପ୍ରତିଟି ଦେଶର ସଂସ୍କୃତିକୁ ପାଖରୁ ଅନୁଭବ କରିଛି ।

ତେବେ ଲେକ୍ସିଙ୍କ ପୂର୍ବରୁ କେସି ଦ ପେକୋଲ ନାମକ ଜଣେ ଯୁବତୀ ଖୁବ୍ କମ୍ ବୟସରେ ଅନେକ ଦେଶ ବୁଲି ରେକର୍ଡ ସୃଷ୍ଟି କରିଥିଲେ । ଆଉ ତାଙ୍କ ରେକର୍ଡକୁ କାଟି ଲେକ୍ସି ଏବେ ନୂଆ ରେକର୍ଡ ସୃଷ୍ଟି କରିଛନ୍ତି । ଏନେଇ ଲେକ୍ସି କୁହନ୍ତି, ମୁଁ କୌଣସି ରେକର୍ଡ ସୃଷ୍ଟି କରିବା ପାଇଁ ବୁଲିବା ଆରମ୍ଭ କରିନଥିଲି । ଦୁନିଆର କୋଣ ଅନୁକୋଣ ବୁଲିବା ମୋର ଲକ୍ଷ୍ୟ ଥିଲା ।