କନକ ବ୍ୟୁରୋ; ରାଜ୍ୟ ଓ କେନ୍ଦ୍ର ସରକାର ଛାତ୍ରଛାତ୍ରୀଙ୍କ ପଢିବା ପାଇଁ କୋଟି କୋଟି ଟଂକା ଖର୍ଚରେ ଘର ନିର୍ମାଣ କରୁଛନ୍ତି । ସ୍ୱତନ୍ତ୍ର ଭାବେ ଆଦର୍ଶ ବିଦ୍ୟାଳୟ ଖୋଲୁଛନ୍ତି । ହେଲେ ଏବେ ବି ବହୁ ସରକାରୀ ସ୍କୁଲ ଭଙ୍ଗା ମାଟିଘରେ ବିପଦ ସଂକୁଳ ଅବସ୍ଥାରେ ଚାଲିଛି । ବାରଣ୍ଡାରେ ବସି ମଧ୍ୟାହ୍ନ ଭୋଜନ ଖାଉଥିବା ପାଣି ପାଇଁ ଚାଲନ୍ତି ଏକ କିଲୋମିଟର ବାଟ ।
ବିପର୍ଯ୍ୟସ୍ତ ବିଦ୍ୟାଳୟ, ବିପଦରେ ଛାତ୍ରଛାତ୍ରୀ । ଭଙ୍ଗା ଦରରା ଘରେ ପାଠପଢା । ଏମିତି ଚାଲିଛି ୩୦ ବର୍ଷର ପୁରୂଣା ସରକାରୀ ଉଚ୍ଚ ବିଦ୍ୟାଳୟ । କେତେ ଭୂଷୁଡି କି ଅଘଟଣ ଘଟିବ ତାହା କହି ହେବ ନାହିଁ । ଅନୁଗୁଳ ପାଲଲହଡା ବ୍ଲକ ନବଜ୍ୟୋତି ଉଚ୍ଚ ବିଦ୍ୟାଳୟକୁ ଦେଖିଲେ ଶିକ୍ଷା ବ୍ୟବସ୍ଥାର ଅସଲ ମୁଖା ଖୋଲିଯିବ । ଟାଇଲ ଛପର ମାଟି ଘରେ ପାଠ ପଢୁଛନ୍ତି ଅଷ୍ଟମରୁ ଦଶମ ଶ୍ରେଣୀ ଯାଏଁ ୯୦ ଛାତ୍ରଛାତ୍ରୀ । ଏଯାଏଁ ସ୍କୁଲ କାନ୍ଥରେ ଚୁନ ଟିକିଏ ଲାଗି ନଥିବା ବେଳେ ପ୍ରତି ମୁହୁର୍ତରେ ଆଶା ଆଶଙ୍କାରେ ଛାତ୍ରଛାତ୍ରୀଙ୍କୁ ପାଠ ପଢାଇଥାନ୍ତି ଶିକ୍ଷକ ।
ଭଙ୍ଗା ଘରେ ପାଠ ପଢୁଥିବା ପିଲାଏ ବାରଣ୍ଡାରେ ବସି ମଧ୍ୟାହ୍ନ ଭୋଜନ ଖାଆନ୍ତି । ଆଉ ବିଦ୍ୟାଳୟରେ ପାନୀୟ ଜଳର ସୁବିଧା ନଥିବାରୁ ହାତ ଧୋଇବା ପାଇଁ ଛାତ୍ରଛାତ୍ର ଚାଲନ୍ତି ୧ କିଲୋମିଟର ବାଟ । ହେଲେ ଏଥିପ୍ରତି ଜିଲ୍ଲା ପ୍ରଶାସନ, ଶିକ୍ଷା ବିଭାଗ କି ସ୍ଥାନୀୟ ଜନ ପ୍ରତିନିଧି ନଜର ଦେଉନଥିବା ଅଭିଯୋଗ ହୋଇଛି । ସେପଟେ ସ୍କୁଲ ସଂପର୍କରେ ପ୍ରତିକ୍ରିୟା ରଖି ପାଳଲହଡା ବିଧାୟକ ମୁକେଶ କୁମାର ପାଳ କହିଛନ୍ତି, ସେ ସମସ୍ୟା ସମାଧାନ ପାଇଁ ପଦକ୍ଷେପ ନେବେ ।
ସରକାରୀ ସ୍କୁଲର ଶିକ୍ଷା ବ୍ୟବସ୍ଥା ଉପରେ ଫୋକସ କରୁଛନ୍ତି ରାଜ୍ୟ ସରକାର । ଯେଉଁ ବିଦ୍ୟାଳୟର ଉପସ୍ଥାନ କମ୍ ଏବଂ ରେଜଲ୍ଟ କମ୍ ତାକୁ ବନ୍ଦ କରି ଦେଉଛନ୍ତି । ହେଲେ ଯେଉଁ ସ୍କୁଲରେ ଛାତ୍ରଛାତ୍ରୀ ବିପଦ ସଂକୁଳ ଅବସ୍ଥାରେ ଭଙ୍ଗା ଘରେ ବସି ପାଠ ପଢୁଛନ୍ତି, ସେ ସ୍କୁଲର ଉନ୍ନତିକରଣ ପାଇଁ କି ପ୍ରକାର ପଦକ୍ଷେପ ନେଉଛନ୍ତି ସରକାର? ପାଲଲହଡା ନବଜ୍ୟୋତି ଉଚ୍ଚ ବିଦ୍ୟାଳୟକୁ ଦେଖିବା ପରେ ଏମିତି ପ୍ରଶ୍ନ ଉଠିବା ସ୍ୱାଭାବିକ ।