ଏବେ ଅଶିକ୍ଷା ନାମକ ଅନ୍ଧକାରରୁ ମୁକ୍ତ ହେବେ କଏଦୀଙ୍କ ପିଲା । କେରଳ ସରକାର ଘୋଷଣା କଲେ ସହାୟତା ରାଶି । କହିଲେ ଶିକ୍ଷାର ବିକାଶରେ ହିଁ ସଭ୍ୟତାର ବିକାଶ

142

କନକ ବ୍ୟୁରୋ : ସାରା ଦେଶରେ ବାରମ୍ବାର କେରଳ ଏକ ମଡେଲ ହେବାକୁ ଚେଷ୍ଟା ଚଳାଇଛି । ଏହା ସହ କିଛି କ୍ଷେତ୍ରରେ ବି ସଫଳତା ହାସଲ କରିଛି । ସେ ଶିକ୍ଷା କ୍ଷେତ୍ରରେ ହେଉ କି ମହିଳା ସୁରକ୍ଷା କ୍ଷେତ୍ର । ସେ ଶ୍ରମିକଙ୍କୁ ସର୍ବନିମ୍ନ ମଜୁରୀ ଦେବା କଥା ହେଉ କି ସରକାରକୁ ଦୁର୍ନୀତି ମୁକ୍ତ ରଖିବାର ପ୍ରୟାସ ହେଉ । କେରଳ ହିଁ ସର୍ବାଗ୍ରେ । ଏଠାରେ ସବୁଠାରୁ ବଡ କଥା ହେଉଛି ସରକାରରେ ଯିଏ ବି ଥାଉ ସେ କଂଗ୍ରେସ ହେଉ କି କମ୍ୟୁନିଷ୍ଟ ସେମାନଙ୍କର ଗୋଟିଏ ପ୍ରୟାସ କେରଳବାସୀଙ୍କୁ ଶାନ୍ତି, ପ୍ରଗତି ଓ ବିଜ୍ଞାନ ସମ୍ମତ ସମାଜବାଦ ଦିଗରେ ଆଗକୁ ବଢାଇନେବା ।  ବିଶେଷ କରି ସାରା ଦେଶରେ କେରଳର ଶିକ୍ଷା ମଡେଲ, ଶିକ୍ଷିତ ମାନଙ୍କ ହାର ଓ ଶିକ୍ଷାନୁଷ୍ଠାନ ନିର୍ମାଣ କ୍ଷେତ୍ରରେ ନିଜର ପ୍ରଚେଷ୍ଟାକୁ ପ୍ରଶଂସା କରାଯାଉଛି । ଏହି ପରିପେକ୍ଷୀରେ ଏଠିକାର ପିନାରାଇ ବିଜୟନ ସରକାର ପୁଣି ଏକ ବଡ ନିଷ୍‌ପତ୍ତି ନେଇଛନ୍ତି ଯାହା କି ଶିକ୍ଷା କ୍ଷେତ୍ରରେ ପୁଣି ଏକ ମାଇଲ ଖୁଣ୍ଟ ଭାବେ ଉଭା ହେବାକୁ ଯାଉଛି ।

କେହି ଜଣେ ଦୋଷ କରି ଜେଲ ଯିବା ଟା ଏବେକାର ମଣିଷ ପାଇଁ କିଛି ବଡ କଥା ନୁହେଁ । ହେଲେ ବଡ କଥା ହେଉଛି ପରିବାରର ପୁରୁଷ ଜଣକ ଦୋଷ କରିଥିବାରୁ ଜେଲ ଗଲା । ହେଲେ ସେହି ପୁରୁଷର ପିଲାମାନେ କ’ଣ ଦୋଷ କରିଛନ୍ତି ଯେ ସେମାନଙ୍କୁ ବ୍ୟବସ୍ଥା ଦଣ୍ଡ ଦେବ । ସେମାନେ କାହିଁକି ମୌଳିକ ଅଧିକାରରୁ ବଞ୍ଚିତ ହେବେ । ସେମାନଙ୍କୁ ସମାଜ କାହିଁକି ଏକ ଆସାମୀର ପିଲା ଭାବେ ପରିଚୟ ଦେବ । ବାପା କିମ୍ବା ମା ର ଭୂଲ ପାଇଁ କାହିଁକି କୁଶିକ୍ଷା ନାମକ ଅନ୍ଧକାରରେ ଜୀବନ ଯାକ ଷଢିବେ ପିଲା । ଏସବୁକୁ ଦୃଷ୍ଟିରେ ରଖି କେରଳ ସରକାର ଏବେ କଏଦୀଙ୍କ ପିଲାଙ୍କୁ ପାଠପଢାରେ ସହାୟତା କରିବାକୁ ଅଣ୍ଟା ଭିଡିଛନ୍ତି । ଏନେଇ କେରଳର ସାମାଜିକ ନ୍ୟାୟ ମନ୍ତ୍ରୀ କେ.କେ ଶୈଲଜା କହିଛନ୍ତି କି ସେହି ପିଲାମାନେ ଯେଉଁମାନଙ୍କ ବାପା କିମ୍ବା ମା ଜେଲରେ ଜୀବନ କାଟୁଛନ୍ତି ସେମାନଙ୍କୁ ପ୍ରଥମ ରୁ ପଞ୍ଚମ ଶ୍ରେଣୀ ଯାଏଁ ପାଠ ପଢିବାକୁ ମାସିକ ୩ ଶହ ଟଙ୍କା ପ୍ରଦାନ କରାଯିବ । ସେହିଭଳି ଷଷ୍ଠରୁ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ମାସିକ ୫ ଶହ ଟଙ୍କା, ଉଚ୍ଚଶିକ୍ଷା ପାଇଁ ମାସିକ ୭୫୦ ଟଙ୍କା ଓ ପେଶାଦାର ପାଠ ପଢୁଥିବା ପିଲାଙ୍କୁ ମାସିକ ୧ ହଜାର ଟଙ୍କା ଲେଖାଏଁ ପ୍ରଦାନ କରାଯିବ । ଏହି ଅନୁଦାନ ସିଧା ସଳଖ ସେମାନଙ୍କ ବ୍ୟାଙ୍କ ଖାତାକୁ ଯିବ ବୋଲି ଶ୍ରୀମତୀ କେ,କେ, ଶୈଲଜା କହିଛନ୍ତି ।  କେ.କେ ଶୈଲଜା କେରଳ ସରକାରଙ୍କର ଏକ ଏପରି ମନ୍ତ୍ରୀ ଯେ କି ସବୁବେଳେ କିଛି ନା କିଛି ଅଭିନବ ପ୍ରୟାସ କରିଥା’ନ୍ତି । କରୋନା ମହାମାରୀ ବେଳେ ରାଜ୍ୟରେ କରୋନା ମୁକାବିଲାର ସଫଳତାକୁ ନେଇ ସାରା ବିଶ୍ୱରେ ଚର୍ଚ୍ଚାକୁ ଆସିଥିଲେ ଶୈଲଜା ।