ବିଦେଶରୁ ମୋଟା ଅଙ୍କର ଦରମା ଛାଡି ପରିବା ଚାଷ କରୁଛନ୍ତି ଶିକ୍ଷିତ ଯୁବକ, ଏକ ଏକର ଜମିରେ ଲଗାଇଛନ୍ତି ବିଭିନ୍ନ ପ୍ରକାରର ପନିପରିବା

327

କନକ ବ୍ୟୁରୋ : ଚାକିରି ଛାଡ଼ି ଚାଷ କାମକୁ ଆପଣାଇଛନ୍ତି ଆଠଗଡ଼ ଅଂଚଳର ଶିକ୍ଷିତ ଯୁବକ ଜ୍ୟୋତିରଞ୍ଜନ । ପାଖାପାଖି ୧ ଏକର ଜମିରେ ଲଗାଇଛନ୍ତି ସଜନା, ପିଜୁଳି, ବାଇଗଣ ଭଳି ବିଭିନ୍ନ ପ୍ରକାରର ପନିପରିବା । ଆଧୁନିକ ପ୍ରଣାଳୀରେ ଏହି ଚାଷ କରିଛନ୍ତି ଜ୍ୟୋତିରଞ୍ଜନ । ସବୁଠାରୁ ବଡ଼ କଥା ହେଉଛି ବିନା କୀଟନାଶକରେ ଏହି ଚାଷ କରୁଛନ୍ତି ଜ୍ୟୋତିରଞ୍ଜନ । ଚାଷ କାମ ପାଇଁ ନିଜେ ପ୍ରସ୍ତୁତ କରୁଛନ୍ତି ଜୈବିକ ଖତ । ଜୈବିକ ସାର ପ୍ରୟୋଗ କରି ଚାଷ ହେଉଥିବାରୁ ତାଙ୍କ ବାଡ଼ିରୁ ଉତ୍ପାଦିତ ହେଉଥିବା ପନିପରିବାର ଚାହିଦା ମଧ୍ୟ ରହିଛି ।

ଆଫ୍ରିକାର କେନିଆରେ ୧୦ ବର୍ଷ ହେଲା ଚାକିରି କରୁଥିଲେ ଜ୍ୟୋତିରଞନ । ମାସିକ ୧ ଲକ୍ଷ ଟଙ୍କାର ଦରମା ମଧ୍ୟ ପାଉଥିଲେ । କରୋନା ମହାମାରୀ ସମୟରେ ଜନ୍ମମାଟିକୁ ଫେରିଆସିଥିଲେ ଜ୍ୟୋତି । ଆଉ ପରିବାର ଚଳାଇବା ପାଇଁ ନିଜସ୍ୱ ଉଦ୍ୟମରେ ଆରମ୍ଭ କରିଥିଲେ ଚାଷ କାମ । ପୂର୍ବରୁ ଯେଉଁ ଜମି ଜଙ୍ଗଲମୟ ଥିଲା ଆଜି ସେହି ଜମିରେ ଫଳିଛି ସୁନାର ଫସଲ ।

ବିଦେଶ ଚାକରୀ ଛାଡ଼ି ଜ୍ୟୋତିରଞ୍ଜନଙ୍କ ଏହି ଉଦ୍ୟମ ଏବେ ସ୍ଥାନୀୟ ଅଂଚଳରେ ଚର୍ଚ୍ଚାର ବିଷୟ ପାଲଟିଛି । ଜ୍ୟୋତିରଞ୍ଜନଙ୍କ ଚାଷ କରିବାର ପ୍ରଣାଳି ଅନ୍ୟମାନଙ୍କ ପାଇଁ ପାଲଟିଛି ପ୍ରେରଣା ।