ରାଜନୀତି ମୈଦାନରେ ପାଠୁଆ ପ୍ରାର୍ଥୀ । କିଏ ବିଟେକ୍ ଡିଗ୍ରୀ ହାସଲ କରିଛନ୍ତି ତ ଆଉ କିଏ ଅଧ୍ୟାପକ …

108

କନକ ବ୍ୟୁରୋ: ଗାଁ ରାଜନୀତି ପ୍ରତି ଆକୃଷ୍ଟ ହେଉଛନ୍ତି ଯୁବପୀଢି । ବିଶେଷକରି ଚଳିତ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ ବହୁ ସଂଖ୍ୟାରେ ଉଚ୍ଚଶିକ୍ଷିତ ଯୁବକ ଯୁବତୀ ନାମାଙ୍କନ ଦାଖଲ କରିଛନ୍ତି । ଯାହାକି ଗ୍ରାମାଞ୍ଚଳ ରାଜନୀତିକୁ ବେଶ ରୋଚକ କରିଛି ।

ସିଭିଲ ଇଞ୍ଜିନିୟରିଂରେ ବିଟେକ୍ ଡିଗ୍ରୀ ହାସଲ କରିଥିବା ସୁରଭି ନିଜ ଅଞ୍ଚଳର ଉନ୍ନତି ପାଇଁ ଗାଁ ରାଜନୀତିକ ଟାଣି ହୋଇ ଆସିଛନ୍ତି । ଆଉ ମାଲକାନଗିରି ପଡିଆ ଜୋନରୁ ବିଜେଡିରୁ ଜିଲ୍ଲାପରିଷଦ ପ୍ରାର୍ଥୀ ଭାବେ ନାମାଙ୍କନ ଦାଖଲ କରିଛନ୍ତି । ସେହିପରି ବିବିଏ ଡିଗ୍ରୀଧାରୀ ଆଦିବାସୀ ଝିଅ ବିଜୟୀ ଲକ୍ଷ୍ମୀ ପଡିଆମୀ କୋରୁକୋଣ୍ଡା ୧ ନମ୍ବର ଜୋନରୁ ବିଜେଡି ଟିକେଟରେ ନାମାଙ୍କନ ଦାଖଲ କରିଛନ୍ତି ।

ଅନ୍ୟପଟେ ରେଲୱେ ଚାକିରିରେ ଯୋଗ ନଦେଇ ରାଜନୀତି ମଇଦାନକୁ ଓହ୍ଲାଇଛନ୍ତି ମାଲକାନଗିରିର କୋୟା ଆଦିବାସୀ ଝିଅ ରିନା କୱାସୀ । ସେ କାଲିମେଳା ଜୋନ-୨ରୁ ନାମାଙ୍କନ ପତ୍ର ଦାଖଲ କରିଛନ୍ତି । ଅନ୍ୟପଟେ ବିଟେକ୍ କରିଥିବା ଉଦିତ ମୋଟା ଦରମାର ଚାକିରି ଛାଡି ସୁନ୍ଦରଗଡ ହେମଗିରି କ ଜିଲ୍ଲାପରିଷଦ ଜୋନରୁ ବିଜେଡିରୁ ନାମାଙ୍କନ ପତ୍ର ଦାଖଲ କରିଛନ୍ତି । ସେହିପରି ଲେଫ୍ରିପଡା କ ଜୋନରୁ ବିଜେପି ପ୍ରାର୍ଥୀ ଭାବେ ନାମାଙ୍କନ ଦାଖଲ କରିଛନ୍ତି ସଂଯୁକ୍ତା ବୁଖରା । ସଂଯୁକ୍ତା ବାୟୋଇନଫର୍ମେଟିକ୍ସରେ ଏମଏସସି କରିଛନ୍ତି । କିନ୍ତୁ ଚାକିରୀ ନକରି ଗାଁ ଲୋକଙ୍କ ସେବା ପାଇଁ ରାଜନୀତିକୁ ଆସିଥିବା କହିଛନ୍ତି ।

ସରପଞ୍ଚ ହେବେ ଅଧ୍ୟାପିକା । ଗଙ୍ଗାଧର ସ୍ନାତକ ବିଜ୍ଞାନ ମହାବିଦ୍ୟାଳୟରେ ଅଧାପିକା ଭାବେ କାର୍ଯ୍ୟ କରୁଥିବା ଦୀପିକା କୁମାରୀ ବାରିକ ଚାକିରି ଛାଡି ସରପଞ୍ଚ ହେବାକୁ ନାମାଙ୍କନ ଦାଖଲ କରିଛନ୍ତି । ଗାଁର ସାମାଜିକ ଓ ଆର୍ଥୀକ ବିକାଶ ପାଇଁ ରାଜନୀତିକୁ ଆସିଥିବା କହିଛନ୍ତି ଦୀପିକା । ସେହିପରି ଅବସରପ୍ରାପ୍ତ ସିଆରପିଏଫ ଯବାନରାଜେଶ ବରଗଡ ୩ ନମ୍ବର ଜୋନରୁ ବିଜେପିରୁ ଜିଲ୍ଲା ପରିଷଦ ପ୍ରାର୍ଥୀ ହୋଇଛନ୍ତି । ଦୁର୍ନୀତି ମୁକ୍ତ ସମାଜ ଗଠନ କରିବା ତାଙ୍କର ଲକ୍ଷ୍ୟ  ବୋଲି କହିଛନ୍ତି ।