ଗାଁ ରାଜନୀତିରେ ଗଣ୍ଡାଗଣ୍ଡା ପାଠୁଆ ପ୍ରାର୍ଥୀ । ନିର୍ବାଚନ ଜିତି ସେବା କରିବାକୁ ଶିକ୍ଷିତ ଯୁବବର୍ଗଙ୍କ ଲାଗୁଛି ଭିଡ…

228

କନକ ବ୍ୟୁରୋ: ସରଗରମ ହେଉଛି ଗାଁ ରାଜନୀତି । ପ୍ରାର୍ଥୀଙ୍କ ପରୀକ୍ଷା ତାରିଖ ପାଖଉଛି, ଆଉ ଗାଁଗଣ୍ଡାରେ ରାଜନୀତି ଦାନା ବାନ୍ଧୁଛି । ନାମାଙ୍କନ ଦାଖଲର ଶେଷ ତାରିଖରେ ପଞ୍ଚାୟତ ପ୍ଲେଗ୍ରାଉଣ୍ଡରେ ପତିଆରା ଦେଖାଇଛନ୍ତି ପୁରୁଖା ପ୍ରାର୍ଥୀ । ହେଲେ ୟାରି ଭିତରେ ଚଳିତ ନିର୍ବାଚନରେ ଚର୍ଚ୍ଚାରେ ରହିଛନ୍ତି ନୂଆମୁହଁ । ୨୦୨୨ ପଞ୍ଚାୟତ ପରୀକ୍ଷାରେ ନୂଆ ନୂଆ ପ୍ରାର୍ଥୀ ପଲିଟିକ୍ସରେ ପାଦ ଦେଇଛନ୍ତି । ଆଉ ରାଜନୀତି ରାସ୍ତାରେ ପରିବର୍ତ୍ତନ ସ୍ୱର ନେଇ ଯୁବପିଢି ନାରା ଦେଉଛନ୍ତି ।

ସାରା ରାଜ୍ୟରୁ ସବୁଦିନ ନୂଆନୂଆ ଖବର ସାମ୍ନାକୁ ଆସୁଥିବା ବେଳେ ସୁନ୍ଦରଗଡରୁ ଆସିଛି ଶିକ୍ଷିତ ପ୍ରାର୍ଥୀ ଲମ୍ବା ତାଲିକା । ଜଣେ ବିଟେକ୍ ଇଞ୍ଜିନିୟର ହୋଇଥିବା ବେଳେ ଅନ୍ୟ ଜଣେ ଏମଏସସି ପାସ୍ କରିଛନ୍ତି । ତେବେ ରାଜନୀତିରେ ଲୋକସେବା ସହ ଅଞ୍ଚଳର ବିକାଶ କରିବାକୁ ଏକ ସୁବର୍ଣ୍ଣ ସୁଯୋଗ ମିଳିଥିବାରୁ ଯୁବପିଢି ଏହି ମୌକାର ହାତଛଡା କରିବାକୁ ଚାହୁଁ ନାହାନ୍ତି ।

ତେବେ ସୁନ୍ଦରଗଡ ହେମଗିରି ‘କ’ ଜିଲ୍ଲାପରିଷଦ ଜୋନରେ ବିଜେଡି ସମର୍ଥିତ ଉଦିତ୍ ସେଠ୍ ନାମାଙ୍କନ ଦାଖଲ କରିଛନ୍ତି । ରାଜନୀତିରେ ନୂଆ କରି ପାଦ ଦେଇଥିବା ଉଦିତ ୨୦୦୫ ମସିହାରେ ପୁରୀର ଘନଶ୍ୟାମ ହେମଲତା କଲେଜରୁ ବିଟେକ ଇଞ୍ଜିନିୟରିଂ ଶେଷ କରିବା ପରେ ରାଜ୍ୟର ବିଭିନ୍ନ କମ୍ପାନୀରେ ସେ ମେକାନିକାଲ ଇଞ୍ଜିନିୟର ଭାବରେ କାମ କରୁଥିଲେ । ଏବେ ସେ ଇବଥର୍ମାଲ , ସେଫକୋରେ କାର୍ଯ୍ୟ କରୁଥିବା ବେଳେ ଗାଁକୁ ଆସିବା ସମୟରେ ନିଜ ଅଞ୍ଚଳରେ ଥିବା ବିସ୍ଥାପିତ ସମସ୍ୟା ଏବଂ ଲୋକଙ୍କ ଦୁଃଖ ଦୁର୍ଦ୍ଦଶା ତାଙ୍କୁ ରାଜନୀତି ଆଡକୁ ଟାଣି ନେଇଥିଲା । ଏବଂ ସେ ରାଜନୀତି ମାଧ୍ୟମରେ ଲୋକଙ୍କ ସେବା କରିପାରିବେ ବୋଲି ମନସ୍ତ କରି ଜିଲ୍ଲାପରିଷଦ ପ୍ରାର୍ଥୀ ଭାବେ ଲଢେଇ କରୁଛନ୍ତି ।

ସେହିପରି ଚଳିତ ନିର୍ବାଚନରେ ମହିଳା ପ୍ରାର୍ଥୀଙ୍କ ପଲିଟିକ୍ସକୁ ଆଗମନୀ ଏଥର ନୂଆ ଟ୍ରେଣ୍ଡ ତିଆରି କରିଛି । କେବଳ ଯୁବକ ନହଁନ୍ତି ଯୁବତୀ ଓ ମହିଳାମାନେ ବି ରାଜନୀତିରେ ଏଥର ଅନେକ ସଂଖ୍ୟାରେ ପ୍ରାର୍ଥୀ ବନିଛନ୍ତି । ସୁନ୍ଦରଗଡର ଉଦିତଙ୍କ ପରି ଅନ୍ୟ ଜଣେ ଶିକ୍ଷିତା ମହିଳା ହେଉଛନ୍ତି ସଂଯୁକ୍ତା ବୁଖରା । ବିଜେପିର ସମର୍ଥିତ ସଂଯୁକ୍ତା ଲେଫ୍ରିପଡା କ’ ଜୋନ ପାଇଁ ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି । ରାୟଗଡାରୁ ଏମଏସସି ପଢି ସାରିବା ପରେ ଏବେ ଚାକିରି ସନ୍ଧାନରେ ଥିଲେ ସଂଯୁକ୍ତା । ହେଲେ ଗାଁ ଲୋକଙ୍କ ତଥା ଅଞ୍ଚଳର କିଛି ବିକାଶ କରିବା ପାଇଁ ବିଜେପିର ପ୍ରାର୍ଥୀ ହୋଇ ନିର୍ବାଚନୀ ମୈଦାନରେ ଲଢେଇ କରୁଛନ୍ତି ସଂଯୁକ୍ତା ।

ତେବେ ରାଜନୀତିରେ ପୁରୁଣା ଓ ପୁରୁଖାଙ୍କୁ ପରିବର୍ତ୍ତନ କରି ନୂଆ ଚାହୁଁଥିବା ଜନତା ଏବେ ଯୁବପିଢି ଓ ଶିକ୍ଷିତଙ୍କ ଉପରେ ଅନେକ ଆଶା ରଖୁଛନ୍ତି । ତେଣୁ ଆଗାମୀ ଦିନରେ ଏହି ଶିକ୍ଷିତ ପ୍ରାର୍ଥୀମାନେ ବିଜୟ ପରେ କେତେ ସମସ୍ୟାର ସମାଧାନ କରୁଛନ୍ତି କିମ୍ବା ଲୋକଙ୍କ ବିଶ୍ୱାସ କେତେ ଜିତୁଛନ୍ତି ତାହା ସମୟ ହିଁ କହିବ ।