ସବୁ ପର ଏଠି ସାଙ୍ଗ ନିଜର… ପର କରିଦେଲା ପରିବାର, ବଡଦାଣ୍ଡର ଭିକାରୀ ଭାବେ ଦେଖି ସହି ପାରିଲେନି ସାଙ୍ଗ । କାଳିଆ ଧାମରୁ କୋଳେଇ ନେଲେ କଲେଜ ବେଳର ବନ୍ଧୁ… ଲୋକେ କହିଲେ ସମସ୍ତଙ୍କୁ ମିଳୁ ଏମିତି ସାଙ୍ଗ…

ବଡଦାଣ୍ଡରେ ଦେଖିବାକୁ ମିଳିଛି ଏଯୁଗର କୃଷ୍ଣ-ସୁଦାମାଙ୍କୁ । ଏଠି ସୁଦାମା ଗୋଟିଏ, କୃଷ୍ଣ କୋଟିଏ । ସାଙ୍ଗର ଦୁଃଖ ଦେଖି, ଅସହାୟତାକୁ ଅନୁଭବ କରି ବଡଦାଣ୍ଡର ଶିକ୍ଷିତ ଭିକାରୀ ସାଜିଥିବା ଶ୍ରୀଜିତ ପାଢୀଙ୍କ ପାଖକୁ ଧାଇଁଯାଇଛନ୍ତି ତାଙ୍କ ସାଙ୍ଗମାନେ ।

2,161

କନକ ବ୍ୟୁରୋ: ଜୀବନରେ ସାଙ୍ଗର ଆବଶ୍ୟକତା କେତେ? ସାଙ୍ଗଟିଏ ଜୀବନକୁ ସୁଧାରିଦିଏ ନା ନଷ୍ଟ କରିଦିଏ? ଯେତେବେଳେ ବି ବନ୍ଧୁ ଆଉ ବନ୍ଧୁତା କଥା ଆସେ ସେତେବେଳେ କୃଷ୍ଣ ସୁଦାମାଙ୍କ ନିସ୍ୱାର୍ଥପର ସମ୍ପର୍କର କାହାଣୀ ମନେପଡେ । ନିଜ ଦୁଃଖ, ନିଜ ଦାରିଦ୍ରତା କଥା ସିନା ସଖା କୃଷ୍ଣଙ୍କୁ କେବେ ମୁହଁ ଖୋଲି କହି ପାରିନଥିଲେ ସୁଦାମା ହେଲେ କୃଷ୍ଣ ତାଙ୍କ ମନକଥା ବୁଝିପାରିଥିଲେ । ଠିକ ସେମିତି ବଡଦାଣ୍ଡରେ ଦେଖିବାକୁ ମିଳିଛି ଏଯୁଗର କୃଷ୍ଣ-ସୁଦାମାଙ୍କୁ । ଏଠି ସୁଦାମା ଗୋଟିଏ, କୃଷ୍ଣ କୋଟିଏ । ସାଙ୍ଗର ଦୁଃଖ ଦେଖି, ଅସହାୟତାକୁ ଅନୁଭବ କରି ବଡଦାଣ୍ଡର ଶିକ୍ଷିତ ଭିକାରୀ ସାଜିଥିବା ଶ୍ରୀଜିତ ପାଢୀଙ୍କ ପାଖକୁ ଧାଇଁଯାଇଛନ୍ତି ତାଙ୍କ ସାଙ୍ଗମାନେ ।

ଶ୍ରୀଜିତ ପାଢୀ ! ପୁରୀ ବଡଶଙ୍ଖ ତଳ ନୂଆସାହିର ଶିକ୍ଷିତ ଯୁବକ । ରେଭେନ୍ସାରେ ପିଜି କରିଥିଲେ, ଓଏଏସ ପରୀକ୍ଷାରେ ରିଟିନ୍ ବି କ୍ୱାଲିଫାଏ କରିଥିଲେ । ହେଲେ ଭାଇଭାରେ କଟିଯିବା ପରେ ସ୍ୱପ୍ନଭଙ୍ଗ ହୋଇ ମାନସିକ ସନ୍ତୁଳନ ହରାଇ ବସିଲେ ଶ୍ରୀଜିତ । ବାସ୍ ତାପର ଠାରୁ ଦୀର୍ଘ ୧୦ ବର୍ଷ ହେବ ବଡଦାଣ୍ଡରେ ମାଗିଯାଚି, ଭିକ ମାଗି ପେଟକୁ ଦାନାଗଣ୍ଡେ ଦେଉଛନ୍ତି ଶ୍ରୀଜିତ ।

ଜଗା ଦୁଆରେ ଜୀବନ ସହ ଯୁଦ୍ଧ କରୁଥିବା, ଯନ୍ତ୍ରଣା ସହ ଯୁଝି ହେଉଥିବା ଶ୍ରୀଜିତଙ୍କ ଏଭଳି ଅବସ୍ଥା ଦେଖି ଘଡିଏ ରହି ପାରିନଥିଲେ ତାଙ୍କ ସାଙ୍ଗମାନେ । ଖବର ଦେଖି ପୁରୀ ବଡଦାଣ୍ଡକୁ ସଙ୍ଗେସଙ୍ଗେ ଖେଦି ଆସିଥିଲେ କଟକର ସାଙ୍ଗ । ଆଉ କଷ୍ଟ ପାଉଥିବା ଶ୍ରୀଜିତଙ୍କୁ ଆଖି ଆଗରେ ଦେଖି କୋଳାଇ ନେଇଥିଲେ ସମସ୍ତେ । କିଏ ମୁଣ୍ଡର ପାଣି ଢାଳି ଦେଉଥିଲା ତ କିଏ ମୁହଁ ପୋଛି ଦେଉଥିଲା ତ ପୁଣି କିଏ ସ୍ନେହଁରେ ଖୁଆଇ ଦେଉଥିଲା । ପୁରୀ ବଡଦାଣ୍ଡର ଏ ଚିତ୍ରକୁ ଯିଏ ଦେଖୁଥିଲା ସିଏ ବାଃ ବାଃ କହି ରହିପାରୁ ନଥିଲା । କାରଣ ଏମାନଙ୍କ ପାଖରେ ଥିଲା ନିରୋଳା ଭଳପାଇବା, ନିର୍ଭେଜାଲ ବନ୍ଧୁତା ।

ରେଭେନ୍ସାରେ ପଢିବା ବେଳେ ଏସମସ୍ତେ ଥିଲେ ଶ୍ରୀଜିତଙ୍କ ସାଙ୍ଗ । ପାଠ ପଢିଲା ବେଳେ ଦୋସ୍ତି ମସ୍ତିରେ ସମୟ ବିତାଉଥିଲେ । ଭଲ ପାଠ ପଢିବା ସହ ଶ୍ରୀଜିତ ଭଲ ନେତୃତ୍ୱ ମଧ୍ୟ ନେଉଥିଲେ ତେଣୁ ତ ତାଙ୍କୁ ସବୁ ସାଙ୍ଗ ଭଲପାଉଥିଲେ । ଆଉ ସେହି ସାଙ୍ଗ ଯେତେବେଳେ ବିପଦରେ ପଡିଛି ତାକୁ ସାହାଯ୍ୟ ହେବେନି ବା କେମିତି ।

 

ସବୁଠାରୁ ବଡକଥା ହେଉଛି ସମ୍ଭ୍ରାନ୍ତ ପରିବାରରେ ଜନ୍ମଗ୍ରହଣ କରିଥିବା ଶ୍ରୀଜିତଙ୍କ ଏଭଳି ଅବସ୍ଥା ଦେଖି ତାଙ୍କ ପାଖକୁ ଆସିନଥିଲେ ତାଙ୍କ ପରିବାର ଲୋକେ । ତିନି ଜଣ ଭାଇ, ତିନି ଜଣ ଭଉଣୀ ଥାଇ ବି ତାଙ୍କର କିଛି ଖବର ରଖୁନଥିଲେ ସେମାନେ । ଏମିତିକି ତାଙ୍କ ସାନ ଭାଇ ସବୁ ଜାଣି ବି କେବେ ଘରକୁ ନେବାକୁ ଇଚ୍ଛା କରିନାହାନ୍ତି । ଯେଉଁଠି ପରିବାର ପର କରିଦେଉଛି ସେଠି ଅନ୍ୟଠୁ ଆଶା ରଖିବା ବୃଥା ଭାବି ଭଗବାନଙ୍କ ଭରସାରେ ଥିଲେ ଶ୍ରୀଜିତ । ହେଲେ ତାଙ୍କ ଭାବନାକୁ ଭୁଲ କରି ନିଜର କରି ନେଇଥିଲେ ସାଙ୍ଗମାନେ ।

ତେବେ ପାଠ ପଢିବା ବେଳେ ଗୁରୁଜନମାନେ ସାଙ୍ଗମାନଙ୍କ ସହ ନମିଶିବାକୁ ପରାମର୍ଶ ଦିଅନ୍ତି । ସାଙ୍ଗଙ୍କ ସହ ସମୟ ନଷ୍ଟ ନକରିବାକୁ ବାରଣ ବି କରନ୍ତି । ହେଲେ ପୁରୀରୁ ଆସିଥିବା ଏ ଚିତ୍ର ସେମିତି ଭାବନା ରଖୁଥିବା ପରିବାରର ପାଟି ଚୁପ କରିଦେଇଛି । ସ୍ୱାର୍ଥପର ସମାଜକୁ ଭିନ୍ନ ଏକ ସନ୍ଦେସ ଦେଇଛି । ଯେଉଁଠି ପରିବାର ପର ପାଲିଟିଛି ଆଉ ସାଙ୍ଗ ନିଜର ସାଜିଛନ୍ତି ।