କନକ ବ୍ୟୁରୋ: କିଛିଦିନ ହେଲା ଜାଲ ସାର୍ଟିଫିକେଟକୁ ନେଇ ରାଜ୍ୟରେ ତମ୍ବିତୋଫାନ ହେଉଛି । ବଲାଙ୍ଗୀରରୁ ବିହାର, ଉତର ପ୍ରଦେଶ ପର୍ଯ୍ୟନ୍ତ ଲମ୍ବିଛି ଏହି ଜାଲିଆତିର ଚେର । ତେବେ ଏହି ଜାଲ ସାର୍ଟିଫିକେଟ ଉପରେ ରୋକ ଲଗାଇବ କେନ୍ଦ୍ର ସରାକରଙ୍କ ଏଡୁ ଲକର । ଜାତୀୟ ଶିକ୍ଷାନୀତିରେ ତିନିବର୍ଷରୁ ପିଲା ପାଠପଢା ଆରମ୍ଭ କରିବାସହ ତାର ସମସ୍ତ ଶିକ୍ଷାର ରେକର୍ଡ ରହିବ ଏହି ଏଡୁ ଲକରରେ । ପିଲାଙ୍କ ନାଁ, ଠିକଣା, ଡିଗ୍ରୀର ସମସ୍ତ ତଥ୍ୟକୁ ୟୁନିକ ଆଇଡି ଜରିଆରେ ସାଇତି ରଖାଯିବ । ନଜର ପକାଇବା... କି କି ସୁବିଧା ମିଳିବ ଏଡୁ ଲକରରେ

Advertisment

ଏଡୁ ଲକର୍: କ’ଣ ରହିଛି ସୁବିଧା

ଛାତ୍ରଛାତ୍ରୀଙ୍କ ପାଠପଢ଼ାର ସଂପୂର୍ଣ୍ଣ ରେକର୍ଡ ରହିବ
ସାର୍ଟିଫିକେଟ ହଜିବାର ଭୟ ରହିବ ନାହିଁ
ନୂଆ ଶିକ୍ଷାନୁଷ୍ଠାନକୁ ଗଲେ ପୂରଣ କରିବାକୁ ପଡିବନି ଫର୍ମ
ବିଶ୍ୱବିଦ୍ୟାଳୟ ବଦଳାଇଲେ ମାଇଗ୍ରେସନ ସାର୍ଟିଫିକେଟର ଆବଶ୍ୟକତା ପଡ଼ିବନି
ମେଧାବୃତ୍ତି ଏବଂ ନାମଲେଖା ରିହାତିର ତଥ୍ୟ ମିଳିଯିବ
ସରକାରୀ ସୁବିଧା ସହଜରେ ମିଳିପାରିବ
ଶିକ୍ଷାନୁଷ୍ଠାନର ସଠିକ ତଥ୍ୟ ପାଇବେ ଛାତ୍ରଛାତ୍ରୀ
ଫଳରେ ନକଲି ଶିକ୍ଷାନୁଷ୍ଠାନ ସହଜରେ ଧରାପଡ଼ିଯିବ
ଜାଲ୍ ସାର୍ଟିଫିକେଟର ଯୁଗ ଶେଷ ହେବ

ଏଡୁ ଲକରର ଡ୍ରାଫ୍ଟ ଡକ୍ୟୁମେଣ୍ଟର ପ୍ରସ୍ତୁତି ସରିଛି । ବିଭିନ୍ନ ବର୍ଗର ଲୋକଙ୍କ ମତାମତ ନିଆଯାଉଛି । ଆବଶ୍ୟକ ପଡିଲେ ଏଥିରେ ପରିବର୍ତନ ହୋଇପାରେ ବୋଲି ସୂଚନା ଦେଇଛନ୍ତି ନେସନାଲ ଏଜୁକେସନ ଟେକ୍ନୋଲୋଜିକାଲ ଫୋରମର ଅଧ୍ୟକ୍ଷ ଅନୀଲ ସହସ୍ରବୁଦେ୍ଧ । ଏହାକୁ ଡିଆଇସି, ଏନଆଇସି ଏବଂ ଏନଇଏଫଟି ମିଳିତ ଭାବରେ ପ୍ରସ୍ତୁତ କରିଥିବା ବେଳେ ଆସନ୍ତା ଅଗଷ୍ଟ ମାସରେ ଲଞ୍ଚ କରିବାକୁ ଯୋଜନା ରହିଛି ।

ଜାଲ ସାର୍ଟିଫିକେଟର ର୍ୟାକେଟ ଉପରେ ରୋକ ଲଗାଇବା ସହ ଜାଲ ଶିକ୍ଷାନୁଷ୍ଠାନରେ ତାଲା ପକାଇ ଦେବ ଏଡୁ-ଲକର । ଠକାମିରେ ପଡିବେନାହିଁ ଛାତ୍ରଛାତ୍ରୀ, ତେବେ ବ୍ୟକ୍ତିଗତ ସୂଚନା ଲିକ୍ ହେବାର ସମ୍ଭାବନା ଥିବାରୁ ସରକାର ଏ ଦିଗରେ ପଦକ୍ଷେପ ନେବାକୁ ଦାବି କରାଯାଉଛି ।