କନକ ବ୍ୟୁରୋ: ୨୦୨୧-୨୨ ଆର୍ଥିକ ବର୍ଷରେ ବିଜେଡିକୁ କୌଣସି ଚାନ୍ଦା ମିଳିନାହିଁ । ଏମିତି ଏକ ଚମକାଇ ଦେବା ଭଳି ରିପୋର୍ଟ ପ୍ରକାଶ କରିଛି, ସାମାଜିକ ସଂଗଠନ ଆସୋସିଏସନ୍ ଅଫ ଡେମୋକ୍ରାଟିକ ରିଫର୍ମ ବା ଏଡିଆର । ପ୍ରକାଶ ପାଇଥିବା ରିପୋର୍ଟ ଅନୁସାରେ, ବିଜେଡି ଦେଶରେ ଦ୍ୱିତୀୟ ଧନୀ ଆଞ୍ଚଳିକ ଦଳ ହୋଇଥିଲେ ବି, ୨୦୨୧-୨୨ରେ ବିଜୁ ଜନତା ଦଳକୁ ଚାନ୍ଦା ବାବଦକୁ ଟଙ୍କାଟିଏ ମିଳିନାହିଁ । ଟିଆରଏସ ଆପ, ଜେଡିୟୁ ଭଳି ୨୬ଟି ଦଳ ଚାନ୍ଦା ବାବଦକୁ ଟଙ୍କା ପାଇଥିବାବେଳେ, ବିଜେଡି ସମେତ ୭ଟି ଦଳ କୌଣସି ଚାନ୍ଦା ପାଇନଥିବା ଦର୍ଶାଇଛନ୍ତି ।

Advertisment

ବିଜେଡିକୁ କେତେ ଚାନ୍ଦା ମିଳିଛି, ତାହା ଘୋଷଣା ନକରିବା ନେଇ ଏଡିଆର ରିପୋର୍ଟରୁ ଜଣାପଡିବା ପରେ ଶାସକ ଦଳକୁ ଘେରିଛନ୍ତି ବିରୋଧୀ ବିଜେପି ଓ କଂଗ୍ରେସ । ବିଜେପି ବିଧାୟକ ବୁଧାନ ମୁର୍ମୁ ଅଭିଯୋଗ କରି କହିଛନ୍ତି, ବିଜେଡି ପାଖରେ ବହୁତ ଟଙ୍କା ଅଛି । ଯେହେତୁ ପ୍ରକୃତ ଉତ୍ସରୁ ଏହି ଟଙ୍କା ଆସିନି, ଆଉ ଏହା ଠିକ ଅର୍ଥ ବା ଜେନୱିନ୍ ମନି ନୁହେଁ, ସେଥିପାଇଁ ବିଜେଡି କେତେ ଟଙ୍କା ଚାନ୍ଦା ପାଇଛି ତାକୁ ଲୁଚାଉଛି । ସେହିପରି କଂଗ୍ରେସ ବିଧାୟକ ସନ୍ତୋଷ ସିଂ ସାଲୁଜା କହିଛନ୍ତି, ବିଜେଡି ପାଇଥିବା ଚାନ୍ଦାର ତଥ୍ୟ ନ ଦର୍ଶାଇବା ଅର୍ଥ ତାହା କଳା ଧନ । ଜବାବ ରଖି ବିଜେଡି ବିଧାୟକ ପର୍ଶୁରାମ ଧଡା କହିଛନ୍ତି, କିିଛି ତଥ୍ୟ ଲୁଚାଯାଇନି । ବିରୋଧୀ ଚିରାଚରିତ ଭାବେ ଏମିତି ଅଭିଯୋଗ ଆଣନ୍ତି, କିଛି ନୂଆ ନୁହେଁ । ଏବେ ଯଦି ଦିଆ ହୋଇନି ଆଗକୁ ଦିଆଯିବ।

କିଛି ଦିନ ପୂର୍ବରୁ ପ୍ରକାଶ ପାଇଥିବା ଏଡିଆର ରିପୋର୍ଟ ଅନୁସାରେ ଦ୍ୱିତୀୟ ଧନୀ ଆଞ୍ଚଳିକ ଦଳ ହେଉଛି ବିଜେଡି । ଏପରିକି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଦ୍ୱିତୀୟ ଧନୀ ମୁଖ୍ୟମନ୍ତ୍ରୀ ବୋଲି ରିପୋର୍ଟ ପ୍ରକାଶ ପାଇଥିଲା ।