ଅର୍ଚ୍ଚନା ନାଗ ମାମଲାରେ ଅକ୍ଷୟ ପରିଜାଙ୍କୁ ଇଡିର ମାରଥନ ଜେରା। ଆଜି ହାଜର ହୋଇପାରନ୍ତି ଶ୍ରଦ୍ଧାଞ୍ଜଳି।

68

କନକ ବ୍ୟୁରୋ: :ଅଚ୍ଚର୍ନା ନାଗ ମାମଲାରେ ଇଡି ପ୍ରଯୋଜକ ଅକ୍ଷୟ ପରିଜାଙ୍କୁ ମାରାଥନ ଜେରା କରିଛି । ପ୍ରାୟ ୯ ଘଂଟା ଜେରା ପରେ ଇଡି କାର୍ଯ୍ୟାଳୟରୁ ବାହାରିଛନ୍ତି ଅକ୍ଷୟ ପରିଜା । ଆଉ ବାହାରିବା ପରେ କହିଛନ୍ତି, ତଦନ୍ତରେ ପୁରା ସହଯୋଗ କରିବେ । ଇଡି ଯାହା ପ୍ରଶ୍ନ ପଚାରିଥିଲେ ସେ ଉପରେ ସମସ୍ତ ଜବାବ ଦେଇଥିବା କହିଛନ୍ତି ପରିଜା । ଶ୍ରଦ୍ଧାଞ୍ଜଳିଙ୍କ ସହ ତାଙ୍କର କଣ ଥିଲା ସମ୍ପର୍କ, କିପରି ତାଙ୍କୁ ବ୍ଲାକମେଲ କରାଯାଉଥିଲା, ଅର୍ଚ୍ଚନାଙ୍କ ଭୂମିକା ଏଥିରେ କଣ, ବ୍ଲାକମେଲ ପରେ ଅର୍ଚ୍ଚନାଙ୍କୁ କେତେ ଟଙ୍କା ଦେଇଛନ୍ତି, ଏଭଳି ଅନେକ ପ୍ରଶ୍ନର ଜବାବ ରଖିଛନ୍ତି ପ୍ରଯୋଜକ ଅକ୍ଷୟ ପରିଜା ।

ସେପଟେ ଆଜି ଶ୍ରଦ୍ଧାଞ୍ଜଳିଙ୍କୁ ହାଜର ହେବା ପାଇଁ ନୋଟିସ୍ କରିଛି ଇଡି । ଶ୍ରଦ୍ଧାଞ୍ଜଳି ହେଉଛନ୍ତି ସେହି ଯୁବତୀ ଯାହାଙ୍କ ଅଭିଯୋଗ ଆଧାରରେ ଅର୍ଚ୍ଚନାଙ୍କୁ ବାନ୍ଧିଥିଲା ପୋଲିସ । ସେ ଖଣ୍ଡଗିରି ଥାନାରେ ଦେଇଥିବା ଏତଲା ଆଧାରରେ ପୋଲିସ ଅର୍ଚ୍ଚନା, ଜଗବନ୍ଧୁ, ଖଗେଶ୍ୱର ଓ ଅନ୍ୟମାନଙ୍କ ବିରୋଧରେ ବିଭିନ୍ନ ଦଫା ସହିତ ଆଇଟି ଆକ୍ଟରେ ମାମଲା ରୁଜୁ କରିଥିଲା । ହେଲେ, ଏଫଆଇଆର ଦେବା ପରେ ସେ ଆଉ ସାମନାକୁ ଆସିନାହାଁନ୍ତି । ଏବେ ଗିରଫଦାରୀକୁ ଏଡ଼ାଇବାକୁ ଆଗୁଆ ହାଇକୋର୍ଟର ଦ୍ୱାରସ୍ତ ମଧ୍ୟ ହୋଇଛନ୍ତି । ଯାହା ଅନେକ ସନ୍ଦେହ ସୃଷ୍ଟି କରିଛି । ଅର୍ଚ୍ଚନାଙ୍କ ନାଗଫାଶରେ ବହୁ ବ୍ୟବସାୟୀ, ନେତା, ଅଫିସର ପଡିଥିବା ଚର୍ଚ୍ଚା ଭିତରେ ସମନ ପାଇ ଇଡିରେ ହାଜର ହୋଇଛନ୍ତି ବ୍ୟବସାୟୀ ଅମିୟ ଦାସ । ତାଙ୍କ ଆକାଉଂଟରୁ ଅର୍ଚ୍ଚନାଙ୍କ ପାଖକୁ ୭ଲକ୍ଷ ଟଙ୍କା ଯାଇଥିବା ସୂଚନା ପାଇଥିଲା ଇଡି । ଆଉ ଯାହାକୁ ଇଡି ଆଗରେ ସ୍ୱୀକାର କରିଛନ୍ତି ନିଜେ ଅମିୟ ।