କନକ ବ୍ୟୁରୋ : ତୃତୀୟ ପର୍ଯ୍ୟାୟ ମତଦାନ ବେଳେ ବିଞ୍ଝାରପୁରରେ ଖବର ସଂଗ୍ରହ ପାଇଁ ଯାଇଥିବା ସାମ୍ବାଦିକଙ୍କୁ ଆକ୍ରମଣ ଘଟଣାରେ ରାଜ୍ୟ ନିର୍ବାଚନ କମିଶନଙ୍କୁ ଭେଟିଲେ ବିଭିନ୍ନ ଗଣମାଧ୍ୟମର ସମ୍ପାଦକ । ସାମ୍ବାଦିକଙ୍କ ଏକ ପ୍ରତିନିଧି ଦଳ ନିର୍ବାଚନ କମିଶନଙ୍କୁ ଭେଟି ଆଲୋଚନା କରିଛନ୍ତି । ନିର୍ବାଚନ ବେଳେ ଖବର ସଂଗ୍ରହ କରିବାକୁ ଯାଉଥିବା ସାମ୍ବାଦିକଙ୍କୁ ସୁରକ୍ଷା ପ୍ରଦାନ କରିବାକୁ ଦାବି କରିଛନ୍ତି । ଏହା ସହ ଘଟଣାରେ ସଂପୃକ୍ତ ବ୍ୟକ୍ତିଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଦାବି ହୋଇଛି ।
ଅନ୍ୟପଟେ ଯାଜପୁର ବାଛୁଳରେ ସାମ୍ବାଦିକଙ୍କ ଉପରେ ହୋଇଥିବା ଆକ୍ରମଣ ଘଟଣାରେ ଜିଲ୍ଲାପାଳଙ୍କ ନିର୍ଦ୍ଦେଶ । ସାମ୍ବାଦିକଙ୍କୁ ମାଡ ମାରିଥିବା ଦୁବୃର୍ତ୍ତଙ୍କୁ ଚିହ୍ନଟ କରାଯିବା ସହ କଡା କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଜିଲ୍ଲାପାଳ ଚକ୍ରବର୍ତ୍ତୀ ସିଂ ରାଠୋର କହିଛନ୍ତି । ପୋଲିସର ସ୍ୱତନ୍ତ୍ର ଟିମ୍ ସାମ୍ବାଦିକଙ୍କୁ ଆକ୍ରମଣ କରିଥିବା ଯୁବକଙ୍କୁ ଖୋଜୁଛି । ଜିଲ୍ଲାପାଳ କଡା ଚେତାବନୀ ଦେବା ସହ କହିଛନ୍ତି, ନିର୍ବାଚନ ସମୟରେ ଖବର ସଂଗ୍ରହ କରୁଥିବା ସାମ୍ବାଦିକଙ୍କୁ ଦୁବ୍ୟବହାର କଲେ ମଧ୍ୟ କଡା କାର୍ଯ୍ୟାନୁଷ୍ଠାନ ନିଆଯିବ । ଏହାସହ ଆକ୍ରମଣର ଶିକାର ହୋଇଥିବା ସାମ୍ବାଦିକଙ୍କ ସ୍ୱାସ୍ଥ୍ୟବସ୍ଥା ପଚାରି ବୁଝିଥିଲେ ଜିଲ୍ଲାପାଳ ।
ଆଜି ମତଦାନ ଚାଲିଥିବା ବେଳେ ବିଞ୍ଝାରପୁରର ବାଛଳ ପଂଚାୟତରେ ୨ ଓ ୪ ନମ୍ବର ବୁଥରେ ବୁଥ ଜବରଦଖଲ ହେଉଥିବା ଖବର ଆସିଥିଲା । ଏହି ସମୟରେ ଖବର ସଂଗ୍ରହ କରିବାକୁ ଯାଇଥିବାବେଳେ ୩ ଜଣ ସାମ୍ବାଦିକଙ୍କୁ ଆକ୍ରମଣ କରିଛନ୍ତି ଦୁର୍ବୃତ । ଏହି ସମୟରେ ଦୁର୍ବର୍ୃତମାନେ ଭୋଟବାକ୍ସକୁ ପୋଖରୀକୁ ଫିଙ୍ଗୁଥିଲେ । ଆଉ ଏହାର ଭିଡିଓ ସୁଟ କରିବାବେଳେ ସାମ୍ବାଦିକ ଉପରେ ଅତର୍କିତ ଆକ୍ରମଣ କରିଥିଲେ । ସାମ୍ବାଦିକମାନେ ଗାଡି ଭିତରେ ପଶିଯିବାରୁ ମୋବାଇଲ ଛଡାଇବାକୁ ଉଦ୍ୟମ କରିଥିଲେ । ଅର୍ଗସ ଟିଭି ସାମ୍ବାଦିକଙ୍କୁ ମଧ୍ୟ ୨୦ ମିନିଟ ପାଇଁ ଅପହରଣ କରି ରଖିଥିଲେ । ଘଟଣାସ୍ଥଳରେ ପୁଲିସ ପଂହଚି ସେମାନଙ୍କୁ ଉଦ୍ଧାର କରିଥିଲା । କନକ ନ୍ୟୁଜର ସାମ୍ବାଦିକ ବିଜୟ ସାହୁ, କଳିଙ୍ଗ ଟିଭି ଓ ଅର୍ଗସର ସାମ୍ବାଦିକଙ୍କୁ ଆକ୍ରମଣ ହୋଇଛି । କେବଳ ସାମ୍ବାଦିକଙ୍କୁ ଆକ୍ରମଣ ହୋଇନି, ସାମ୍ବାଦିକଙ୍କ ଗାଡିକୁ ବି ଭାଙ୍ଗିଦେଇଛନ୍ତି ଦୁର୍ବୃତ ।