କନକ ବ୍ୟୁରୋ : ଦିଲ୍ଲୀରେ ପହଞ୍ଚିଲାଣି ନୀଳଗିରିରେ ସାମ୍ବାଦିକଙ୍କ ଗୋଡରେ ବେଡ଼ି ପକାଯିବା ମାମଲା । ଏଡିଟର୍ସ ଗିଲ୍ଡ ଅଫ୍ ଇଣ୍ଡିଆ ଏହି ଘଟଣା ନେଇ ଗଭୀର ଉଦବେଗ୍ ପ୍ରକାଶ କରିବା ସହ କେନ୍ଦ୍ର ଗୃହ ମନ୍ତ୍ରାଳୟକୁ ଚିଠି ଲେଖିଛି । ସାମ୍ବାଦିକଙ୍କ ଉପରେ ହୋଇଥିବା ମାତ୍ରାଧିକ କାର୍ଯ୍ୟାନୁଷ୍ଠାନକୁ କଡା ନିନ୍ଦା କରିବା ସହ କେନ୍ଦ୍ର ଗୃହ ମନ୍ତ୍ରାଳୟ ତୁରନ୍ତ ହସ୍ତକ୍ଷେପ କରିବା ପାଇଁ ଅନୁରୋଧ କରିଛି । ସାମ୍ବାଦିକଙ୍କୁ ନ୍ୟାୟ ଦେବା ସହ ଜୁଲମ୍ କରୁଥିବା ପୁଲିସ କର୍ମଚାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି କରିଛି ଏଡିଟର୍ସ ଗିଲ୍ଡ ଅଫ୍ ଇଣ୍ଡିଆ । ନୀଳଗିରି ଘଟଣା ସହ ମଧ୍ୟପ୍ରଦେଶରେ ଥାନାରେ ସାମ୍ବାଦିକଙ୍କୁ ଅର୍ଦ୍ଧ ଉଲଗ୍ନ କରାଯିବାକୁ ନେଇ ମଧ୍ୟ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଛି । ଏଡିଟର୍ସ ଗିଲ୍ଡ ହେଉଛି, ଜାତୀୟ ସ୍ତରରେ ସାମ୍ବାଦିକଙ୍କ ସୁରକ୍ଷା ଓ ସ୍ୱାର୍ଥ ରକ୍ଷା ପାଇଁ କାମ କରୁଥିବା ସଂସ୍ଥା ।
ଅନ୍ୟପଟେ ଏହି ଘଟଣାରେ ନୀଳଗିରି ଆଇଆଇସି ଦ୍ରୌପଦୀ ଦାସଙ୍କୁ ବଦଳି କରାଯାଇଛି । ଦ୍ରୌପଦୀଙ୍କୁ ଜିଲ୍ଲା ମୁଖ୍ୟାଳୟକୁ ବଦଳି କରାଯାଇଛି । ସେହିଭଳି ଏହି ମାମଲାର ତଦନ୍ତ କରୁଥିବା ଅଧିକାରୀ ସୁବର୍ଣ୍ଣା ବେହେରାଙ୍କୁ ମଧ୍ୟ ବଦଳି କରାଯାଇଛି । ତଦନ୍ତ ଶେଷ ନ ହେବା ଯାଏଁ ଉଭୟଙ୍କୁ ଜିଲ୍ଲା ମୁଖ୍ୟାଳୟକୁ ବଦଳି କରାଯାଇଛି । ତେବେ ଏଠି ପ୍ରଶ୍ନ ଉଠୁଛି, ଆଇଆଇସିଙ୍କୁ ଟ୍ରାନ୍ସଫର କରାଗଲା କିନ୍ତୁ ସସପେଣ୍ଡ କରାଗଲା ନାହିଁ କାହିଁକି? ଏହି ଘଟଣାରେ ପୂର୍ବରୁ କଷ୍ଟଡି ଦାୟିତ୍ୱରେ ଥିବା ହାବିଲଦାରଙ୍କୁ ସସପେଣ୍ଡ କରାଯାଇଛି । ତଳିଆ କର୍ମଚାରୀ ବୋଲି କଣ ହାବିଲଦାରଙ୍କୁ ସସପେଣ୍ଡ କରାଯିବ ଏବଂ ବଡ ଅଫିସର ବୋଲି ଆଇଆଇସିଙ୍କୁ ଟ୍ରାନ୍ସଫର କରାଯିବ । ପୋଲିସ ବିଭାଗରେ ଇଏ କେମିତିକା ନ୍ୟାୟ? ଯଦି ହାବିଲଦାରଙ୍କୁ ସସପେଣ୍ଡ କରାଯାଇପାରୁଛି ସେତେବେଳେ ଆଇଆଇସି ଦ୍ରୌପଦୀଙ୍କୁ କାହିଁକି ସସପେଣ୍ଡ କରାଯିବନି ବୋଲି ପ୍ରଶ୍ନ କରିଛନ୍ତି ସାଧାରଣ ଲୋକେ । କର୍ତ୍ତବ୍ୟରତ ସାମ୍ବାଦିକଙ୍କୁ ଥାନାକୁ ଡାକି ଧକ୍କା ମାରିବା ଓ ହସ୍ପିଟାଲରେ ଗୋଡରେ ବେଡି ପକାଇବା କଣ ଛୋଟ ଅପରାଧ କି?
ସେହିଭଳି ସାମ୍ବାଦିକଙ୍କ ଗୋଡରେ ପୁଲିସ ବେଡି ପକାଇବା ଘଟଣାରେ ହସ୍ତକ୍ଷେପ କରିଛନ୍ତି ରାଜ୍ୟ ମାନବାଧିକାର କମିଶନ । ପୂର୍ବାଞ୍ଚଳ ଆଇଜିଙ୍କୁ ରିପୋର୍ଟ ମାଗିଛନ୍ତି । ନିଜ ଆଡୁ ହସ୍ତକ୍ଷେପ କରି, ରାଜ୍ୟ ମାନବାଧିକାର କମିଶନ କହିଛନ୍ତି ପୂର୍ବାଂଚଳ ଆଇଜି ସଂପୂର୍ଣ୍ଣ ଘଟଣାର ପୁଙ୍ଖାନୁପୁଙ୍ଖ ଅନୁଧ୍ୟାନ କରି ରିପୋର୍ଟ ଦିଅନ୍ତୁ । ଆସନ୍ତା ୧୫ ଦିନ ଭିତରେ ରିପୋର୍ଟ ଦେବାକୁ ନିର୍ଦେଶ ହୋଇଛି । ଏବଂ ଏହି ଅବଧି ଭିତରେ ବାଲେଶ୍ୱର ସିଡିଏମ ଓ ବିଏଚ୍ଓ ମଧ୍ୟ ତାଙ୍କ ରିପୋର୍ଟ ଦାଖଲ କରିବାକୁ କୁହାଯାଇଛି । ନିଳଗିରି ସାମ୍ବାଦିକ ଲୋକନାଥ ଦଳାଇଙ୍କ ଉପରେ ପୁଲିସର କାର୍ଯ୍ୟାନୁଷ୍ଠାନକୁ ନେଇ ସବୁ ଗଣମାଧ୍ୟମରେ ଖବର ପ୍ରକାଶ ପାଇଛି । ଏହି ଖବରକୁ ଗୁରୁତର ସହ ନେଇ ତଦନ୍ତ କରି ଆସନ୍ତା ୨୬ ତାରିଖ ସୁଦ୍ଧା ରିପୋର୍ଟ ଦେବାକୁ ପୂର୍ବାଂଚଳ ଆଇଜିଙ୍କୁ ନିର୍ଦେଶ ଦେଇଛନ୍ତି ରାଜ୍ୟ ମାନବାଧିକାର କମିଶନ । ସାମ୍ବାଦିକଙ୍କ ଗୋଡ଼ରେ ଶିକୁଳି ପକାଇବା ଘଟଣାରେ ହସ୍ତକ୍ଷେପ କରିଛନ୍ତି ଜିଲ୍ଲା ମାନବାଧିକାର କମିଶନ । ନୀଳଗିରିରେ ପହଂଚି ମାମଲାର ତଦନ୍ତ ଆରମ୍ଭ କରିବା ସହ ଥାନାରେ ପହଂଚି ଘଟଣା ସମ୍ପର୍କରେ ସବିଶେଷ ତଥ୍ୟ ନେଇଛନ୍ତି । ସେ ଏଭଳି ଅମାନୁଷିକ କାର୍ଯ୍ୟକୁ ସମାଲୋଚନା କରିଛନ୍ତି ।