ସମ୍ବାଦ- ଗୋଟେ ଆନ୍ଦୋଳନ, ଗୋଟେ ଚିନ୍ତାଧାରା, ଗୋଟେ ଭାବ, ଗୋଟେ ଅଭିଯାନ… ଲୋକଙ୍କୁ ଲୋକଙ୍କ ସହ ଯୋଡିବା ଆମ ମୂଳମନ୍ତ୍ର

727

କନକ ବ୍ୟୁରୋ: ସମ୍ବାଦର ସ୍ୱନକ୍ଷତ୍ର ଉତ୍ସବରେ ଅଭିଭାଷଣ ରଖିଲେ ସମ୍ବାଦର ସମ୍ପାଦକ ଶ୍ରୀମତୀ ତନୟା ପଟ୍ଟନାୟକ । ସମ୍ବାଦ ପରିବାରକୁ ଭଲପାଉଥିବା ଶୁଭେଚ୍ଛୁ, ପାଠକଙ୍କୁ ଦେଲେ ଧନ୍ୟବାଦ । କହିଲେ, ଆସନ୍ତାକାଲି ସମ୍ବାଦ ୪୦ ବର୍ଷରେ ଏବଂ କନକ ନ୍ୟୁଜ ୧୫ ବର୍ଷରେ ପଦାର୍ପଣ କରିବାକୁ ଯାଉଛି । ସମ୍ବାଦ ଯେତେବେଳେ ଜନ୍ମ ହୋଇଥିଲା ମୁଁ ଜନ୍ମ ହୋଇ ନଥିଲି । ସମ୍ବାଦ ଯେତେବେଳେ ୫ ବର୍ଷର ହେଲା ମୋର ସେତେବେଳେ ଜନ୍ମ ହୋଇଥିଲା । ତାପର ଠାରୁ ସମ୍ବାଦର ଉପସ୍ଥିତି ମୋ ଜୀବନରେ ସବୁବେଳେ ରହି ଆସିଛି । ଯେମିତି ବାପା, ମାଆ, ଅପା, ଜେଜେମା- ସେମିତି ସମ୍ବାଦ । ଯେତେବେଳେ ସମ୍ବାଦ କିଏ, ସମ୍ବାଦ କଣ ? ସମ୍ବାଦ ଜଣେ ବ୍ୟକ୍ତି ନା ଅନୁଷ୍ଠାନ ନା ଖବର କାଗଜ, ତାହା ଜାଣିବାର ପରିପକ୍ୱତା ମୋର ଆସି ନଥିଲା ସେବେଠୁ ସମ୍ବାଦ ମୋ ସହ ଅଛି । ସମ୍ବାଦର ସମ୍ପାଦକ ଭାବେ ଦାୟିତ୍ୱ ଗ୍ରହଣ ପରେ ଅନେକ ଶୁଭେଚ୍ଛା, ଅଭିନନ୍ଦନ ଓ ଆଶୀର୍ବାଦ ମୋ ଆତ୍ମବିଶ୍ୱାସକୁ ହଜାରେ ଗୁଣା ବଢାଇ ଦେଇଛି ।

୪୦ ବର୍ଷ ଭିତରେ ସମ୍ବାଦ ସମସ୍ତଙ୍କ ମନରେ, ସମସ୍ତଙ୍କ ହୃଦୟରେ ଏକ ସ୍ୱତନ୍ତ୍ର ସ୍ଥାନ ତିଆରି କରିଛି । ତେଣୁ ସମ୍ବାଦ ପରିବାର ସବୁବେଳେ ପାଇଁ ଆପଣଙ୍କ ପାଖରେ ଋଣୀ । ୪୦ ବର୍ଷ ତଳେ ମୋ ବାପା ତଥା ସମ୍ବାଦର ପୂର୍ବତନ ସମ୍ପାଦକ ସୌମ୍ୟରଞ୍ଜନ ପଟ୍ଟନାୟକ ସମ୍ବାଦକୁ ଜନ୍ମ ଦେଇଥିଲେ । ସେ ତାଙ୍କର ରକ୍ତ, ଝାଳ, ଲୁହ ସବୁ ଦେଇ ଏ ଅନୁଷ୍ଠାନକୁ ଗଢିଛନ୍ତି । ଆଜି ସମ୍ବାଦ କେବଳ ଏକ ଅନୁଷ୍ଠାନ ନୁହେଁ ସମ୍ବାଦ- ଗୋଟେ ଆନ୍ଦୋଳନ, ଗୋଟେ ଚିନ୍ତାଧାରା, ଗୋଟେ ଭାବ, ଗୋଟେ ଅଭିଯାନ ।

ଯେତେବେଳେ ଲକ୍ଷ ଲକ୍ଷ ଛାତ୍ରଛାତ୍ରୀ ସମ୍ବାଦର ଭାଷାଜ୍ଞାନ ପରୀକ୍ଷାରେ ଭାଗ ନିଅନ୍ତି, ଯେତେବେଳେ ସାରା ଓଡିଶାରେ ସମ୍ବାଦ ରକ୍ତଦାନ ଶିବିର ଆୟୋଜନ କରେ, ଯେତେବେଳେ ରେଡିଓ ଚକଲେଟ ଓଡିଆ ସ୍ୱାଦ ନେଇ ଘରେ ଘରେ ମନୋରଞ୍ଜନ କରେ, ଯେତେବେଳେ କନକ ନ୍ୟୁଜ ମାଧ୍ୟମରେ ଆମେ ପରିବର୍ତ୍ତନର ସ୍ୱର ସାଜୁ, ଯେତେବେଳେ ସମ୍ବାଦ ସାହିତ୍ୟ ଓ ଭାଷାକୁ ଶ୍ରଦ୍ଧା, ସମ୍ମାନ ଦିଏ, ଯେତେବେଳେ ‘ଆହେ ନୀଳ ଶଇଳ’ ନାଟକ ମାଧ୍ୟମରେ ଲୋକଙ୍କ ଆଖିରେ ଲୁହ ଆସେ ସେତେବେଳେ ସମ୍ବାଦ ପରିବାରର ସଦସ୍ୟ ଭାବରେ ମୋ ଛାତି ଗର୍ବରେ ଫୁଲି ଉଠେ ବୋଲି ଶ୍ରୀମତୀ ତନୟା ପଟ୍ଟନାୟକ ନିଜ ଅଭିଭାଷଣରେ କହିଛନ୍ତି ।

ତେବେ ଗଣମାଧ୍ୟମର ମୁଖ୍ୟ କାମ ହେଲା ଲୋକଙ୍କୁ ଲୋକଙ୍କ ସହ ଯୋଡିବା । ଆଜି ନେତୃତ୍ୱରେ ପରିବର୍ତ୍ତନ ଆସିଥାଏ ସତ ହେଲେ ଏହି ମୂଳମନ୍ତ୍ର ବଦଳିନାହିଁ ବୋଲି ସୌମ୍ୟ ରଞ୍ଜନ ପଟ୍ଟନାୟକଙ୍କ କଥାକୁ ଉଦ୍ଧୃତ କରି ଶ୍ରୀମତୀ ତନୟା ପଟ୍ଟନାୟକ କହିଛନ୍ତି । ନୂଆ ଯାତ୍ରା ପାଇଁ ପାଠକ, ଦର୍ଶକ, ଶୁଭେଚ୍ଛୁଙ୍କ ସହଯୋଗ ଓ ଆଶୀର୍ବାଦ କାମନା କରିବା ସହ ସମ୍ବାଦ ପରିବାରର ପ୍ରତି ସଦସ୍ୟଙ୍କୁ ସେମାନଙ୍କ ତ୍ୟାଗ, ପରିଶ୍ରମ ପାଇଁ କୃତଜ୍ଞତା ଜ୍ଞାପନ କରିଛନ୍ତି ।