ରୋଷେଇ ଶାଳ ଉପରେ ଯୁଦ୍ଧର ପ୍ରଭାବ । ଖାଇବା ତେଲର ଦାମ ବଢିଲା ୫୦ଟଙ୍କା ।

1,310

କନକ ବ୍ୟୁରୋ : ଗତ କିଛି ଦିନ ହେଲା ରାଜ୍ୟରେ ସୂର୍ଯ୍ୟମୁଖ୍ୟ ସମେତ ବିଭିନ୍ନ ଖାଇବା ତେଲ ଦର ବଢ଼ିଯାଇଛି । ଏହାପଛରେ ୟୁକ୍ରେନ ଓ ରୁଷ୍ ଯୁଦ୍ଧ ବୋଲି କୁହାଯାଉଛି । ତେବେ ଅଚାନକ ତେଲ ଦର ବୃଦ୍ଧି ସାଧାରଣ ଲୋକଙ୍କୁ ଆଶ୍ଚର୍ଯ୍ୟ କରିଛି ।

ରୋଷେଇ ଶାଳ ଉପରେ ଯୁଦ୍ଧର ପ୍ରଭାବ । ଖାଇବା ତେଲର ଦାମ ବଢିଲା ୫୦ଟଙ୍କା । ରୁଷ ଓ ୟୁକ୍ରେନ ମଧ୍ୟରେ ଚାଲିଥିବା ଯୁଦ୍ଧ ରୋଷେଇଶାଳା ଉପରେ ମାଡ କରିଛି । ରାଜଧାନୀ ଭୁବନେଶ୍ୱର ସମେତ ଓଡିଶାର ବିଭିନ୍ନ ସ୍ଥାନରେ ଖାଇବା ତେଲ ଲିଟର ପିଛା ୪୦ରୁ ୫୦ ଟଙ୍କା ଅଧିକ ଦାମରେ ବିକ୍ରି ହେଉଛି । ବିଭିନ୍ନ ନାମୀଦାମୀ ବ୍ରାଣ୍ଡର ଖାଇବା ତେଲ ଏବେ ୧୬୦ରୁ ୧୮୦ଟଙ୍କା ଦରରେ ବିକ୍ରି ହେଉଛି । ଓଡିଶା ବଜାରରେ ସୂର୍ଯ୍ୟମୁଖୀ, ପାମୋଲିନ୍ ତେଲ ଦର ଆକାଶ ଛୁଆଁ ହୋଇଯାଇଛି । ବିଭିନ୍ନ ସ୍ଥାନରେ ତେଲର କୃତ୍ରିମ ସଂକଟ ସୃଷ୍ଟି କରି କଳାବଜାରୀ କରାଯାଉଥିବା ଅଭିଯୋଗ ହୋଇଛି ।

ଯୁଦ୍ଧ ଯୋଗୁଁ ଖାଇବା ତେଲ ଆମଦାନୀ ବାଧାପ୍ରାପ୍ତ ହୋଇଛି । ବିଶେଷ କରି ୟୁକ୍ରେନ ଓ ରୁଷରୁ ସୂର୍ଯ୍ୟମୁଖୀ ଓ ପାମୋଲିନ୍ ତେଲ ଆମଦାନୀ ଏବେ ଯୁଦ୍ଧ ଯୋଗୁଁ ଅଟକି ରହିଛି, ଓ ଏପଟେ ବଜାରରେ ଦର ବଢୁଛି । ସେପଟେ ଓଡିଶା ବ୍ୟବସାୟୀ ମହାସଂଘ କହିଛି, ବଜାରରେ ତେଲର ସଙ୍କଟ ନାହିଁ । ଯୁଦ୍ଧ ଯୋଗୁଁ ତେଲ ଦର କିଛିଟା ବଢିଯାଇଛି । ଏକ ରିପୋର୍ଟ ଅନୁସାରେ,

ଭାରତ ବର୍ଷକୁ ୨ କୋଟି ଟନ୍ ଖାଇବା ତେଲ ବାହାରୁ ଆମଦାନୀ କରିଥାଏ
ବର୍ଷକୁ ଓଡିଶାରେ ୫ଲକ୍ଷ ଟନରୁ ୬ ଲକ୍ଷ ଟନ୍ ଖାଇବା ତେଲ ଦରକାର
ରାଜ୍ୟରେ ପ୍ରତିଦିନ ଦେଢରୁ ୨ ହଜାର ଟନ୍ ଖାଇବା ତେଲ ଆବଶ୍ୟକ
ଏଥିରୁ ୨୫ ପ୍ରତିଶତ ସୂର୍ଯ୍ୟମୁଖୀ ଓ ୨୦ ପ୍ରତିଶତ ପାମୋଲିନ ତେଲ

ଯୁଦ୍ଧ ଯୋଗୁଁ ସୂର୍ଯ୍ୟମୁଖୀ ପାମୋଲିନ୍ ତେଲ ଆମଦାନୀ ବାଧାପ୍ରାପ୍ତ ହୋଇଛି । କିନ୍ତୁ ତୈଳ ସଂକଟ ସ୍ଥିତି ନାହିଁ, ତେଣୁ କଳାବଜାରୀ କରୁଥିବା ବ୍ୟବସାୟୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରିଛି ଓଡିଶା ବ୍ୟବସାୟୀ ମହାସଂଘ ।