ମୁଖ୍ୟମନ୍ତ୍ରୀଙ୍କ ବିଭାଗରେ ଥ୍ରୀ-ଟି କୁଆଡେ ଗଲା ?

ଗତ ଅଗଷ୍ଟ ମାସରୁ ମୁଖ୍ୟମନ୍ତ୍ରୀଙ୍କ ଅଧିନରେ ଥିବା ବିଭାଗରେ ହୋଇନାହିଁ କୌଣସି ଚିଠିର କାରବାର, ସାମ୍ନାକୁ ଆସିଲା ଇ-ଡେସପାଚର ସାଂଘାତିକ ସତ ।

383

କନକ ବ୍ୟୁରୋ: ପଦାରେ ପଡ଼ିଲା ମୁଖ୍ୟମନ୍ତ୍ରୀଙ୍କ ଥ୍ରୀ-ଟି ସ୍ଲୋଗନର ସତ । ଗତ କିଛି ଦିନ ହେବ ଇ-ଡେସପାଚର ବିଭିନ୍ନ ବିଭାଗ ଅଚଳ ପଡ଼ି ରହିଥିବା ବେଳେ ସାମ୍ନାକୁ ଆସିଛି ଚମକାଇ ଦେଲା ଭଳି ଘଟଣା । ସରକାରୀ ତଥ୍ୟ ଭଣ୍ଡାର ବୋଲାଉଥିବା ଇ-ଡେସପାଚରେ ଖୋଦ ମୁଖ୍ୟମନ୍ତ୍ରୀଙ୍କ ଅଧିନରେ ଥିବା ସାଧାରଣ ପ୍ରଶାସନ ବିଭାଗ ଯେମତି ପଙ୍ଗୁ ପାଲଟି ଯାଇଥିବା ଦେଖିବାକୁ ମିଳିଛି । କାରଣ ଗତ ଅଗଷ୍ଟ ମାସରୁ ଏହି ବିଭାଗର ନା କୌଣସି ଯୋଜନାର ତଥ୍ୟ ନା କୌଣସି ପ୍ରଶାସନିକ ଚିଠିର ହୋଇଛି ଆଦାନ ପ୍ରଦାନ । ଏପରିକି ଗତ ଏପ୍ରିଲ ମାସରୁ ଏହି ବିଭାଗକୁ କୌଣସି ବି ଯୋଜନା କିମ୍ବା ଚିଠି ପ୍ରଶାସନିକ ସ୍ତରରୁ ପ୍ରାପ୍ତି ହୋଇନାହିଁ ଯାହା ଏବେ ଅନେକ ପ୍ରଶ୍ନ ଛିଡ଼ା କରିଛି ।

ଗତବର୍ଷ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଥ୍ରୀ-ଟି ଟ୍ରାନ୍ସପରେନ୍ସି, ଟିମ୍ ୱାର୍କ ଓ ଟେକ୍ନୋଲୋଜୀ ଉପରେ ଗୁରୁତ୍ୱ ଦେଇ ଲୋକମାନଙ୍କ ସହିତ ଯୋଡ଼ି ହେବାକୁ ସରକାରୀ କଳକୁ ଦାୟିତ୍ୱ ଦେଇଥିଲେ । କିନ୍ତୁ ଗତ କିଛି ଦିନ ହେବ ଏଥିରେ ଜଣାପଡ଼ୁ ନାହିଁ । କ’ଣ ଏଯାବତ୍ ଏପ୍ରିଲ ମାସରୁ ମୁଖ୍ୟମନ୍ତ୍ରୀଙ୍କ ସାଧାରଣ ପ୍ରଶାସନିକ ବିଭାଗରେ କିଛି ଯୋଜନା କାର୍ଯ୍ୟକାରୀ ହୋଇନାହିଁ ନା କିଛି ତଥ୍ୟ ଇ-ଡେସପାଚର ଭଣ୍ଡାରରେ ମହଜୁତ କରିବାକୁ ମନ ବଳାଉ ନାହାନ୍ତି ସରକାରୀ ବାବୁ? ଏ ତମାମ ପ୍ରଶ୍ନର ଉତ୍ତର ଏବେ ଖୋଜୁଛନ୍ତି ରାଜ୍ୟବାସୀ । ଲାଗୁଛି ଯେମିତି ପ୍ରହସନ ପାଲଟିଛି ମୁଖ୍ୟମନ୍ତ୍ରୀ ଙ୍କ ଥ୍ରୀ-ଟି ଯୋଜନା ।

ନିଜ ବିଭାଗ ଅଧିନରେ ଥିବା ତଥ୍ୟ ସମ୍ବଳିତ ଚିଠା ଭଣ୍ଡାର ଇ-ଡେସପାଚରେ କଳଙ୍କି ଲାଗିଯାଇଥିବା ପ୍ରତିଫଳିତ ହୋଇଛି । କେବଳ ଏତିକି ନୁହେଁ ଗତ ଦୁଇ ୨୦ ଦିନରୁ ଅଧିକ ହେବ ଇ-ଡେସପାଚରେ ଥିବା ୩୦ରୁ ଉଦ୍ଧ୍ୱର୍ ବିଭାଗ କ’ଣ ଚିଠି ପାଇଛନ୍ତି ତାହାର ଟେର୍ ପାଉ ନାହାନ୍ତି ଜନତା । ଏପରିକି ଅଭିଯୋଗ ହୋଇଛି ଯେ ସରକାରୀ ତଥ୍ୟ ଯେପରି ଲୋକଙ୍କ ପାଖରେ ନ ପହଞ୍ଚିବ ସେଥିପାଇଁ ସରକାରୀ ଅଧିକାରୀମାନେ ସୁଚିନ୍ତିତ ଷଡ଼ଯନ୍ତ୍ର ରଚିଛନ୍ତି । ଏଥିପାଇଁ ଅଧିକା˚ଶ ବିଭାଗ ଇ-ଡେସପାଚରେ ଚିଠି ମାସ ମାସ ଧରି ଦେଉନାହାନ୍ତି କି ଅନ୍ୟ ବିଭାଗ ସହ ଯୋଗାଯୋଗ ରଖୁନାହାନ୍ତି । ନିଜ ଇଚ୍ଛାରେ ଇ-ଡେସପାଚରେ ଚିଠି ଖଣ୍ତେ ଛାଡ଼ି ଦେଉଛନ୍ତି । ଏପରିକି ୨୦୧୭ ମସିହା ପରଠାରୁ ୮ରୁ ଅଧିକ ବିଭାଗ ଇ-ଡେସପାଚରେ ଅପ୍ ଟୁ ଡେଟ୍ ତଥ୍ୟ ଦେଉନାହାନ୍ତି ବୋଲି ଅଭିଯୋଗ ହୋଇଛି ।