କନକ ବ୍ୟୁରୋ : ଆଜି ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କୁ ଜେରା କରିବ ଇଡ଼ି, ବଢିଲା ଗିରଫଦାରୀର ଭୟ । ପତ୍ନୀଙ୍କୁ ଧରି ଦଳୀୟ ନେତା କର୍ମୀଙ୍କ ସହ ହେମନ୍ତଙ୍କ ଘନ ଘନ ବୈଠକ, ସ୍ତ୍ରୀ କଳ୍ପନା ସୋରେନ ଆଗାମୀ ମୁଖ୍ୟମନ୍ତ୍ରୀ ହେବା ନେଇ ଦଳ ମଧ୍ୟରେ ଚର୍ଚ୍ଚା । ଜମି ଦୁର୍ନୀତି ମାମଲାରେ ଝାରଖଣ୍ଡ ମୁଖ୍ୟମନ୍ତ୍ରୀଙ୍କ ମୁଣ୍ଡ ଉପରେ ଗିରଫଦାରୀର ଖଣ୍ଡା ଝୁଲୁଛି । ଏହାରି ମଧ୍ୟରେ ଦୀର୍ଘ ୪୦ଘଣ୍ଟା ଧରି ଲୁଚକାଳି ଖେଳିବା ପରେ ମଙ୍ଗଳବାର ହେମନ୍ତ ସୋରେନ ରାଞ୍ଚିରେ ପହଁଚିଥିବା ବେଳେ ଦଳୀୟ କର୍ମୀଙ୍କ ସହ ଘନ ଘନ ବୈଠକ କରିଛନ୍ତି ।

Advertisment

ଇଡି ଜେରା ପରେ ତାଙ୍କୁ ଗିରଫ କରିବାର ସମ୍ଭାବନା ରହିଛି । ଏପରି ହେଲେ ପତ୍ନୀ କଳ୍ପନା ସୋରେନ ରାଜ୍ୟର ମୁଖ୍ୟମନ୍ତ୍ରୀ ଭାବେ ଦାୟିତ୍ୱ ନେବାକୁ ସେ ଦଳୀୟ ବିଧାୟକ ସାଂସଦ ଓ ନେତାଙ୍କ ସହ ବିଚାରବିର୍ମଶ କରିଥିବା ଚର୍ଚ୍ଚା ହେଉଛି । ଲୋକସଭା ନିର୍ବାଚନ ଆଗକୁ ଆସୁଥିବା ବେଳେ ଝାଡ଼ଖଣ୍ଡରେ ରାଜନୈତିକ ଅସ୍ଥିରତା ସୃଷ୍ଟି କରିବାକୁ ତାଙ୍କୁ ଗିରଫ କରାଯାଇପାରେ ବୋଲି ହେମନ୍ତ ଅଭିଯୋଗ ଆଣିବା ସହ ଇଡି ଅଧିକାରୀଙ୍କ ସମ୍ମୁଖରେ ହାଜର ହୋଇ ଜେରାର ସମ୍ମୁଖୀନ ହେବେ ବୋଲି ସେ କହିଛନ୍ତି । ଏହା ପୂର୍ବରୁ ୨୦ଜାନୁଆରୀରେ ହେମନ୍ତଙ୍କୁ ଇଡି ଅଧିକାରୀ ତାଙ୍କ ସରକାରୀ ବାସଭବନରେ ୮ଘଂଟା ଧରି ପଚରାଉଚରା କରିଥିଲେ । ଆଜି ପୁଣିଥରେ ଇଡି ଅଧିକାରୀ ମାନେ ତାଙ୍କୁ ପଚରା ଉଚରା କରିବା ସହିତ ଗିରଫ କରିବାର ସମ୍ଭାବନା ରହିଛି । ମୁଖ୍ୟମନ୍ତ୍ରୀଙ୍କ ବାସଭବନ, ଇଡି କାର୍ଯ୍ୟାଳୟ ସମେତ ବିଭିନ୍ନ ସ୍ଥାନରେ ପୋଲିସ ପକ୍ଷରୁ ସୁରକ୍ଷା ବ୍ୟବସ୍ଥାକୁ ମଧ୍ୟ କଡ଼ାକଡି କରାଯାଇଛି ।