ଅର୍ଚ୍ଚନା ମାମଲା : ଫିଲ୍ମ ପ୍ରଯୋଜକ ପ୍ରମୋଦ ସ୍ୱାଇଁଙ୍କୁ ୧୨ ଘଣ୍ଟା ଜେରା କଲା ଇଡି

87

କନକ ବୁରୋ : ଫିଲ୍ମ ପ୍ରଯୋଜକ ଖୋଲିଲେ ଅର୍ଚ୍ଚନା ଗୁମର । ଦୀର୍ଘ ୧୨ ଘଣ୍ଟାର ଜେରା ପରେ ଇଡି ଅଫିସରୁ ବାହାରିଛନ୍ତି ଫିଲ୍ମ ପ୍ରଯୋଜକ ତଥା ବିଲ୍ଡର ପ୍ରମୋଦ ସ୍ୱାଇଁ । ଆଉ ଇଡିରୁ ବାହାରିବା ପରେ ସେ କହିଛନ୍ତି, ଇଡି ଯେଉଁ ପ୍ରଶ୍ନ ପଚାରିଛି ତାର ଉତର ସେ ଦେଇଛନ୍ତି । ଅର୍ଚ୍ଚନା ତାଙ୍କ ଘରେ ଭଡାକୁ ରହୁଥିଲେ । ସେ ସମୟରେ ଅର୍ଚ୍ଚନାଙ୍କ ଆର୍ଥିକ ଅବସ୍ଥା ଭଲ ନଥିଲା । ଭଡା ଟଙ୍କା ମାଗିବାକୁ ଏହାକୁ ଦେବାକୁ ସେ ମନା କରିଥିଲେ । ଘର ଛାଡିବାକୁ ୫ଲକ୍ଷ ଟଙ୍କା ଦେବାକୁ ବ୍ଲାକମେଲ କରିଥିଲେ ଅର୍ଚ୍ଚନା ।

ପ୍ରମୋଦ ସ୍ୱାଇଁ ହେଉଛନ୍ତି ସେହି ବ୍ୟକ୍ତି ଯାହାଙ୍କ ଘରେ ୨୦୧୬ ମସିହାରେ ଅର୍ଚ୍ଚନା ନାଗ ଭଡ଼ାରେ ରହୁଥିଲେ । ଏହ ପରେ ସମାନ ଘରେ ୨୦୧୮ରେ ଶ୍ରଦ୍ଧାଞ୍ଜଳି ବେହେରା ଭଡ଼ାରେ ରହୁଥିଲେ । ପ୍ରମୋଦ ସ୍ୱାଇଁ ପେସାରେ ଜଣେ ଫିଲ୍ମ ପ୍ରଯୋଜକ ସହିତ ଜଣେ ବିଲଡର । ତାଙ୍କ ଆକାଉଣ୍ଟରୁ ଅର୍ଥନୈତିକ କାରବାର ହୋଇଥିବା ସୁରାକ ପାଇବା ପରେ ସମନ କରିଥିଲା ଇଡି । କ’ଣ ପାଇଁ ଆର୍ଥିକ କାରବାର ହୋଇଥିଲା ତାର ଖିଅ ଖୋଜୁଛି ପ୍ରବର୍ତନ ନିର୍ଦ୍ଦେଶାଳୟ । ସବୁଠୁ ବଡ଼ କଥା ହେଲା ଅର୍ଚ୍ଚନାଙ୍କ ପରେ ସମାନ ଘରେ ରହୁଥିଲେ ଶ୍ରଦ୍ଧାଞ୍ଜଳି । ଏହା ସଂଯୋଗ ଥିଲା ନା ଉଦ୍ଦେଶ୍ୟ ମୂଳକ ଥିଲା ତାହାର ତଦନ୍ତ କରୁଛି ଇଡି । ଏସବୁ ଭିତରେ ସାମନାକୁ ଆସିଛି ୨୦୧୭ ମସିହାର ପ୍ରମୋଦଙ୍କ ବିରୋଧରେ ଅର୍ଚ୍ଚନା ଦେଇଥିବା ଏଫଆଇଆର କପି ।

ଏତଲାରେ ଅର୍ଚ୍ଚନା ଅଭିଯୋଗ କରିଥିଲେ, ପ୍ରମୋଦ ତାଙ୍କୁ ଫିଲ୍ମରେ ଅଭିନୟ କରିବାର ସୁଯୋଗ ଦେବାକୁ କହି ଲୋଭ ଦେଖାଇଥିଲେ । ମାସିକ ଦରମା ସହ ଘର ଦେବାକୁ କହିଥିଲେ । ତାପରେ ସୁଯୋଗ ଦେଖି ତାଙ୍କ ବାସଭବନରେ ଚାରେ କିଛି ନିଶାଦ୍ରବ୍ୟ ମିଶାଇ ତାଙ୍କର ନ୍ୟୁଡ ଫଟୋ ଓ ଭିଡିଓ କରିଥିଲେ । ଯାହାକୁ ଦେଖାଇ ବାରମ୍ବାର ତାଙ୍କୁ ଶାରୀରିକ ସମ୍ପର୍କ ରଖିବାକୁ ବାଧ୍ୟ କରୁଥିଲେ । ଏପରିକି ସେ ଗର୍ଭବତୀ ଥିବା ସମୟରେ ମଧ୍ୟ ତାଙ୍କ ସହ ସମ୍ପର୍କ ରଖିବାକୁ ବାଧ୍ୟ କରିଥିଲେ । ତେବେ ଅର୍ଚ୍ଚନା ଥାନାରେ ଅଭିଯୋଗ କରିବା ପୂର୍ବରୁ, ଭଡା ଦେଉନଥିବା ଅଭିଯୋଗ ଆଣି ଖଣ୍ଡଗିରି ଥାନାରେ ପ୍ରମୋଦ ଏତଲା ଦେଇଥିଲେ ।