୨୦୦ କୋଟି ଟଙ୍କା ହେରଫେର ମାମଲାରେ ଫସିଲେ ଅଭିନେତ୍ରୀ ନୋରା ଓ ଜ୍ୟାକଲିନ, ଜେରା ପାଇଁ ଇଡିର ନୋଟିସ

171

କନକ ବ୍ୟୁରୋ : ଦିଲ୍ଲୀର ତିହାର ଜେଲରେ ରହି ୨୦୦ କୋଟି ଟଙ୍କା ଆଦାୟ ରାକେଟରେ ଏବେ ନୂଆ ମୋଡ ନେଇଛି । ଏହି ମାମଲା ଏବେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ପକ୍ଷରୁ ଯାଂଚ କରାଯାଉଥିବା ବେଳେ ଦିନକୁ ଦିନ ଏହି ମାମଲାରେ ନୂଆ ନୂଆ ଅଭିଯୁକ୍ତଙ୍କ ନାମ ଯୋଡି ହେଉଛି । ଏବେ ବଲିଉଡ ଅଭିନେତ୍ରୀ ନୋରା ଫତେହୀ ଓ ଜ୍ୟାକଲିନ ଫର୍ଣ୍ଣାଡିଜଙ୍କୁ ଇଡି ପକ୍ଷରୁ ଜେରା ପାଇଁ ନୋଟିସ କରାଯାଇଛି ।

କହିରଖୁ କି ତିହାର ଜେଲ ଭିତରେ ଥାଇ ୨୦୦ କୋଟି ଟଙ୍କା ଚାନ୍ଦା ଆଦାୟ କରିବା ମାମଲାରେ ମୁକେଶ ଚନ୍ଦ୍ରଶେଖର ଓ ତାଙ୍କର କଥିତ ପତ୍ନୀ ଅଭିନେତ୍ରୀ ଲୀନା ପାଲ ଜେଲରେ ଅଛନ୍ତି । କୁହାଯାଉଛି କି ଏହି ଅର୍ଥ କାରବାରରେ ଚନ୍ଦ୍ରଶେଖର ଅଭିନେତ୍ରୀ ନୋରା ଫତେହୀଙ୍କ ଫସାଇବାକୁ ଚେଷ୍ଟା କରିଛନ୍ତି ।

କହିରଖୁ କି ନୋରା ବଲିଉଡରେ ଜଣେ ଅଲରାଉଣ୍ଡର, ସେ ଅନେକ ଆଇଟମ ଗୀତରେ ନୃତ୍ୟ କରିବା ସହ ଅନେକ ରିଅଲିଟି ସୋରେ ନଜରକୁ ଆସିଛନ୍ତି । ଏହାସହ ସେ ଷ୍ଟ୍ରିଟ୍ ଡେନ୍ସର, ବାଟଲା ହାଉସ, ୩ଡି ଭଳି ସିନେମାରେ ବି ଅଭିନୟ କରିସାରିଛନ୍ତି ।

ଅନ୍ୟପଟେ ଏହି ମାମଲାରେ ଅଭିନେତ୍ରୀ ଜ୍ୟାକଲିନ୍ ଫର୍ଣ୍ଣାଡିଜଙ୍କୁ ବି ଇଡି ତୃତୀୟ ଥର ପାଇଁ ନୋଟିସ କରିଛନ୍ତି । ତାଙ୍କୁ ଆସନ୍ତା କାଲି ଏମଟିଏନଏଲ ଠାରେ ଥିବା ଇଡିର ଅଫିସରେ ହାଜର ହେବାକୁ କୁହାଯାଇଛି ।
ସୂଚନା ମୁତାବକ ୨୦୦ କୋଟି ଟଙ୍କା ହେରଫେର ମାମଲାରେ ଅଭିଯୁକ୍ତ ମୁକେଶ ଚନ୍ଦ୍ରଶେଖର ଜେଲ ଭିତରୁ ଜ୍ୟାକଲିନଙ୍କୁ ଯୋଗା ଯୋଗ କରୁଥିଲେ । ଯାହାକୁ ନେଇ ଇଡି ଅନୁମାନ କରୁଛି କି ଏହି ଅର୍ଥ ଆଦାୟ ଓ ଏହାର କାରବାର ସହିତ ଜ୍ୟାକଲିନଙ୍କର ସଂପର୍କ ରହିଛି ।