କନକ ବ୍ୟୁରୋ : ନଭେମ୍ବର ୨୫ରେ ରାଜସ୍ଥାନ ବିଧାନସଭା ନିର୍ବାଚନ ପାଇଁ ପଡିବ ଭୋଟ । ଏହା ପୂର୍ବରୁ ହଲଚଲ ହୋଇଛି ରାଜ୍ୟରାଜନୀତି । ଗୁରୁବାର ଗେହଲଟ ସରକାରଙ୍କ ଅନେକ ନେତା, ମନ୍ତ୍ରୀ, ପ୍ରଦେଶ କଂଗ୍ରେସ ଅଧ୍ୟକ୍ଷଙ୍କ ଠିକଣାୋ ଚଢାଉ କରିଛି ପ୍ରବର୍ତନ ନିର୍ଦ୍ଦେଶାଳୟ । କେବଳ ସେତିକି ନୁହେଁ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟଙ୍କ ପୁଅ ବୈଭବଙ୍କୁ ଜେରା ପାଇଁ ଇଡି ସମନ ମଧ୍ୟ ପଠାଇଛି । ରାଜସ୍ଥାନର ଜୟପୁର ହେଉ ଅବା ନୂଆଦିଲ୍ଲୀରେ ଥିବା ଇଡି ଅଫିସରେ ହାଜର ହେବାକୁ ବୈଭବଙ୍କୁ କୁହାଯାଇଛି । ବୈଦେଶିକ ମୁଦ୍ରା ଉଲ୍ଲଂଘନ ଅଭିଯୋଗରେ ଇଡି ସମନ କରିଥିବା ଜଣାପଡିଛି ।ଏହାକୁ ନେଇ ଜୋରଦାର ହୋଇଛି ବୟାନବାଜୀ । ଗେହଲଟ କହିଛନ୍ତି, ରାଜ୍ୟରେ ମହିଳା, ଚାଷୀ ଏବଂ ଗରିବଙ୍କୁ ଲାଭ ମିଳୁ ବୋଲି ବିଜେପି ଚାହୁଁନାହିଁ । ତେଣୁ ଇଡିର ଦୁରୁପଯୋଗ କରି ବିରୋଧୀଙ୍କୁ ଟାର୍ଗେଟ କରାଯାଉଛି ।

Advertisment

ବହୁ ଚର୍ଚ୍ଚିତ ରାଜସ୍ଥାନ ପେପର ଲିକ ମାମାଲରେ ଏହି ଚଢ଼ାଉ କରାଯାଇଛି । ଏଥିସହ ନିକଟରେ ଇଡି ରାଜସ୍ଥାନରେ ଏକ ହସ୍ପିଟାଲିଟି ଗ୍ରୁପ ଏବଂ ଏହାର ମାଲିକ ବିରୋଧରେ ରେଡ୍ କରିଥିଲା । ମୋଟ୍ ୩ଟି ଠିକଣାରେ ଇଡି ରେଡ୍ କରି ନଗଦ ୧.୨ କୋଟି ଟଂକା ଜବତ କରିଥିଲା । ସେହିପରି ବିଜେପି ସାଂସଦ କିରୋଡି ଲାଲ ମୀନା ଇଡିରେ ଅଭିଯୋଗ କରିଥିଲେ ଯେ କିଛି ବ୍ୟବସାୟୀ ମୁଖ୍ୟମନ୍ତ୍ରୀଙ୍କ ପୁଅକୁ କଳାଟଂକା ପ୍ରଦାନ କରୁଛନ୍ତି । ମନି ଲଡ୍ରିଂ ମାମଲାରେ ଇଡିର ଚଢ଼ାଉକୁ ନେଇ ବିଭିନ୍ନ ପ୍ରତିକ୍ରିୟା ସାମ୍ନାକୁ ଆସୁଛି ।

ଆଗକୁ ନିର୍ବାଚନ । ସବୁ ରାଜନୈତିକ ଦଳ ଜୋରସୋରେ କସରତ ଆରମ୍ଭ କରିଦେଇଛନ୍ତି । ଏହା ଭିତରେ ରାଜସ୍ଥାନ ଶାସକ ଦଳ ଉପରେ ଇଡିର ଏଭଳି ଚଢ଼ାଉ ନେଇ କେବଳ ରାଜ୍ୟ ରାଜନୀତିରେ ନୁହେଁ ଜାତୀୟ ରାଜନୀତିରେ ମଧ୍ୟ ହଇଚଇ ସୃଷ୍ଟି କରିଛି ।