ଜ୍ୟାକଲିନଙ୍କୁ ପ୍ରବର୍ତନ ନିର୍ଦ୍ଦେଶାଳୟର ଝଟକା: ଜବତ ହେଲା ୭ କୋଟିରୁ ଅଧିକ ଟଙ୍କା

164

କନକ ବ୍ୟୁରୋ: ବଲିଉଡ୍ ଅଭିନେତ୍ରୀ ଜ୍ୟାକଲିନ ଫର୍ଣ୍ଣାଣ୍ଡିଜଙ୍କୁ ୭ କୋଟି ୨୭ ଲକ୍ଷ ଟଙ୍କାର ରାଶିକୁ ଜବତ କଲା ପ୍ରବର୍ତନ ନିର୍ଦ୍ଦେଶାଳୟ । ଠକ ସୁକେଶ ଚନ୍ଦ୍ରଶେଖରଙ୍କ ଠାରୁ ଉପହାରରେ ମିଳିଥିବା ଏହି ରାଶିକୁ ଏବେ ଇଡ ଜବତ କରିଛି । ଜ୍ୟାକଲିନଙ୍କ ପାଖରେ ଏହି ଟଙ୍କା ଫିକ୍ସ ଡିପୋଜିଟ ଭାବେ ଥିଲା । ଯାହାକୁ ଇଡି ଜବତ କରିଛି । ଠକ ସୁକେଶ ଚନ୍ଦ୍ରଶେଖର ସହ ସମ୍ପର୍କ ଥିବାନେଇ ପ୍ରବର୍ତନ ନିର୍ଦ୍ଦେଶାଳୟର ଟିମ୍ ୩ ଥର ଅଭିନେତ୍ରୀ ଜ୍ୟାକଲିନଙ୍କୁ ପଚରା-ଉଚୁରା କରିଛି । ତିହାଡ ଜେଲ୍ରେ ବନ୍ଦୀ ଥିବା ଠକ ସୁକେଶ ଚନ୍ଦ୍ରଶେଖରଙ୍କ ସହ ଜ୍ୟାକିଲନଙ୍କ ସମ୍ପର୍କକୁ ନେଇ ଇଡିର ଟିମ୍ ଜ୍ୟାକଲିନଙ୍କୁ ପଚରା-ଉଚୁରା କରୁଥିଲା । ଆଉ ଏହି ମାମଲାରେ ତାଙ୍କ ବିରୋଧରେ ବଡ କାର୍ଯ୍ୟାନୁଷ୍ଠାନ ନେଇଛି ଇଡି ।

ଠକ ସୁକେଶ ଚନ୍ଦ୍ରଶେଖର ସହ ସମ୍ପର୍କ ନେଇ ଇଡିର ସ୍କାନରରେ ରହିଛନ୍ତି ଅଭିନେତ୍ରୀ ଜ୍ୟାକଲିନ୍ । ତାଙ୍କ ବିରୋଧରେ ଇଡି ଲୁକ୍ ଆଉଟ୍ ନୋଟିସ ବି ଜାରି କରିଛି । ଗତବର୍ଷ ଡିସେମ୍ବର୫ ତାରିଖରେ ଦେଶଛାଡି ଚାଲିଯାଉଥିବାବେଳେ ପ୍ରବର୍ତନ ନିର୍ଦ୍ଦେଶାଳୟ ଜ୍ୟାକଲିନଙ୍କୁ ମୁମ୍ବାଇ ଅନ୍ତର୍ଜାତୀୟ ଏୟାରପୋର୍ଟରେ ଅଟକାଇ ଥିଲା ।

ପ୍ରବର୍ତନ ନିର୍ଦ୍ଦେଶାଳୟନ ସୂଚନା ଅନୁସାରେ ଅଭିନେତ୍ରୀ ଜ୍ୟାକଲିନ୍ ଫର୍ଣ୍ଣାଣ୍ଡିଜଙ୍କ ଓ କନ୍ମ୍ୟାନ୍ ସୁକେଶ ଚନ୍ଦ୍ରଶେଖର ମଧ୍ୟରେ ବେଶ ଘନିଷ୍ଠ ସମ୍ପର୍କ ରହିଥିଲା । ଦୁହିଁଙ୍କ ଘନିଷ୍ଠତା ସମୟର ଅନେକ ଫଟୋ ସୋସିଆଲ ମିଡିଆରେ ବି ଦେଖିବାକୁ ମିଳିଛି । ସୁକେଶ ଚନ୍ଦ୍ରଶେଖର ସହ ସମ୍ପର୍କ ନେଇ ଇଡି ସମ୍ମୁଖରେ ସ୍ୱିକାର ବି କରିଛନ୍ତି ଏହି ଶିଂହଳୀ ସୁନ୍ଦରୀ । ଆଉ ସୁକେଶ ତାଙ୍କୁ ବେଶ ମହଙ୍ଗା ଉପହାର ଦେଇଥିବା କଥା ବି ମାନିଛନ୍ତି ଏହି ବଲିଉଡ ନାୟିକା । ଇଡି ଚାର୍ଜସିଟରେ ଉଲ୍ଲେଖ ରହିଛି ଯେ,

ଜ୍ୟାକଲିନଙ୍କୁ ସୁକେଶର ମହଙ୍ଗା ଉପହାର
– ଜ୍ୟାକଲିନଙ୍କୁ ୫୨ ଲକ୍ଷ ଟଙ୍କାର ଏକ ଘୋଡ଼ା ଉପହାର ଦେଇଥିଲା ସୁକେଶ
– ୯ ଲକ୍ଷ ଟଙ୍କାର ଏକ ପାର୍ସିି ବିଲେଇ ମଧ୍ୟ ଜ୍ୟାକଲିନଙ୍କୁ ଉପହାର ଦେଇଥିଲା ଠକ ସୁକେଶ
– ପାଖାପାଖି ୧୦ କୋଟି ଟଙ୍କାର ଉପହାର ଜ୍ୟାକଲିନଙ୍କୁ  ସୁକେଶ ଦେଇଛି
– ୨୦୨୧ ଜାନୁୟାରୀ ମାସରେ ସୁକେଶ ଜେଲରେ ଥିବା ବେଳେ ଜ୍ୟାକଲିନଙ୍କ ସହ ଫୋନରେ କଥା ହୋଇଥିଲା
– ପରେ ଜାମିନରେ ମୁକୁଳିବା ପରେ ୮କୋଟି ଟଙ୍କାରେ ଜ୍ୟାକଲିନଙ୍କ ପାଇଁ ଚାର୍ଟାଡ ଫ୍ଲାଇଟ ବୁକ୍ କରିଥିଲା
– ଜ୍ୟାକଲିନ ସହ ଚେନ୍ନାଇର ଏକ ହୋଟେଲରେ ସମୟ ବିତାଇଥିଲା ସୁକେଶ
– ଦାମି ଦାମି ସୁନା ଓ ହୀରା ଅଳଙ୍କାର ବି ଉପହାର ଭାବେ ଜ୍ୟାକଲିନଙ୍କୁ  ଠକ ସୁକେଶ ଠାରୁ ମିଳିଥିଲା
– ବିଦେଶ ଯାଉଥିବାବେଳେ ମୁମ୍ବାଇ ବିମାନବନ୍ଦରରେ ଜ୍ୟାକଲିନଙ୍କୁ ଅଟକାଇ ଦିଆଯାଇଥିଲା
– ୨୦୦ କୋଟିର ମନି ଲଣ୍ଡରିଂ ମାମଲାରେ ହାଜର ହେବାକୁ ଜ୍ୟାକଲିନଙ୍କୁ ନୋଟିସ କରିଥିଲା ଇଡି

ସୁକେଶଙ୍କ ବ୍ୟାଙ୍କ ଆକାଉଂଟରୁ ଅନେକ ଉପହାର ଜ୍ୟାକଲିନଙ୍କ ଆକାଉଂଟକୁ ଯାଇଛି । ପାଖାପାଖି ୧୦ କୋଟି ଟଙ୍କାର ଉପହାର ଦେଇଥିବା ଇଡି ଚାର୍ଜସିଟ୍ରେ ଉଲ୍ଲେଖ କରିଛି । ଏହାପରେ ମନି ଲଣ୍ଡରିଂ ମାମଲାରେ ଜ୍ୟାକଲିନଙ୍କୁ ହାଜର ହେବାକୁ ଇଡି ପକ୍ଷରୁ ସମନ ହୋଇଥିଲା ।

କନମ୍ୟାନ୍ ସୁକେଶ ଚନ୍ଦ୍ରଶେଖର ଇଡି ତଦନ୍ତ ବେଳେ ସ୍ୱିକାର କରିଛି ଯେ, ସେ ଜ୍ୟାକଲିନଙ୍କ ସହ ସମ୍ପର୍କରେ ରହିଥିଲା । ତାଙ୍କର ଏହି ଦାବିକୁ ନେଇ ଅନେକ ଫଟୋ ଇଡି ସମ୍ମୁଖରେ ଉପସ୍ଥାପନ ବି କରିଥିଲା । ପରେ ଏହିସବୁ ଫଟୋ ସୋସିଆଲ ମିଡିଆରେ ଘୁରି ବୁଲୁଥିବା ଦେଖିବାକୁ ମିଳିଛି । ଏହି ସବୁଫଟୋରେ ସୁକେଶ ଓ ଜ୍ୟାକଲିନ ବେଶ ଘନିଷ୍ଠ ଥିବା ଦେଖିବାକୁ ମିଳିଛି । ମାତ୍ର ସୁକେଶଙ୍କ ସହ ସମ୍ପର୍କକୁ ଖୋଲାଖୋଲି ମନା କରିଛନ୍ତି ଜ୍ୟାକଲିନ । ପ୍ରବର୍ତନ ନିର୍ଦ୍ଦେଶାଳୟର ପଚରା-ଉଚୁରାବେଳେ ସୁକେଶ ସହ କୌଣସି ସମ୍ପର୍କକୁ ମନା କରିଦେଇଛନ୍ତି ବି-ଟାଉନ୍ର ଏହି ସୁନ୍ଦରୀ ।

୨ଶହ କୋଟି ଠକେଇ ମାମଲାରେ ସବୁଠାରୁ ପ୍ରଥମେ ଦିଲ୍ଲୀରେ ମାମଲା ଦାୟର ହୋଇଥିଲା । ଏଫଆଇଆରକୁ ନେଇ ଅଗଷ୍ଟ,୨୦୨୧ରୁ ତଦନ୍ତ ଆରମ୍ଭ ହୋଇଥିଲା । ପରେ ପ୍ରବର୍ତନ ନିର୍ଦ୍ଦେଶାଳୟ ମନି ଲଣ୍ଡ୍ରିଂ ମାମଲାରେ ତଦନ୍ତ କରିବା ଆରମ୍ଭ କରିଥିଲା । ଏଥିରେ ସୁକେଶ ଚନ୍ଦ୍ରଶେଖର ହାତ ଥିବା ଜାଣିବାକୁ ପାଇଲା ଇଡି । ଠକ ସୁକେଶ ଚନ୍ଦ୍ରଶେଖର, କୋଟି କୋଟି ଟଙ୍କା ଠକେଇ କରି ଏଥିରେ ବିଳାସପୂର୍ଣ୍ଣ ଜୀବନ ବିତାଉଥିଲେ । ବଲିଉଡ୍ ନାୟିକାଖ ନିଜ ବିଳାସପୂର୍ଣ୍ଣ ଜୀବନରେ ସାମିଲ କରିବାକୁ ଯୋଜନା କରିଥିଲା । ଏବଂ ଏଥିପାଇଁ ପ୍ରଥମେ ଅଭିନେତ୍ରୀ ଜ୍ୟାକଲିନ ଫର୍ଣ୍ଣାନଜିଡ୍ଙ୍କ ସହ ଯୋଗାଯୋଗ କରିଥିଲା । ଏପରିକି ନାୟିକାଙ୍କୁ ଫସେଇବା ପାଇଁ କୋଟି କୋଟି ଟଙ୍କାର ଉପହାର ଦେଇଥିଲା ସୁକେଶ । ଆଉ ସୁକେଶଙ୍କ ଏହି ମହଙ୍ଗା ଉପହାର ଜ୍ୟାକଲିନଙ୍କ ପାଇଁ ସାଜିଛି କାଳ ।