ଗୋଲଡେନ୍ ଲ୍ୟାଣ୍ଡ ଚିଟଫଣ୍ଡ ସଂସ୍ଥା ଉପରେ ଇଡି ରେଡ୍: ରହିଛି ପ୍ରାୟ ୯୦୦ କୋଟି ଟଙ୍କାର ଠକେଇ ଅଭିଯୋଗ

164

କନକ ବ୍ୟୁରୋ: ଚିଟଫଣ୍ଡର ଯନ୍ତ୍ରଣା, କ୍ଷତିଗ୍ରସ୍ତଙ୍କୁ କେତେ ଜର୍ଜରିତ କରଛି, ଥରେ ସେଇ ସବୁ କାହାଣୀ ପୁଣି ଥରେ ଜୀବନ୍ତ ହୋଇଯାଇଛି, ଯେତେବେଳେ ଗୋଲଡେନ୍ ଲ୍ୟାଣ୍ଡ ଚିଟଫଣ୍ଡ ଉପରେ ରେଡ୍ ହୋଇଛି । ଇଡି’ର ଚଢ଼ାଉ ପରେ ତଦନ୍ତ ନେଇ କ୍ଷତିଗ୍ରସ୍ତଙ୍କ ମଧ୍ୟରେ ଆଶା ସଂଚାର ହୋଇଛି । ଚିଟଫଣ୍ଡରେ ପ୍ରାୟ ୯୦୦ କୋଟିର ଠକେଇ ଅଭିଯୋଗ ହୋଇଥିବା ବେଳେ ଶହ ଶହ ପରିବାର ଉଜୁଧଡ଼ି ଯାଇଛି । ସାରା ଜୀବନର ସଂଜୟ ଯେମିତି ଗୋଟିଏ ଝଟକା ଗାଏବ୍ ହୋଇଯାଇଛି ।

ଇଡି ରେଡ୍ ଖବର ପାଇ ଚିଟ୍ଫଣ୍ଡ କାର୍ଯ୍ୟାଳୟ ପାଖକୁ ଧାଇଁ ଆସିଛନ୍ତି କ୍ଷତିଗ୍ରସ୍ତ । କାଳେ କୌଣସି ଖୁସି ଖବର ମିଳିଯିବ । ହେଲେ ବ୍ରହ୍ମପୁର ଗୋଲଡେନ୍ ଲ୍ୟାଣ୍ଡ ଚିଟଫଣ୍ଡ କାର୍ଯ୍ୟାଳୟରେ ଯେମିତି ଅଳିଆ ହୋଇ ପଡ଼ିଛି, ସଂଚିତ ଟଙ୍କାର କିଛି ସ୍ମୃତି । ଜମା ଟଙ୍କାର ରସିଦ୍ ଅଛି ସତ, କିନ୍ତୁ ଟଙ୍କା ଫେରିବ ନା’ ନାହଁ ଏବେ ବି ସନ୍ଦେହ । ଏମାନେ ହେଉଛନ୍ତି ଗୋଲଡେନ୍ ଲ୍ୟାଣ୍ଡ ଚିଟଫଣ୍ଡରେ ଟଙ୍କା ହାଇଥିବା କ୍ଷତିଗ୍ରସ୍ତ । କିଏ ଝିଅ ବାହାଘର ପାଇଁ ଟଙ୍କା ସଂଚି ଥିଲା । ତ’ ଆଉ କିଏ ବ୍ୟବସାୟ କରିବା ପାଇଁ ଟଙ୍କା ଜମା ରଖୁଥିଲା । ହେଲେ ଗୋଟିଏ ଝଟ୍କାରେ ଯେମିତି ସବୁ କିଛି ଛାରଖାର ହୋଇଯାଇଛି ।

ଲୋଭନୀୟ ସ୍କିମ୍ର ଅଫର୍ ଦେଖାଇ କେବଳ ଜମାକାରୀଙ୍କୁ ଠକି ନେଇଛି ଚିଟ୍ଫଣ୍ଡ ସଂସ୍ଥା ତାହା ନୁହେଁ । ସଂସ୍ଥା ପାଇଁ ଏଜେଂଟ ଭାବେ କାମ କରୁଥିବା କର୍ମଚାରୀ ମଧ୍ୟ ଏହି ଠକେଇର ପରିଣାମ ଭୋଗୁଛନ୍ତି । ଆଉ ଇଏ ହେଉଛନ୍ତି ତା’ର ଉଦାହରଣ । ନାଁ- ନାଗାର୍ଜୁନ ପ୍ରଧାନ । ଘର ବ୍ରହ୍ମପୁର ସହରରେ । ଗୋଲଡେନ୍ ଲ୍ୟାଣ୍ଡ ଡେଭଲପର୍ସ ଚିଟଫଣ୍ଡ ସଂସ୍ଥାରେ ଏଜେଂଟ ଭାବେ କାମ କରୁଥିଲେ । ହେଲେ କଂପାନୀ ବନ୍ଦ ହୋଇଥିବା ପରେ ଟଙ୍କା ଜମାକାରୀଙ୍କ ଆକ୍ରୋଶର ଶିକାର ହୋଇଥିଲେ ନାଗାର୍ଜୁନ୍ । ୨୦୧୬ ମସିହାରେ ଜାମାକାରୀଙ୍କ ଆକ୍ରମଣ ଶିକାର ହୋଇ, ଗମ୍ଭୀର ଭାବେ ଆହତ ହୋଇଥିଲେ । ଭୁବନେଶ୍ୱରର ଏକ ହସ୍ପିଟାଲରେ ଦୀର୍ଘଦିନ ଧରି ଚିକିତ୍ସିତ ହେବା ପରେ ସୁ୍ସ୍ଥ ହୋଇଛନ୍ତି ସତ । କିନ୍ତୁ ସୁସ୍ଥ ଓ ସବଳ ଥିବା ଯୁବକ ଭିନ୍ନକ୍ଷମ ପାଲଟି ଯାଇଛନ୍ତି ।

ଚିଟଫଣ୍ଡ ଠକ, କେବଳ ଟଙ୍କା ଲୁଟ କରି ନାହାଁନ୍ତି, ଅନେକ ଘର ପରିବାର ମଧ୍ୟ ଉଜାଡ଼ି ଦେଇଛନ୍ତି । ସୂଚନା ଅନୁସାରେ ଓଡ଼ିଶାରେ ୪ ଲକ୍ଷରୁ ଅଧିକ ଆବେଦନକାରୀ ଟଙ୍କା ଫେରି ପାଇବା ପାଇଁ ଆବେଦନ କରିଛନ୍ତି । ହେଲେ ଟଙ୍କା ଫେରି ପାଇବେ ନା’ ନାହାଁ, ତାହା କାହାରିକୁ ଜଣାନାହିଁ ।