କନକ ବ୍ୟୁରୋ : ବୌଦ୍ଧ ଜିଲ୍ଳା ଆରଟିଓ ବସନ୍ତ କୁମାର ମହାପାତ୍ର । ମାସିକ ଦରମା ପାଖାପାଖି ଲକ୍ଷେ ଟଙ୍କା । ହେଲେ, ଏହି ବାବୁ ଠୁଳ କରିଛନ୍ତି କୋଟି କୋଟି ଟଙ୍କାର ସମ୍ପତି । ଭୁବନେଶ୍ୱରର ଅନେକ ସ୍ଥାନରେ ଫ୍ଲାଟ କିଣିଥିବାବେଳେ, ଏକାଧିକ ବ୍ୟାଙ୍କ ଆକାଉଂଟ ଓ ବିଭିନ୍ନ ବଣ୍ଡରେ ଜମା କରିଛନ୍ତି କୋଟି କୋଟି ଟଙ୍କା ।

Advertisment

ଆୟ ବର୍ହିର୍ଭୂତ ସମ୍ପତି ଠୁଳ ଅଭିଯୋଗ ପରେ ଓଡିଶା ଭିଜିଲାନ୍ସ ପକ୍ଷରୁ ଏକକାଳୀନ ବୌଦ୍ଧ ଆରଟିଓ ଅଫିସ, ବସନ୍ତଙ୍କ ଭଡାଘର, ଭୁବନେଶ୍ୱରସ୍ଥିତ ବିଭିନ୍ନ ଠିକଣା, ଭଞ୍ଜନଗର ସ୍ଥିତ ପୈତୃକ ଘରେ ଓ ବ୍ରହ୍ମପୁର ଚଢ଼ାଉ କରାଯାଇଛି ।

ବସନ୍ତଙ୍କ ସମ୍ପତିଙ୍କୁ ନେଇ ଭିଜିଲାନ୍ସ ଯେଉଁ ତଥ୍ୟ ଦେଇଛି ତାହା ଦେଖିଲେ ଆପଣ ବି ଆଶ୍ଚର୍ଯ୍ୟ ହେବ । ନଜର ପକାନ୍ତୁ କୁବେର ଆରଟିଓ ବସନ୍ତଙ୍କ ସମ୍ପତି ନେଇ ଭିଜିଲାନ୍ସ ପକ୍ଷରୁ ଦିଆଯାଇଥିବା ସୂଚନା ଉପରେ ..
ବସନ୍ତଙ୍କ ସମ୍ପତ୍ତି
- କେବଳ ଭୁବନେଶ୍ୱରରେ ରହିଛି ବସନ୍ତଙ୍କର ୫ ଟି ଫ୍ଲାଟ
- ଭୁବନେଶ୍ୱର ଓ ବେଙ୍ଗାଲୁରରେ ଆଉ ଦୁଇଟି ଫ୍ଲାଟ କିଣିବା ପାଇଁ ଅଗ୍ରୀମ ଦୁଇ କୋଟିରୁ ଉର୍ଦ୍ଧ ଟଙ୍କା ଦେଇଛନ୍ତି
- ଭୁବନେଶ୍ୱରର ଏକ ବଡ ସପିଂ ମଲରେ ରହିଛି ଦୁଇଟି ବଡ ବଡ ଦୋକାନ ଘର
- ବସନ୍ତଙ୍କ ବିଭିନ୍ନ ବ୍ୟାଙ୍କ ଆକାଉଂଟରେ ରହିଛି ଦୁଇ କୋଟିରୁ ଉର୍ଦ୍ଧ ଟଙ୍କା
- ବଣ୍ଡ ମାଧ୍ୟମରେ ଜମା ରଖିଛନ୍ତି ୪୮ ଲକ୍ଷ ଟଙ୍କା
- ୩୧ ଲକ୍ଷ ଟଙ୍କାର ଇନ୍ସୁରାନ୍ସ ରହିଛି
- ପାଖାପାଖି ୨୬୦ ଗ୍ରାମର ସୁନା ଅଳଙ୍କାର ମଧ୍ୟ ମିଳିଥିବା ନେଇ ସୁଚନା ଦେଇଛନ୍ତି ଭିଜିଲାନ୍ସ ଅଧିକାରୀ
ବସନ୍ତଙ୍କ ବୌଦ୍ଧ ସ୍ଥିତ ଭଡାଘରେ ରେଡ ସାରିବା ପରେ ବିଭିନ୍ନ ଗୁରୁତ୍ୱପୁର୍ଣ କାଗଜପତ୍ର ସହ ତାଙ୍କୁ ନେଇ ଭୁବନେଶ୍ୱର ଅଭିମୁଖେ ବାହାରିଛି ଭିଜିଲାନ୍ସ ଟିମ । ଭୁବନେଶ୍ୱରରେ ପହଂଚିବା ପରେ କେତେ ଟଙ୍କାର ଆୟବହିର୍ଭୁତ ସମ୍ପତି ଠୁଳ କରିଛନ୍ତି ତାର ହିସାବ କରିବ ଭିଜିଲାନ୍ସ । ଯଦି ମିଳିଥିବା ସମ୍ପତିର ସଠିକ ହିସାବ ନଦେଇପାରନ୍ତି ତେବେ ଭିଜିଲାନ୍ସ ଦ୍ୱାରା ଖୁବ ଶିଘ୍ର ଗିରଫ ହେବେ କୁବେର ଆରଟିଓ ବସନ୍ତ ମହାପାତ୍ର ।