ମହାରାଷ୍ଟ୍ରର ପୂର୍ବତନ ଗୃହମନ୍ତ୍ରୀ ଅନୀଲ ଦେଶମୁଖଙ୍କ ଘରେ ଇଡିର ଚଢ଼ାଉ । ଅର୍ଥ ଠକେଇ ମାମଲାରେ ଇଡିର ଖୋଳତାଡ଼ ।

 ଦାଦାବଟି ଆଦାୟ ବିବାଦରେ ଛନ୍ଦି ହୋଇ ରାଜ୍ୟ ଗୃହମନ୍ତ୍ରୀ ପଦରୁ ହୋଇଥିଲେ ବିଦା ।

96

କନକ ବ୍ୟୁରୋ: ମହାରାଷ୍ଟ୍ରର ପୂର୍ବତନ ଗୃହମନ୍ତ୍ରୀ ଅନୀଲ ଦେଶମୁଖଙ୍କ ବାସଭବନରେ ଚଢ଼ାଉ । ମନି ଲଣ୍ଡ୍ରିଂ ମାମଲାରେ ଅନୀଲ ଦେଶମୁଖଙ୍କ ବିଭିନ୍ନ ଠିକଣାରେ ଆଜି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଚଢ଼ାଉ କରିଛି । ଏହି ଘଟଣାକୁ ନେଇ ମହାରାଷ୍ଟ୍ରରେ ସରଗରମ ହୋଇଛି ରାଜନୀତି ।
ସମୟ ସକାଳ ୮ଟା ସମୟରେ ମହାରାଷ୍ଟ୍ରର ପୂର୍ବତନ ଗୃହମନ୍ତ୍ରୀ ଅନୀଲ ଦେଶମୁଖଙ୍କ ବାସଭବନରେ ପହଞ୍ଚିଲା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟର ସ୍ୱତନ୍ତ୍ର ଟିମ ।ଏହାପରେ ମନି ଲଣ୍ଡ୍ରିଂ ମାମଲାରେ ଆରମ୍ଭ ହେଲା ଚଢାଉ । ଏକାସାଙ୍ଗରେ ଅନୀଲ ଦେଶମୁଖଙ୍କ ମୁମ୍ବାଇ ସ୍ଥିତ ଜ୍ଞାନେଶ୍ୱରୀ ଘରେ ଓ ନାଗପୁର ସ୍ଥିତ ବାସଭବନରେ ଚଢ଼ାଉ କଲା ଇଡି । ଏହାସହ ମହାରାଷ୍ଟ୍ରର ପୂର୍ବତନ ଗୃହ ମନ୍ତ୍ରୀଙ୍କ ୫ଟି ଠିକଣାରେ ଏକକାଳୀନ ଚଢାଉ କରାଯାଇଛି। ଅନୀଲ ଦେଶମୁଖଙ୍କ ନାଁରେ ନକଲି କମ୍ପାନୀ କରି କଳା ଧନକୁ ଧଳା କରିବାର ଗୋଲକଧନ୍ଧା ଚଳାଇଥିବା ଅଭିଯୋଗ ହୋଇଥିଲା । ଏହି ଅଭିଯୋଗ ଆଧାରରେ ଆରମ୍ଭ ହୋଇଛି ତଦନ୍ତ ।

ଅନୀଲ ଦେଶମୁଖଙ୍କ ଉପରେ ୧୦୦ କୋଟି ଟଙ୍କା ଆଦାୟ କରିବାର ଅଭିଯୋଗ ଆଣିଥିଲେ ପୂର୍ବତନ ପୋଲିସ କମିଶନର ପରମବୀର ସିଂହ । ଏହି ମାମଲାରେ ସିବିଆଇ ତଦନ୍ତ କରୁଛି । ଅନ୍ୟପଟେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ମନି ଲଣ୍ଡ୍ରିଂ ମାମଲାର ତଦନ୍ତ ଚଳାଇଛି । ଇଡିର ଚଢ଼ାଉ ପରେ ମହାରାଷ୍ଟ୍ରରେ ଆରମ୍ଭ ହୋଇଗଲାଣି କାଦୁଅ ଫୋପଡା ରାଜନୀତି। ସଞ୍ଜୟ ରାଉତ ଏହାକୁ ସମାଲୋଚନା କରିଥିଲେ ବେଳେ ଅନୀଲ ଦେଶମୁଖ ଖୁବ ଶୀଘ୍ର ଜେଲରେ ଥିବେ ବୋଲି କହିଛନ୍ତି ମହାରାଷ୍ଟ୍ର ବିଜେପିର ବରିଷ୍ଠ ନେତା କିରିଟ ସୌମ୍ୟା ।

ଅନୀଲ ଦେଶମୁଖଙ୍କ ବିରୋଧରେ ଟଙ୍କା ଆଦାୟ ଅଭିଯୋଗର ତଦନ୍ତ ପାଇଁ ମହାରାଷ୍ଟ୍ର ସରକାର ଜଷ୍ଟିସ ଚାନ୍ଦିଓ୍ୱାଲ ଆୟୋଗ ଗଠନ କରିଥିଲେ। ଏହି ଅଭିଯୋଗ ଯୋଗୁଁ ଅନୀଲ ଦେଶମୁଖଙ୍କୁ ଗୃହମନ୍ତ୍ରୀ ପଦ ହରାଇବାକୁ ପଡିଛି। ନକଲି କମ୍ପାନୀ କରି ସଚିନ ବାଜେଙ୍କ ଜରିଆରେ ମନ ଲଣ୍ଡ୍ରିଂ କରୁଥିବା ଅନୀଲ ଦେଶମୁଖଙ୍କ ବିରୋଧରେ ଅଭିଯୋଗ ରହିଛି। ଏପରିକି ଏହି ଉପାୟରେ ସେ କଲା ଧନ କୁ ନିଜ ନାଁରେ କରୁଥିବା ଅଭିଯୋଗ ରହିଛି।