ଦେଶର ପ୍ରଥମ ଥର ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଜେରା କଲା ଇଡି। ଖଣି ଦୁର୍ନୀତି ମାମଲାରେ ହେମନ୍ତ ସୋରେନଙ୍କୁ ଇଡିର ମାରାଥନ ଜେରା। 

114

କନକ ବ୍ୟୁରୋ: ବେଆଇନ ଖଣି ଖନନ ମାମଲାରେ ଭାରତ ବର୍ଷରେ ପ୍ରଥମ ଥର ପାଇଁ ଜଣେ ମୁଖ୍ୟମନ୍ତ୍ରୀଙ୍କୁ ଜେରା କରିଛି ପ୍ରବର୍ତନ ନିର୍ଦ୍ଦେଶାଳୟ । ୧ ହଜାର କୋଟିର ଦୁର୍ନୀତି ଅଭିଯୋଗ ମାମଲାରେ ଦେଶର ସବୁଠୁ ବଡ ଅର୍ଥନୈତିକ ଅପରାଧ ତଦନ୍ତକାରୀ ସଂସ୍ଥା ଇଡି ଗୁରୁବାର ଝାରଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କୁ ମାରାଥନ ଜେରା କରିଛି । ଏହି ମାମଲାରେ ଇଡି ଦୁଇ ଅଭିଯୁକ୍ତଙ୍କୁ ଗିରଫ କରିବା ପରେ ହେମନ୍ତ ସୋରେନଙ୍କୁ ବେଆଇନ ଖଣି ଖନନ ନେଇ ଗୁଡେଇ ତୁଡେଇ ପ୍ରଶ୍ନ କରିଛି । ଗିରଫ ମୁଖ୍ୟ ଅଭିଯୁକ୍ତ ପଙ୍କଜ ମିଶ୍ରଙ୍କ ପାଖରୁ ଜବତ ହୋଇଥିବା ତାଙ୍କର ଏକ ବ୍ୟାଙ୍କ ପାସବୁକ୍, ଚେକ୍ ବୁକ୍ ଏବଂ ତାଙ୍କ ଦସ୍ତଖତ ଥିବା ଦୁଇଟି ଚେକ୍ ଉପରେ ସୋରେନଙ୍କୁ ଇଡି ପ୍ରଶ୍ନ କରିଥିବା ସୂଚନା ମିଳିଛି ।

ଇଡିରେ ହାଜର ହେବାକୁ ଯିବା ପୂର୍ବରୁ ଗୁୁରୁବାର ସୋରେନ କହିଛନ୍ତି କେନ୍ଦ୍ରର ବିଜେପି ସରକାରର ବଡ ଷଡଯନ୍ତ୍ରର ଏକ ଅଂଶଭାବେ ତାଙ୍କ ସହ ଏଭଳି କରାଯାଉଛି । ମୁଖ୍ୟମନ୍ତ୍ରୀ ଭଳି ସାମ୍ବାଧାନିକ ପଦବୀରେ ଥାଇବି ତାଙ୍କୁ ଇଡି ଯେଉଁଭଳି ଭାବେ ସମନ କରୁଛି, ଯେପରି ସେ ଦେଶ ଛାଡି ପଳାଇଯାଉଛନ୍ତି । କେବଳ କିଛି ବଡ ବଡ ଶିଳ୍ପପତି ଦେଇ ଛାଡି ପଳାଇ ଯାଇଛନ୍ତି, କୌଣସି ରାଜନେତା ନୁହେଁ ବୋଲି କହିଛନ୍ତି ସୋରେନ ।

କ’ଣ ରହିଛି ଅଭିଯୋଗ ?

-ଖଣି ଖନନରେ ଅର୍ଥ ହେରଫର

-ଚିପ୍ସ, ପଥର ବେଆଇନ୍ ଖନନ କରି ବିକ୍ରି

– ୧ ହଜାର କୋଟିରୁ ଊଦ୍ଧ୍ୱର୍ ଟଙ୍କାର ଦୁର୍ନୀତି

-ଜୁଲାଇ ୮ ତାରିଖରେ ଇଡି ସୋରେନଙ୍କ ଦଳର ଜଣେ ବିଧାୟକଙ୍କ ନୋମିନି ପଙ୍କଜ ମିଶ୍ରଙ୍କୁ ଜେରା କରିଥିଲା

-୪୭ ସ୍ଥାନରେ ଚଢାଉ କରି ଇଡି ୧୮ କୋଟି ଟଙ୍କା ସହ ଦୁଇ ଏକେ-୪୭ ବନ୍ଧୁକ ଜବତ କରିଥିଲା

-ଅଭିଯୁକ୍ତଙ୍କ ଘରୁ ସୋରେନ ଏବଂ ତାଙ୍କ ପରିବାର ଲୋକଙ୍କ ବ୍ୟାଙ୍କ୍ ପାସ୍ବୁକ୍ ଏବଂ ଚେକ୍ ବୁକ୍ ମିଳିଥିଲା

ବାସ୍ତବରେ ଏହି ବେଆଇନ୍ ଅର୍ଥ ହେରଫେର ମାମଲାରେ ହେମନ୍ତ ସୋରେନଙ୍କ କଣ ଭୂମିକା ରହିଛି ତାହା ତଦନ୍ତ ପରେ ହିଁ ଜଣାପଡିବ । ହେଲେ ଏହାକୁ ନେଇ ଏବେ ରାଜନୀତି ଜୋର ଧରିଛି । ୨୦୧୯ରେ ଝାଡଖଣ୍ଡରେ କଂଗ୍ରେସ ଏବଂ ଜେଏମଏମ ସରକାର ଗଠନ ପରେ ବିଜେପି ସରକାରକୁ ଭାଙ୍ଗିବାକୁ ଏଭଳି କରୁଥିବା ଅଭିଯୋଗ କରିଛି ଜେଏମଏମ୍ ।