କନକ ବ୍ୟୁରୋ : ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ପକ୍ଷରୁ ଦେଶର ସର୍ବବୃହତ ଇ-କମର୍ସ କମ୍ପାନୀ ଫ୍ଲିପକାର୍ଟର ପ୍ରତିଷ୍ଠାତା ସଚିନ ବଂଶଲ ଓ ବିନ୍ନୀ ବଂଶଲ ଓ ଅନ୍ୟ ୯ ଜଣଙ୍କ ନିକଟକୁ ଫୋରେକ୍ସ ଆଇନ ଉଲଘଂନ ନେଇ ନୋଟିସ୍ ଜାରି କରିଛି । ଏହି ନୋଟିସ ଜରିଆରେ ଇଡି ସେମାନଙ୍କ ଠାରୁ ବୈଦେଶିକ ପୁଞ୍ଜି ନିବେଶ ଆଇନ ଉଲଘଂନ କରିଥିବା ଅଭିଯୋଗ ଉପରେ ଜବାବ୍ ମାଗିଛି ।

Advertisment

ଏହା ସହ ସନ୍ତୋଷଜନକ ଜବାବ ଦେଇ ନପାରିଲେ ଏମାନଙ୍କ ଉପରେ ୧୦ ହଜାର କୋଟିରୁ ଅଧିକ ଟଙ୍କାର ଜରିମାନା ଲଗାଇବାକୁ ଇଡି ଚେତାବନୀ ଦେଇଛି । ଇଡି ପକ୍ଷରୁ ଫ୍ଲିପକାର୍ଟ ଓ ଅନ୍ୟ ୯ ଜଣଙ୍କୁ ଏହି ମାମଲାର ଜବାବ ରଖିବାକୁ ୯୦ ଦିନ ସମୟ ଦେଇଛି ।

ଇଡିର ସୂଚନା ମୁତାବକ ଫ୍ଲିପକାର୍ଟ ୨୦୦୯-୨୦୧୫ ମଧ୍ୟରେ ବିଦେଶୀ ନିବେଶ ଯୋଗାଡ କରିବାକୁ ବିଦେଶୀମୁଦ୍ରା ବିନିମୟ ଅଧିନିୟମ (ଏଫଇଏମଏ) ଆଇନର ଉଲଙ୍ଘନ କରିଥିଲା । ଏହି ମାମଲାରେ ଫ୍ଲିପକାର୍ଟ ପକ୍ଷରୁ ବି ଏକ ବୟାନ ଜାରି କରାଯାଇଛି । କମ୍ପାନୀ ପକ୍ଷରୁ ଜାରି କରାଯାଇଥିବା ବୟାନରେ କୁହାଯାଇଛି କି ଇଡିର ନୋଟିସ୍ ମୁତାବକ ଏହି ମାମଲା ୨୦୦୯ ରୁ ୨୦୧୫ ମଧ୍ୟରେ ହୋଇଛି । ଏହି ମାମଲାରେ ଯାଂଚରେ କମ୍ପାନୀ ଇଡିକୁ ସମ୍ପୂର୍ଣ୍ଣ ସହଯୋଗ କରୁଛି ।

କହିରଖୁ କି ଇଡି ପକ୍ଷରୁ ଇ-କମର୍ସ କ୍ଷେତ୍ରରେ ଦେଶରେ କାମ କରୁଥିବା ବଡ କମ୍ପାନୀ ଫ୍ଲିପକାର୍ଟ, ଅମାଜନ ଉପରେ ବିଦେଶୀ ନିବେଶ ଆଇନ ଉଲଘଂନ ଅଭିଯୋଗରେ କିଛି ଦିନ ହେବ ଯାଂଚ ଜାରି ରଖିଛି ।