କନକ ବ୍ୟୁରୋ : ନ୍ୟାସନାଲ ହେରାଲ୍ଡ ମାମଲାରେ ଆଜି କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀଙ୍କୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଜେରା କରିଛି । ୨.୨୦ ମିନିଟର ଏହି ଜେରା ବେଳେ ଇଡି ପକ୍ଷରୁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଥିଲା । ସୋନିଆ ଗାନ୍ଧୀ କିଛିଦିନ ହେବ ଅସୁସ୍ଥ ଥିବାରୁ ତାଙ୍କ ସ୍ୱାସ୍ଥ୍ୟବସ୍ଥାକୁ ଗୁରୁତ୍ୱ ଦେଇ ଜେରା ବେଳେ ସୋନିଆଙ୍କ ନିକଟରେ ୨ ଜଣ ଡାକ୍ତରଙ୍କୁ ନିୟୋଜିତ କରାଯାଇଥିଲା । ଏହାସହ ଜରୁରୀକାଳୀନ ପରିସ୍ଥିତି ପାଇଁ ଏକ ଆମ୍ବୁଲାନ୍ସକୁ ଷ୍ଟାଣ୍ଡବାଏ ଭାବେ ଇଡି କାର୍ଯ୍ୟାଳୟରେ ରଖାଯାଇଥିଲା । ଏଭଳି କିଛି ଖବର ଇଡି ସୂତ୍ରରୁ ମିଳିଛି ।

Advertisment

ଏହାସହ ସୋନିଆଙ୍କ ଝିଅ ତଥା କଂଗ୍ରେସ ମହାସଚିବ ପ୍ରିୟଙ୍କା ଗାନ୍ଧୀଙ୍କୁ ବି ପ୍ରଥମଥର ପାଇଁ ଇଡି କାର୍ଯ୍ୟାଳୟକୁ ପ୍ରବେଶ କରିବାକୁ ଅନୁମତି ଦିଆଯାଇଥିଲା । ସୂତ୍ର ସୂଚନା ମୁତାବକ ସୋନିଆଙ୍କୁ ଜେରା ଚାଲିଥିବା ବେଳେ ପ୍ରିୟଙ୍କା ଗାନ୍ଧୀ ୨ ଥର ଯାଇ ମାଙ୍କୁ ଭେଟ କରିଛନ୍ତି । ଏଭଳି ସ୍ଥଳେ ଇଡି ପାଖା ପାଖି ୧୨ ଟି ପ୍ରଶ୍ନ ପଚାରିଥିଲା । ଏହାପରେ ସୋନିଆ ଚିକିତ୍ସା ପାଇଁ ଘରକୁ ଫେରିଯିବାକୁ ଅନୁମତି ମାଗିଥିଲେ । ଏନେଇ ଇଡି ତାଙ୍କୁ ଅନୁମତି ଦେବା ସହ ଆଗାମୀ ସୋମବାର ପୁଣି ହାଜର ହେବାକୁ ନୋଟିସ କରିଛି ।

କହିରଖୁ କି ନ୍ୟାସନାଲ ହେରାଲ୍ଡ ମାମଲାରେ ପ୍ରଥମେ ରାହୁଲ ଗାନ୍ଧୀଙ୍କୁ ଇଡି ତରଫରୁ ପାଖାପାଖି ୫୦ ଘଂଟା ଜେରା କରାଯାଇଥିଲା । ଏହା ସହ ସୋନିଆ ଗାନ୍ଧୀଙ୍କୁ ନୋଟିସ କରିଥିଲା । ହେଲେ ସେତେବେଳେ ସୋନିଆ ଗାନ୍ଧୀ ସ୍ୱାସ୍ଥ୍ୟଗତ କାରଣ ଦର୍ଶାଇ ବାରମ୍ବାର ହାଜର ହେବା ତାରିଖକୁ ଘୁଞ୍ଚାଇବାକୁ ଇଡିଙ୍କ ନିକଟରେ ଆବେଦନ କରିଥିଲେ । ଏହି କ୍ରମରେ ଆଜି ସେ ଇଡି କାର୍ଯ୍ୟାଳୟରେ ହାଜର ହୋଇଥିଲେ ।