କେଜ୍ରିୱାଲଙ୍କୁ ଇଡି ନୋଟିସ୍ । ମଦ ଦୁର୍ନୀତି ମାମଲାରେ ଉପମୁଖ୍ୟଙ୍କ ପରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲଙ୍କୁ ଇଡି ସମନ । ୨ ତାରିଖରେ ହାଜର ହେବେ
କନକ ବ୍ୟୁରୋ: ଇଡି ଜାଲରେ ଆମ ଆଦମୀ ପାର୍ଟି । ମଦ ଦୁର୍ନୀତି ମାମଲାରେ ମନ୍ତ୍ରୀ, ଉପ ମୁଖ୍ୟମନ୍ତ୍ରୀ ପରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲଙ୍କୁ ସମନ ଜାରି କରିଛି ପ୍ରବର୍ତନ ନିର୍ଦ୍ଦେଶାଳୟ । ନଭେମ୍ବର ୨ରେ କେଜରିୱାଲଙ୍କୁ ହାଜର ହେବାକୁ କୁହାଯାଇଛି । ଏହି ମାମଲାରେ ଏପ୍ରିଲରେ ସିବିଆଇ ଅରବିନ୍ଦ କେଜରିୱାଲଙ୍କୁ ପଚରାଉଚରା କରିଥିଲା । ଏହା ଆମ ଆଦମୀ ପାର୍ଟିକୁ ବଡ ଝଟକା ବୋଲି କୁହାଯାଉଛି ।

Kanak News is now on WhatsApp
Join and get latest news updates delivered to you via WhatsApp
ମଦ ଦୁର୍ନୀତି ମାମଲାରେ ଆପ୍ ନେତା ମନୀଷ ସିସୋଦିଆଙ୍କୁ ଜାମିନ ଦେବାକୁ ସୁପ୍ରିମକୋର୍ଟ ମନାକରିଦେଇଥିଲେ । ଦିଲ୍ଲୀରେ ୩୩୮ କୋଟିର ମଦ ଦୁର୍ନୀତି ମାମଲାରେ ଆମ ଆଦମୀ ପାର୍ଟି ନେତା ସଂଜୟ ସିଂ ଓ ମନୀଷ ସିସୋଦିଆକୁ ଗିରଫ କରିସାରିଛି ସିବିଆଇ । କେଜରିୱାଲଙ୍କୁ ଇଡି ନୋଟିସ ନେଇ ଦିଲ୍ଲୀ ମନ୍ତ୍ରୀ ସୌରଭ ଭରଦ୍ୱାଜ ପ୍ରତିକ୍ରିୟା ରଖିଛନ୍ତି । ସେ କହିଛନ୍ତି, କେନ୍ଦ୍ର ସରକାର ଦିଲ୍ଲୀରେ ଆମ ଆଦମୀ ପାର୍ଟିକୁ ଶେଷ କରିଦେବାକୁ ଚାହୁଁଛନ୍ତି । ୨୦୨୦, ୧୭ ନଭେମ୍ବରରେ ଦିଲ୍ଲୀରେ ନୂଆ ଅବକାରୀ ନୀତି ଲାଗୁ କରାଯାଇଥିଲା । ଏଥିରେ ମଦ ମାଫିଆଙ୍କୁ ଅହେତୁକ ଅନୁକମ୍ପା ଦେଖାଇବା ପାଇଁ ଆଇନର ଉଲ୍ଲଙ୍ଘନ ହୋଇଥିବା ଅଭିଯୋଗ ହୋଇଥିଲା । ଦିଲ୍ଲୀ ମୁଖ୍ୟ ସଚିବଙ୍କ ଏକ ରିପୋର୍ଟ ଆଧାରରେ ୨୨ ଜୁଲାଇ ୨୦୨୨ରେ ତତକାଳୀନ ଉପରାଜ୍ୟପାଳ ମାମଲାର ସିବିଆଇ ତଦନ୍ତ ପାଇଁ ସୁପାରିଶ କରିଥିଲେ । ୨୦୨୨ ଅଗଷ୍ଟ ୧୯ରେ ଦିଲ୍ଲୀର ପୂର୍ବତନ ଉପ ମୁଖ୍ୟମନ୍ତ୍ରୀ ମନୀଷ ଶିଶୋଦିଆଙ୍କ ସମେତ କିଛି ଆପ ନେତାଙ୍କ ଘରେ ଚଢାଉ ହୋଇଥିଲା । ମାମଲାରେ ଚଳିତବର୍ଷ ୨୭ ଫେବୃଆରୀରେ ମନୀଷ ଶିଶୋଦିଆଙ୍କୁ ଗିରଫ କରିଥିଲା ସିବିଆଇ । ଗତକାଲି ସୁପ୍ରିମକୋର୍ଟରେ ମନୀଷ ଶିଶୋଦିଆଙ୍କ ଜାମିନ ଆବେଦନ ଖାରଜ ହେବା ପରେ ଅରବିନ୍ଦ କେଜରିୱାଲଙ୍କୁ ହାଜର ହେବାକୁ ସମନ ଜାରି କରିଛି ଇଡି ।