ବିଜେଡି ବିଧାୟକ ପ୍ରଣବ ବଳବନ୍ତ ରାୟଙ୍କୁ ଇଡି କଲା ଜେରା : ଡି-ବ୍ରଦର୍ସଙ୍କ ସହ ସଂପୃକ୍ତି ନେଇ ପ୍ରଣବଙ୍କୁ ପ୍ରଶ୍ନ କଲେ ଇଡି ଅଧିକାରୀ

44

ଡି-ଲିଙ୍କରେ ବିଜେଡି ବିଧାୟକ ପ୍ରଣବ ବଳବନ୍ତ ରାୟଙ୍କୁ ଇଡି ଜେରା ପରେ ଅନେକ ପ୍ରଶ୍ନ ଉଙ୍କି ମାରୁଛି । ଡି-ବ୍ରଦର୍ସଙ୍କ ସହ ସଂପୃକ୍ତି ନେଇ ପ୍ରଣବଙ୍କୁ କି ପ୍ରଶ୍ନ କରିଥିଲେ ଇଡି ଅଧିକାରୀ । ବିଶ୍ୱସ୍ତ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ ପ୍ରଥମେ ଏକ ୨୦ ଟିକିଆ ପ୍ରଶ୍ନ ପଚାଇଥିଲା ଇଡି । ଏହାପରେ ଲୁହାପଥର ପରିବହନ କରୁଥିବା ପ୍ରଣବଙ୍କ ପରିବହନ କମ୍ପାନିର, ଡି-ଲିଙ୍କ ନେଇ ରହିଥିଲା ଅନେକ ପ୍ରଶ୍ନ । ଯାହାର ଉତ୍ତର ରଖିଥିଲେ ଧର୍ମଶାଳା ବିଧାୟକ ।

ବିଶ୍ୱସ୍ତ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ ଧର୍ମଶାଳା ବିଧାୟକ ପ୍ରଣବ ବଳବନ୍ତ ରାୟଙ୍କୁ ପ୍ରାୟ ୩ ଘଂଟା ଧରି ଗୁଡାଇ ତୁଡାଇ ପ୍ରଶ୍ନ କରିଥିଲା ପ୍ରବର୍ତ୍ତନ ନିର୍ଦ୍ଦେଶଳାୟ । ଡି-ବ୍ରଦର୍ସ ଲିଙ୍କ ଅଭିଯୋଗରେ ସମନ ପାଇ ହାଜର ହୋଇଥିବା ବିଜେଡି ବିଧାୟକଙ୍କ ପାଇଁ ଏକ ୨୦ଟିକିଆ ପ୍ରଶ୍ନ ତାଲିକା ପ୍ରସ୍ତୁତ କରିଥିଲେ ଇଡି ଅଧିକାରୀ । ପ୍ରଥମେ ଇଡିର ଜଣେ ଅଫିସର ପ୍ରଣବଙ୍କୁ ସାମ୍ନାସାମ୍ନି ବସାଇ ଏହି ତାଲିକାରେ ଥିବା ପ୍ରଶ୍ନର ଗୋଟିଗୋଟି କରି ଉତ୍ତର ଟିପିଥିଲେ ।

• ପ୍ରଥମେ ତାଙ୍କ ନାଁ, ଗାଁ, ଠିକଣା ଆଦି ବାବଦରେ ପ୍ରଶ୍ନ କରି ଉତ୍ତର ଜାଣିବାକୁ ଚାହିଁଥିଲେ ଇଡିର ଏହି ଅଧିକାରୀ ଜଣକ

• ଏହାପରେ ତାଙ୍କ ବାପା ଓ ସଂପର୍କୀୟ ମାନଙ୍କ ବାବଦରେ ତଥ୍ୟ ସଂଗ୍ରହ କରି ପ୍ରସ୍ତୁତ ହୋଇଥିବା ପ୍ରଶ୍ନାବଳୀକୁ ପୂରଣ କରିଥିଲେ

• ସେହିପରି ତାଲିକାରେ ବି ଥିଲା ବଳବନ୍ତରାୟ ଟ୍ରାନ୍ସପୋର୍ଟ କମ୍ପାନି ବାବଦରେ ପ୍ରଶ୍ନ, ଯାହାର ଗୋଟିଗୋଟି ଉତ୍ତର ପଚାରି ଟିପି ରଖିଥିଲେ ଅଧିକାରୀ ଜଣକ

ଏହିପରି ୨୦ଟି ପ୍ରଶ୍ନ ପଚାରି ଏଗୁଡିକର ଉତ୍ତର ଦେଇଥିଲେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟର ଜିଡିଙ୍କୁ । ଆଉ ଏବେ ପ୍ରଣବଙ୍କୁ ସାମ୍ନାରେ ବସାଇ ଅନ୍ୟକିଛି ପ୍ରଶ୍ନର ଉତ୍ତର ଚାହିଁଥିଲେ ଇଡିର ବରିଷ୍ଠ ଅଧିକାରୀ । ମିଳିଥିବା ସୂଚନା ଅନୁସାରେ ପ୍ରବଣଙ୍କୁ ଲୁହାପଥର ପରିବହନ କାରବାର ଏବଂ ଏହି ବ୍ୟବସାୟରେ ଧଳସାମନ୍ତ ଭାଇଙ୍କ ଲିଙ୍କ ନେଇ ପ୍ରଶ୍ନ କରିଥିଲେ ଅଧିକାରୀ ଜଣକ । ୨୦୦୦ରୁ ୨୦୧୦ ଯାଏଁ ବଳବନ୍ତରାୟ ଟ୍ରାନ୍ସପୋର୍ଟ କମ୍ପାନିର ନିର୍ଦ୍ଦେଶକ ଥିଲେ ପ୍ରଣବ ବଳବନ୍ତ ରାୟ

• ୨୦୧୪ରେ ସାଧାରଣ ନିର୍ବାଚନରେ ଧର୍ମଶାଳା ଆସନରୁ ବିଧାନସଭାକୁ ନିର୍ବାଚିତ ହେବା ପରେ ଏହି ପଦ ଛାଡି ଦେଇଥିଲେ ପ୍ରଣବ

• ତେବେ ଏହି ପରିବହନ କାରବାର ଓ କେଉଁ ମାନଙ୍କ ସହ ଡିଲ କରୁଥିଲା କମ୍ପାନି ସେବାବଦରେ ସବିଶେଷ ତଥ୍ୟ ଚାହିଁଥିଲେ ସଂପୃକ୍ତ ଇଡି ଅଧିକାରୀ

• ଆଉ ପ୍ରତି ତୃତୀୟ ପ୍ରଶ୍ନରେ ଥିଲା ଡି-ବ୍ରଦର୍ସ ଗ୍ୟାଙ୍ଗ ସହ ଲିଙ୍କ ନେଇ ପ୍ରଶ୍ନ, ଯେମିତି କି ଆପଣ ଧଳସାମନ୍ତ ଭାଇଙ୍କୁ ଜାଣନ୍ତି କି?

ଇଡିର ସମନ ପାଇ ସୋମବାର ଭୁବନେଶ୍ୱର ସ୍ଥିତ କାର୍ଯ୍ୟାଳୟରେ ହାଜର ହୋଇଥିଲେ ବିଧାୟକ ପ୍ରଣବ ବଳବନ୍ତରାୟ । ପ୍ରାୟ ୩ ଘଂଟା ଧରି ପଚରାଉଚରା ଭିତରେ ଡି-ଲିଙ୍କ ନେଇ ବିଭିନ୍ନ ପ୍ରଶ୍ନ ପଚାରିଥିଲେ ଇଡି ଅଧିକାରୀ । ଯାହା ଭିତରେ କିଛି ବ୍ୟକ୍ତିଙ୍କ ବାବଦରେ ବି ପ୍ରଶ୍ନ ରହିଥିଲା । ଆଉ ସେମାନଙ୍କ ବାବଦରେ ସବିଶେଷ ତଥ୍ୟ ପାଇଲେ ଯାଇ କିଛି କହିପାରିବେ ବୋଲି ରୋକଠୋକ ଜଣାଇଦେଇଥିଲେ ପ୍ରଣବ । ଯାହାକୁ ସେ ତାଙ୍କ ଓକିଲ ଜରିଆରେ ଇଡିରେ ଦାଖଲ କରିବେ ବୋଲି କହିଛନ୍ତି । ସେହିପରି ଇଡି ସମନ୍ ତାଙ୍କ ନିକଟରେ ପହଂଚିବା ଆଗରୁ ଗଣମାଧ୍ୟମ ନିକଟକୁ କିଭଳି ଗଲାବୋଲି ମଧ୍ୟ ପ୍ରଣବ ପାଲଟା ପ୍ରଶ୍ନ କରିଥିଲେ ସଂପୃକ୍ତ ଅଧିକାରୀଙ୍କୁ । ତଦନ୍ତରୁ ଇଡି କି ତଥ୍ୟ ପାଇଲା ତାହା ଯେତିକି ଗୁରୁତ୍ୱପୂର୍ଣ୍ଣ ନୁହେଁ ଚିଟଫଣ୍ଡ ମାମଲାରେ ବିଜେଡିର କିଛି ନେତା ଇଡି ତଦନ୍ତର ସାମ୍ନା କରିଥିବାବେଳେ ପ୍ରଥମଥର ଲାଗି ଏକ ଅପରାଧୀ ଗ୍ୟାଙ୍ଗ ସହ ସଂପୃ୍କ୍ତି ଅଭିଯୋଗରେ ଜଣେ ବିଜେଡି ବିଧାୟକ ଇଡି ତଦନ୍ତର ସମ୍ମୁଖୀନ ହୋଇଛନ୍ତି ।