କନକ ବ୍ୟୁରୋ : ଆମ୍ ଆଦମୀ ପାର୍ଟିର ରାଜ୍ୟସଭା ସାଂସଦ ସଂଜୟ ସିଂ ବୁଧବାର ଦିନ ଏକ ସାମ୍ବାଦିକ ସମ୍ମିଳନୀ କରି ଇଡି ବା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଉପରେ ସଂଗୀନ ଅଭିଯୋଗ ଆଣିଛନ୍ତି । ଦିଲ୍ଲୀ ଅବକାରୀ ନୀତି ଦୁର୍ନୀତି ମାମଲାରେ ଇଡି କରୁଥିବା ଯାଂଚକୁ ନେଇ ବଡ ଖୁଲାସା କରିଛନ୍ତି ସଂଜୟ ସିଂ । ସେ କହିଛନ୍ତି କି ଅବକାରୀ ନୀତି ଦୁର୍ନୀତି ମାମଲାରେ ଗିରଫ ହୋଇଥିବା ଚନ୍ଦନ ରେଡ୍ଡୀଙ୍କୁ ଇଡି ଏତେ ଜୋରରେ ମାଡ ମାରିଛି କି ତାଙ୍କ କାନର ପରଦା ଫାଟି ଯାଇଛି । କେବଳ ସେତିକି ନୁହେଁ ଇଡି ଅଫିସ ଭିତରେ ଥିବା କିଛି ବେସରକାରୀ ଲୋକମଧ୍ୟ ଚନ୍ଦନ ରେଡ୍ଡୀଙ୍କୁ ମାଡ ମାରିଥିବା ସଂଜୟ ସିଂ ଅଭିଯୋଗ କରିଛନ୍ତି ।

Advertisment

ସେପଟେ ଚନ୍ଦନ ରେଡ୍ଡୀ ବି ଏହି ମାମଲାକୁ ନେଇ ଦିଲ୍ଲୀ ହାଇକୋର୍ଟରେ ଅଭିଯୋଗ ଦାଖଲ କରିଛନ୍ତି । ଆପ୍ ସାଂସଦ ସଂଜୟ ସିଂ ଇଡି ଆଢୁଆଳରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ମଧ୍ୟ ଟାର୍ଗେଟ କରିଛନ୍ତି । ଏହାସହ ଇଡି ଅଭିଯୁକ୍ତମାନଙ୍କ ପରିବାର ଲୋକଙ୍କ ଧମକ ଚମକ ଦେଉଥିବା ଅଭିଯୋଗ କରିଛନ୍ତି ସଂଜୟ ସିଂ । ସେ କହିଛନ୍ତି କି, ଦିଲ୍ଲୀ ଅବକାରୀ ନୀତି ଦୁର୍ନୀତି ମାମଲାରେ ଅଭିଯୁକ୍ତ ଅରୁଣ ପିଲ୍ଲାଇଙ୍କ ପରିବାର ଲୋକଙ୍କୁ ଇଡି ତରଫରୁ ଧମକ ଦିଆଯାଉଛି । ସମୀର ମେହେନ୍ଦୁଙ୍କ ପତ୍ନୀଙ୍କୁ ଧମକ ଦିଆଯାଇ ତାଙ୍କ ବୟାନ ରେକର୍ଡ କରାଯାଇଛି । ଅଭିଯୁକ୍ତ ମନାସ୍ୱାମୀ ଅଦାଲତରେ ଅଭିଯୋଗ କରିଛନ୍ତି କି, ତାଙ୍କୁ ଧମକ ଦେଇ ଇଡି ମିଥ୍ୟା ବୟାନ ରେକର୍ଡ କରିଛି ।