ମରିଛି ଗ୍ୟାଙ୍ଗଷ୍ଟର, ସରିନି କାହାଣୀ । ପୁଲିସ ଖୋଜୁଛି ବିକାଶ ଦୁବେର କଳା ସାମ୍ରାଜ୍ୟର ଚେର, ବେଆଇନ ସମ୍ପତ୍ତି ଓ ଆର୍ଥିକ କାରବାରର ଯାଂଚ କରୁଛି ଇଡି ।

1,410

କନକ ବ୍ୟୁରୋ : ମୋଷ୍ଟ ୱାଂଟେଡ଼ ଅପରାଧୀ ବିକାଶ ଦୁବେର ମୃତ୍ରୁ୍ୟ ପରେ ବି ତାର ଅପରାଧିକ ସାମ୍ରାଜ୍ୟର ଚେର ଖୋଜୁଛି ପୁଲିସ । ଯାହାକୁ ନେଇ ତାର ସମ୍ପତି ତାଲିକାର ତଦନ୍ତ ଆରମ୍ଭ କରିଛି ପ୍ରବର୍ତନ ନିର୍ଦ୍ଦେଶାଳୟ । ଉତ୍ତରପ୍ରଦେଶ ପୋଲିସକୁ ବିକାଶର ସମ୍ପତି ଓ ଅର୍ଥନୈତିକ କାରବାର ସୂଚନା ମାଗିଛି ଇଡି । ଯାହା ତଥ୍ୟ ମିଳିଛି କାନପୁରରୁ ଆରମ୍ଭ କରି ଦୁବାଇ, ଥାଇଲାଣ୍ଡ ଯାଏଁ ଲମ୍ବିଥିଲା ବିକାଶର କଳା ସାମ୍ରାଜ୍ୟର ଚେର ।

ଖୋଲିବ କି ବିକାଶର କଳା ସାମାଜ୍ୟ? ପ୍ରବର୍ତ୍ତନ ନିର୍ଦ୍ଦେଶାଳୟର ଛାନଭିନ୍ । ୟୁପିର ମୋଷ୍ଟ ୱାଂଟେଡ୍ ଗ୍ୟାଙ୍ଗଷ୍ଟର ବିକାଶ ଦୁବେର ମୃ୍ତ୍ୟୁ ପରେ, ଏବେ ଚାଲିଛି ତାର ସମ୍ପତିର ଖୋଳତାଡ । ବିକାଶର ସମ୍ପତି ଏବଂ ତାର ଅର୍ଥନୈତିକ କାରବାରର ତଦନ୍ତ ଆରମ୍ଭ କରିଛି ପ୍ରବର୍ତନ ନିର୍ଦ୍ଦେଶାଳୟ । ଏନେଇ ଉତ୍ତରପ୍ରଦେଶ ପୁଲିସକୁ ବିକାଶ ସମ୍ପତିର ତାଲିକା ମାଗିଛି ଇଡି । ତଥ୍ୟ ମିଳିଛି, ବିକାଶ ନିଜର ଖାସ ସହଯୋଗୀ ଜୟ ବାଜପେୟୀ ଜରିଆରେ ନିଜର ସବୁ କାରବାର ବୁଝୁଥିଲା । ଇଡିର ପ୍ରାରମ୍ଭିକ ସନ୍ଧାନରୁ ଯାହା ତଥ୍ୟ ମିଳିଛି,

– ଗ୍ୟାଙ୍ଗଷ୍ଟର ବିକାଶର ଅର୍ଥନୈତିକ ଚେର ଦୁବାଇ ଓ ଥାଇଲ୍ୟାଣ୍ଡ ପର୍ଯ୍ୟନ୍ତ ଲମ୍ବିଛି
– ବିକାଶର ବେଆଇନ ଭାବେ ୧୧ଟି ଘର ଓ ୧୬ଟି ଫ୍ଲାଟ୍ ରହିଛି
– କେବଳ ଲକ୍ଷେ୍ନøରେ ଦୁଇଟି ବଡ଼ ବଡ଼ ବଙ୍ଗଳା ରହିଛି ବିକାଶର
– ଦୁବାଇ ଓ ଥାଇଲ୍ୟାଣ୍ଡରେ ବି ରହିଛି ବିକାଶର ଘର
– ବିମୁଦ୍ରାକରଣ ପୂର୍ବରୁ ୬କୋଟିରୁ ଅଧିକା ଟଙ୍କାର ସୁଧ କାରବାର କରିଛି ବିକାଶ
– ଗତ ୩ ବର୍ଷରେ ୧୪ଟି ଦେଶ ଭ୍ରମଣ କରିଛି ଗ୍ୟାଙ୍ଗଷ୍ଟର ବିକାଶ

ବିକାଶର ଅର୍ଥନୈତିକ କାରୋବାର ବିଷୟରେ ପଚରା ଉଚୁରା ପାଇଁ ପତ୍ନୀ ରିଚା ଦୁବେଙ୍କୁ ଜେରା କରୁଛି ପୋଲିସ । ବିଶେଷକରି ବିକାଶ ସହ ଅର୍ଥନୈତିକ ଏବଂ ରାଜନେତାଙ୍କ ସମ୍ପର୍କ ନେଇ ଅଧିକ ତଦନ୍ତ ଚାଲିଛି ।

ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଉତ୍ତରପ୍ରଦେଶ ପୋଲିସକୁ ବିକାଶ ଦୁବେ ଏବଂ ତାର ପରିବାର ସଦସ୍ୟଙ୍କ ଅପରାଧିକ ଗତିବିଧିରେ ସମ୍ପୃକ୍ତ ଥିବା ସହଯୋଗୀଙ୍କ ବିବରଣୀ ମାଗିଛି । ଏହା ବିକାଶ ଦୁବେ ନାଁରେ ବର୍ତମାନ ଥିବା ଅପରାଧିକ ମାମଲାର ସ୍ଥିତି ସମ୍ପର୍କରେ ସୂଚନା ମାଗିଛି । ସେପଟେ ବିକାଶ ଦୁବେର କାନପୁର ସ୍ଥିତ ବିକାରୁ ଗାଁରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି । ବିକାଶ ଦୁବେର ଗାଁରେ ରାପିଡ଼ ଆକ୍ସନ ଫୋର୍ସକୁ ମୁତୟନ କରାଯାଇଛି ।

ଜୁଲାଇ ୨ତାରିଖରେ କାନପୁର ବିକାରୁ ଗାଁରେ ୮ଜଣ ପୋଲିସ କର୍ମୀଙ୍କ ହତ୍ୟା କରି ଫେରାର ଥିଲା ଗ୍ୟାଙ୍ଗଷ୍ଟର ବିକାଶ ଦୁବେ । ଏହା ପରେ ପୋଲିସ ବିକାଶକୁ ଖୋଜିବା ପାଇଁ ଛାନଭିନ୍ ଆରମ୍ଭ କରିଥିଲା । ଶେଷରେ ଗୁରୁବାର ମଧ୍ୟପ୍ରଦେଶ ଉଜ୍ଜୈନରୁ ବିକାଶକୁ ଗିରଫ କରାଯାଇଥିଲା । ଶୁକ୍ରବାର ତାକୁ ଉଜ୍ଜୈନରୁ କାନପୁର ଆଣିବା ବାଟରେ ପୋଲିସ ଏନକାଉଂଟରରେ ବିକାଶର ମୃତ୍ୟୁ ହୋଇଛି ।