ଜମି ଘୋଟାଲା ମାମଲାରେ ହେମନ୍ତ ସୋରେନଙ୍କୁ ବାନ୍ଧିଲା ଇଡି । ଆଜି ସ୍ପେଶାଲ କୋର୍ଟରେ ହାଜର କରାଇ ରିମାଣ୍ଡ ଆବେଦନ କରିପାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ

160

କନକ ବ୍ୟୁରୋ: ଝାଡ଼ଖଣ୍ଡ ରାଜନୀତିରେ ବଡ଼ ହଟଚମଟ । ଜମି ଘୋଟାଲାରେ ୭ଘଣ୍ଟାର ମାରାଥନ ଜେରା ପରେ ହେମନ୍ତ ସୋରେନଙ୍କୁ ବାନ୍ଧିଛି ଇଡ଼ି । ଆଜି ହେମନ୍ତଙ୍କୁ ସ୍ପେଶାଲ କୋର୍ଟରେ ହାଜର କରିବା ସହିତ ୭ଦିନିଆ ରିମାଣ୍ଡ ପାଇଁ ଆବେଦନ କରିପାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ । ସେପଟେ ଇଡି ବିପକ୍ଷରେ ହେମନ୍ତ ସୋରେନ ହାଇକୋର୍ଟରେ ଦାଖଲ କରିଥିବା ଯାଚିକା ଉପରେ ମଧ୍ୟ ସକାଳ ୧୦ଟାରେ ଶୁଣାଣି ହୋଇପାରେ । ଜେରା ପୂର୍ବରୁ ହେମନ୍ତ ସୋରେନ୍ ଇଡି ଅଧିକାରୀଙ୍କ ସହ ରାଜଭବନ ଯାଇ ରାଜ୍ୟପାଳଙ୍କୁ ନିଜର ଇସ୍ତଫା ପତ୍ର ପ୍ରଦାନ କରିଥିଲେ । ପରେ ହେମନ୍ତ ସୋରେନ ବାସଭବନକୁ ଫେରିଥିବା ବେଳେ ତାଙ୍କୁ ଗିରଫ କରିଛି ଇଡ଼ି । ଗିରଫ ପରେ ଇଡି ହାଜତରେ ହେମନ୍ତଙ୍କ ପ୍ରଥମ ରାତି କଟିଥିବା ବେଳେ ଆଜି ତାଙ୍କୁ କୋର୍ଟରେ ହାଜର କରିବା ସହ ଇଡି ରିମାଣ୍ଡ ଆବେଦନ କରିବ ।

ଗିରଫ ପରେ ହେମନ୍ତ ସୋରେନ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରିଛନ୍ତି । ଆଗକୁ ନିର୍ବାଚନ ଆସୁଥିବା ବେଳେ ଇଡିକୁ ଅସ୍ତ୍ର କରି ତାଙ୍କୁ ଗିରଫ କରାଯାଇଥିବା ଅଭିଯୋଗ ଆଣିଛନ୍ତି । ସେପଟେ ଏସସି/ ଏସଟି ଆକ୍ଟରେ ହେମନ୍ତ ସୋରେନ ତାଙ୍କ ବାସଭବନରେ ଚଢାଉ କରିଥିବା ୪ଜଣ ଇଡି ଅଧିକାରୀଙ୍କ ନାଁରେ ମାମଲା ରୁଜୁ କରିଛନ୍ତି । ମାନହାନୀ ନେଇ ବିଜେପି ବିରୋଧରେ ମାମଲା ରୁଜୁ କରିବାକୁ ମଧ୍ୟ ଚେତାବନୀ ଦେଇଛି ଝାଡ଼ଖଣ୍ଡ ମୁକ୍ତିମୋର୍ଚ୍ଚା ।