କନକ ବ୍ୟୁରୋ : ଗରିବ ଦିନ ମଜୁରିଆଙ୍କ ହାତରେ ପ୍ରତିଦିନ କିଏ ଧରାଇ ଦେଉଛି ୨୦୦୦ ଟଙ୍କିଆ ନୋଟ୍? ୨୦ ହଜାର ଟଙ୍କା ବଦଳ କରିବାକୁ କିଛି ନିର୍ଦ୍ଦିଷ୍ଟ ବ୍ୟକ୍ତି ପ୍ରତିଦିନ ଆସୁଥିବାରୁ ଏହି ସନ୍ଦେହ ବଢିବାରେ ଲାଗିଛି ।

Advertisment

କେଉଁ ଧନୀ ବ୍ୟକ୍ତିଙ୍କ କଳା ଟଙ୍କାକୁ ଧଳା କରିବା ପାଇଁ ଏମାନେ ବାରମ୍ବାର ଆରବିଆଇ ଆଂଚଳିକ କାର୍ଯ୍ୟାଳୟ ଆଗରେ ଧାଡି ଲଗାଉଛନ୍ତି? କଳାଧନର ସେହି କୁବେରଙ୍କୁ ଖୋଜିବା ପାଇଁ ଏବେ ତତ୍ପରତା ଆରମ୍ଭ ହୋଇଛି । ଇଓଡବ୍ଲୁର ଟିମ୍ ପହଂଚି ଆରବିଆଇ ଆଗରେ ଧାଡିରେ ଛିଡା ହୋଇଥିବା ଲୋକଙ୍କୁ ପଚରାଉଚରା କରିଛି । ସେହିପରି ପ୍ରବର୍ତନ ନିର୍ଦ୍ଦେଶାଳୟ ବା ଇଡିର ଦୁଇ ଜଣିଆ ଟିମ୍ ମଧ୍ୟ ଏହି ଲୋକଙ୍କୁ ଭେଟିଛି । ଧାଡିରେ ଛିଡା ହୋଇଥିବା ଲୋକଙ୍କ ଆଧାରକାର୍ଡ ଯାଂଚ କରିଛି ।

ଇଡି ଓ ଇଓଡବ୍ଲୁର ଯାଂଚ୍
-    ଯେଉଁ ଟଙ୍କା ବଦଳ କରିବାକୁ ଆଣିଛନ୍ତି ତାହା ତାଙ୍କର ନା ଆଉ କାହାର?
-    ଟଙ୍କା ବଦଳ କରିବା ପାଇଁ ସେମାନଙ୍କୁ କିଏ ଆରବିଆଇକୁ ପଠାଇଛି କି?
-    ଟଙ୍କା ବଦଳାଇବା ପଛରେ କିଛି ରାକେଟ୍ କାମ କରୁନାହିଁ ତ?
ଏହି ସବୁ ପ୍ରଶ୍ନର ଉତର ଜାଣିବା ପାଇଁ ଚାହିଁଛନ୍ତି ତଦନ୍ତକାରୀ ଅଧିକାରୀ । କାରଣ ଆରବିଆଇ କର୍ତ୍ତୁପକ୍ଷଙ୍କ ସୂଚନା ଅନୁସାରେ ପ୍ରତିଦିନ ୬୦୦ରୁ ୭୦୦ ଲୋକ ଟଙ୍କା ବଦଳ କରିବାକୁ ଆସୁଛନ୍ତି    । ଦିନକୁ ସର୍ବାଧିକ ୨୦ ହଜାର ଟଙ୍କା ବଦଳ ହୋଇପାରୁଥିବାରୁ କିଛି ଲୋକ ବାରମ୍ବାର ଆସୁଛନ୍ତି । ୯୫% ଟଙ୍କା ବଦଳ ହେଉଥିବାବେଳେ ମାତ୍ର ୫% ଟଙ୍କା ଆକାଉଂଟରେ ଜମା ହେଉଛି । ପ୍ରତିଦିନ ପାଖାପାଖି ୨ କୋଟିର ୨୦୦୦ ଟଙ୍କିଆ ବଦଳ ହେଉଛି । ଅନୁମାନ କରାଯାଉଛି କଳାଧନକୁ ଲୁଚାଇ ରଖିଥିବା କିଛି ବଡବଡିଆ ଗରିବ, ଖଟିଖିଆ, ଦିନ ମଜୁରିଆଙ୍କ ଜରିଆରେ ଟଙ୍କା ବଦଳ କରୁଛନ୍ତି । ଏଥିପାଇଁ କିଛି ଦଲାଲଙ୍କୁ ନିୟୋଜିତ କରାଯାଇଛି । ୨୦ ହଜାର ଟଙ୍କା ବଦଳ କଲେ ଜଣକୁ ୨୦୦ରୁ ୩୦୦ ଟଙ୍କା ମିଳୁଛି । କ୍ୟାମେରା ସାମ୍ନାରେ କହୁନଥିଲେ ମଧ୍ୟ ଦଲାଲ ଏଥିପାଇଁ ୧୭୦୦ ଟଙ୍କା ନେଉଥିବା ଜଣାପଡିଛି ।

ଏହି ଖବର ସଂଗ୍ରହ କଲାବେଳେ ଆଉଏକ ଅଦ୍ଭୁତ ଦୃଶ୍ୟ ଦେଖିବାକୁ ମିଳିଛି । ଆରବିଆଇ ଆଗରେ ବୁଲୁଥିବା କିଛି ଦଲାଲ ସାଧାରଣ ଲୋକଙ୍କୁ ମଧ୍ୟ ଟାର୍ଗେଟ କରୁଛନ୍ତି । ଯିଏ ଘଂଟାଘଂଟା ଧାଡିରେ ଛିଡାହୋଇ ସୁଦ୍ଧା ଟଙ୍କା ବଦଳ କରିପାରୁ ନାହାନ୍ତି ସେମାନଙ୍କଠାରୁ ୨୦୦୦ ଟଙ୍କା ନେଇ ନିଜେ ୧୯୦୦ ଟଙ୍କା ଫେରସ୍ତ କରୁଛନ୍ତି । ଅର୍ଥାତ ଆରବିଆଇ ବାହାରେ ବି ଚାଲିଛି ଟଙ୍କା ବଦଳ ।

ସବୁଠାରୁ ବଡକଥା ହେଉଛି ଏଭଳି ଦୃଶ୍ୟ ପ୍ରତିଦିନ ଆରବିଆଇ ସାମ୍ନାରୁ ଆସୁଛି । ଦିନମଜୁରିଆଙ୍କୁ ଲଗାଇ ଦଲାଲ କିଛି ବଡବଡିଆଙ୍କ ଟଙ୍କା ବଦଳ କରୁଛନ୍ତି । ହେଲେ ଏଯାଏ ସେହି ଦଲାଲମାନଙ୍କୁ ଚିହ୍ନଟ କରାଯାଇପାରୁ ନାହିଁ ।