କଥା ରଖିଲେ କେନ୍ଦ୍ର ସରକାର । ରମଜାନରେ ଜମ୍ମୁ-କାଶ୍ମୀରରେ ହେବ ନାହିଁ ଆତଙ୍କବାଦୀ ବିରୋଧୀ ଅପରେସନ

27

କନକ ବ୍ୟୁରୋ : ଶେଷରେ କଥା ରଖିଲେ କେନ୍ଦ୍ର ସରକାର । ଜମ୍ମୁ-କାଶ୍ମୀର ମୁଖ୍ୟମନ୍ତ୍ରୀଙ୍କ ଅନୁରୋଧ କ୍ରମେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କ ପ୍ରସ୍ତାବକୁ ସହମତି ଦେଇଛନ୍ତି । ପବିତ୍ର ରମଜାନ ସମୟରେ ଜମ୍ମୁ-କାଶ୍ମୀରରେ ଆତଙ୍କବାଦୀଙ୍କ ବିରୋଧରେ ହେଉଥିବା ଅପରେସନ କରାଯିବ ନାହିଁ । ଚଳିତ ମାସ ୧୮ ତାରିଖରୁ ପବିତ୍ର ରମଜାନ ମାସ ଆରମ୍ଭ ହେଉଛି । ତେଣୁ ଜମ୍ମୁ-କାଶ୍ମୀର ମୁଖ୍ୟମନ୍ତ୍ରୀ କେନ୍ଦ୍ରସରକାରଙ୍କୁ ଅପରେସନ ନକରିବା ପାଇଁ ଚିଠି ଦ୍ୱାରା ଅନୁରୋଧ କରିଥିଲେ । ତେବେ ଚିଠିର ଉତ୍ତର ଦେଇ କେନ୍ଦ୍ର ଗୃହମନ୍ତ୍ରଣାଳୟ ତରଫରୁ ମେହେବୁବା ମୁଫତିଙ୍କୁ କୁହାଯାଇଛି ଯେ ରମଜାନ ସମୟରେ ଆତଙ୍କବାଦୀ ବିରୋଧରେ ଅପରେସନ କରାଯିବ ନାହିଁ । କିନ୍ତୁ ଯଦି କୌଣସି ଆତଙ୍କୀ ଆକ୍ରମଣ ହୁଏ ତେବେ ଏହା ବିରୋଧରେ ଯବାନମାନେ ପ୍ରତି ଉତ୍ତର ଦେବେ ।

ତେବେ ଏହାପରେ ମଧ୍ୟ ଜମ୍ମୁ-କାଶ୍ମୀର ସୁରକ୍ଷା ଦାୟିତ୍ୱରେ ଥିବା ଯବାନମାନେ ସଜାଗ ରହିବା ସହ ଆତଙ୍କୀ ଆକ୍ରମଣର ପାଲଟା ଜବାବ ଦେବାପାଇଁ ପ୍ରସ୍ତୁତ । ତେବେ ମୁଫତିଙ୍କ ଏହି ଅସ୍ତ୍ରବିରତି ରହିବା ପ୍ରସ୍ତାବ ଉପରେ ଯବାନମାନେ ଅସନ୍ତୋଷ ପ୍ରକାଶ କରିଥିଲେ । ଏବଂ ଏହାସହ ଗୃହମନ୍ତ୍ରଣାଳୟକୁ ଏଭଳି ପ୍ରସ୍ତାବକୁ ଖଣ୍ଡନ କରିବା ପାଈଁ ସୁରକ୍ଷା କର୍ମୀ ଅନୁରୋଧ କରିଥିଲେ । ତେବେ କେନ୍ଦ୍ର ସରକାରଙ୍କ ଏହି ନିଷ୍ପତି କ୍ରମେ ଜୁନ ୨୬ ଅମରନାଥ ଯାତ୍ରା ପର୍ଯ୍ୟନ୍ତ ଅସ୍ତ୍ରବିରତି (ଅପରେସନ) ରହିବ ବୋଲି ଜଣାପଡିଛି ।