ଇକ୍ୱାଡୋର ଜେଲରେ ହିଂସା । ୬୮ କଏଦୀ ମୃତ ।

265

କନକ ବ୍ୟୁରୋ: ଇକ୍ୱାଡୋରର ସବୁଠୁ ବଡ ଜେଲରେ ବନ୍ଦୀ ଥିବା ଡ୍ରଗ୍ସ ମାଫିଆଙ୍କ ମଧ୍ୟରେ ହିଂସା ଘଟି ୬୮ କଏଦୀଙ୍କର ମୃତ୍ୟୁ ହୋଇଛି । ଏଠିକାର ସବୁଠୁ ବଡ ଜେଲ ଲିଟୋରାଲ୍ ପେନେଟାନଶେରୀରେ ଶନିବାର କଏଦୀ ମାନଙ୍କ ମଧ୍ୟରେ ହିଂସା ହେବାରୁ ୬୮ ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ୨୫ଜଣ ଗୁରୁତର ଆହତ ହୋଇଛନ୍ତି । ଦୀର୍ଘ ସମୟ ପର୍ଯ୍ୟନ୍ତ ଏହି ହିଂସାକୁ ନିୟନ୍ତ୍ରଣ କରାଯାଇପାରିନଥିଲା ।

ଜେଲ ଅଧିକାରୀଙ୍କ ସୂଚନା ମୁତାବକ, ଜେଲରେ ବନ୍ଦୀ ଥିବା ଡ୍ରଗ୍ସ ମାଫିଆଙ୍କ ମଧ୍ୟରେ ହିଂସା ସୃଷ୍ଟି ହୋଇଥିଲା । ଏହି ହିଂସା ପାଖାପାଖି ୮ ଘଣ୍ଟା ଯାଏଁ ଚାଲିଥିଲା । କଏଦୀମାନେ ଦୁଇ ନମ୍ବର ପ୍ୟାଭିଲିନକୁ ଯିବାକୁ ଚେଷ୍ଟା କରୁଥିଲେ । ଏଥିପାଇଁ ଜେଲ ପାଚେରୀକୁ ଡିନାମାଇଟ ଲଗାଇ ଭାଙ୍ଗିବାକୁ ଚାହୁଁଥିଲେ । ଏହି ସମୟରେ ଜେଲ ପୋଲିସ ଓ କଏଦୀଙ୍କ ମଧ୍ୟରେ ଏନକାଉଣ୍ଟର ହୋଇଥିଲା । ଫଳରେ ଘଟଣାସ୍ଥଳରେ ୬୮ ଜଣ କଏଦୀଙ୍କ ମୃତ୍ୟୁ ହୋଇଥିବାବେଳେ ଏକାଧିକ ଆହତ ହୋଇଛନ୍ତି । ତେବେ କଏଦୀ ମାନଙ୍କ ପାଖରେ ଏତେ ଅସ୍ତ୍ରଶସ୍ତ୍ର କେଉଁଠୁ ଆସୁଛି ସେ ନେଇ ଯାଞ୍ଚ ଚାଲିଛି । ଏଥିପାଇଁ ଜେଲ ଅଧିକାରୀଙ୍କ ବେପରୁଆ ମନୋଭାବକୁ ଦାୟୀ କରାଯାଇଛି ।

ଏହା ପୂର୍ବରୁ ମଧ୍ୟ ଏହି ଜେଲରେ ଗତ ସେପ୍ଟେମ୍ବର ମାସରେ ବଡ ଧରଣର ହିଂସା ହୋଇଥିଲା । ଏହି ହିଂସାରେ ୧୧୯ଜଣ କଏଦୀଙ୍କର ମୃତ୍ୟୁ ହୋଇଥିଲା ।ଏହି ଜେଲରେ ୮୦୦୦ରୁ ଅଧିକ କଏଦୀ ରହୁଥିବାବେଳେ ବାରମ୍ବାର ହିଂସା ଘଟିବା ଚିନ୍ତାର ବିଷୟ ହୋଇଛି ।