ପଶ୍ଚିମବଙ୍ଗ ହିଂସାକାଣ୍ଡ ପରେ ନିର୍ବାଚନ କମିଶନଙ୍କ ବଡ ନିଷ୍ପତି । ଆଜି ରାତି ୧୦ ପରେ ପ୍ରଚାର ବନ୍ଦ। ମମତା କହିଲେ, ନିର୍ବାଚନ କମିଶନ ନୁହେଁ ମୋଦି-ଶାହା ନେଇଛନ୍ତି ନିଷ୍ପତି

ବିଜେପି କହିଲା, ଆମର ହେବ ଅଧିକ କ୍ଷତି

99

କନକ ବ୍ୟୁରୋ: ଦିନକ ଆଗରୁ ବନ୍ଦ ହେବ ପଶ୍ଟିମବଙ୍ଗରେ ପ୍ରଚାର । ପଶ୍ଚିମବଙ୍ଗରେ ହିଂସାକାଣ୍ଡ ଯୋଗୁଁ ନିର୍ବାଚନ କମିଶନ ନେଇଛନ୍ତି ଏଭଳି ବଡ ନିଷ୍ପତି । ଆଜି ରାତି ୧୦ଟା ପରେ ପଶ୍ଚିମବଙ୍ଗରେ ଆଉ ନିର୍ବାଚନୀ ପ୍ରଚାର ହେବନାହିଁ । ଏହା ଉପରେ କଟକଣା ଲଗାଇଛନ୍ତି ନିର୍ବାଚନ କମିଶନ । ଏଥିସହ ରାଜ୍ୟ ଗୃହ ସଚିବଙ୍କୁ ଛୁଟିରେ ଯିବାକୁ ନିର୍ଦେଶ ଦିଆଯାଇଛି । ମତଦାନ ପ୍ରକ୍ରିୟାରେ ସେ ହସ୍ତକ୍ଷେପ କରିଥିବା ଅଭିଯୋଗ ପରେ ନିର୍ବାଚନ କମିଶନ ଏଭଳି ନିଷ୍ପତି ନେଇଛନ୍ତି । ଏନେଇ ମୁଖ୍ୟ ଶାସନ ସଚିବଙ୍କୁ ଏକ ଚିଠି ଦ୍ୱାରା ସୂଚନା ଦେଇଛନ୍ତି ନିର୍ବାଚନ କମିଶନ ।

ଏହା ସହ ସିଆଇଡି ଏଡିଜି ରାଜୀବ କୁମାରଙ୍କୁ ମଧ୍ୟ ଦାୟିତ୍ୱରୁ ହଟାଯାଇଛି । ଆଜି ଦିନ ୧୦ଟା ସୁଦ୍ଧା ସ୍ୱରାଷ୍ଟ୍ର ମନ୍ତ୍ରାଳୟରେ ହାଜର ହେବାକୁ ରାଜୀବଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ଆସନ୍ତା ୧୯ ତାରିଖ, ଶେଷ ପର୍ଯ୍ୟାୟରେ ପଶ୍ଚିମବଙ୍ଗରେ ମତଦାନ ହେବ । ତେବେ ଏହା ପୂର୍ବରୁ ମଙ୍ଗଳବାର ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହା କୋଲକାତାରେ ନିର୍ବାଚନୀ ପ୍ରଚାର କରୁଥିବା ବେଳେ ରାଜନୈତିକ ହିଂସାକାଣ୍ଡ ଘଟିଥିଲା । ଶାହାଙ୍କ ରାଲି ଉପରକୁ ଟେକାପଥର ମାଡ ହୋଇଥିଲା । କୋଲକାତା ବିଶ୍ୱବିଦ୍ୟାଳୟ ନିକଟରେ ଯେତେବେଳେ ଅମିତ ଶାହାଙ୍କ ର‌୍ୟାଲି ଯାଉଥିଲା ସେହି ସମୟରେ ବାମ ଦଳର ଛାତ୍ର ନେତା ଏବଂ ବିଜେପିର ଛାତ୍ରନେତାମାନେ ମୁହାଁମୁହିଁ ହୋଇଥିଲେ । ଉଭୟଙ୍କ ମଧ୍ୟରେ ପାଟିତୁଣ୍ଡ ମଧ୍ୟ ହୋଇଥିଲା ।

ପ୍ରଚାର କଟକଣାକୁ ନେଇ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଛନ୍ତି ପଶ୍ଚିମ ବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ । କହିଛନ୍ତି, ଏହା ନିର୍ବାଚନ କମିଶନଙ୍କ ନିଷ୍ପତି ନୁହେଁ ବରଂ ବିଜେପି ଏବଂ ମୋଦି-ଅମିତ ଶାହାଙ୍କ ନିଷ୍ପତି ।

ଅନ୍ୟପକ୍ଷରେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜିଙ୍କ ଉପରେ ବର୍ଷିଛନ୍ତି ବିଜେପି ନେତା ମୁକୁଲ ରାୟ । ପ୍ରଚାର ସମ୍ବନ୍ଧିତ ନିର୍ବାଚନ କମିଶନ ନେଇଥିବା ନିଷ୍ପତିକୁ ତାଙ୍କ ଦଳ ମାନିବ ବୋଲି ସେ କହିଛନ୍ତି । ମୁକୁଲ କହିଛନ୍ତି ଯେ ପଶ୍ଚିମବଙ୍ଗରେ ରାଜନୈତିକ ସଂକଟ ଦେଖାଦେଇଛି । ଆବଶ୍ୟକତାକୁ ଅନୁଭବ କରି ନିର୍ବାଚନ କମିଶନ ସ୍ୱତନ୍ତ୍ର ନିଷ୍ପତି ନେଇଛନ୍ତି । ପଶ୍ଚିମବଙ୍ଗ ଛଡା ଭାରତର କୌଣସି ସ୍ଥାନରେ ଏପରି ନିର୍ବାଚନୀ ହିଂସା ଦେଖାଯାଇନାହିଁ । ଦିନକ ପୂର୍ବରୁ ପ୍ରଚାର ବନ୍ଦ ନେଇ ନିର୍ବାଚନ କମିଶନଙ୍କ ନିଷ୍ପତି ଦ୍ୱାରା ବିରୋଧି ଦଳ ଭାବେ ବିଜେପି ସବୁଠୁ ଅଧିକ କ୍ଷତିଗ୍ରସ୍ତ ହେବ । ତାସତ୍ୱେ ମଧ୍ୟ ଏହି ନିଷ୍ପତିକୁ ମାନିନେବୁ ବୋଲି ସେ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ।