କନକ ବ୍ୟୁରୋ: ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଆଜି ସଂସଦରେ ଅର୍ଥନୈତିକ ସର୍ଭେ ରିପୋର୍ଟ ଉପସ୍ଥାପନ କରିଛନ୍ତି । ଏହି ରିପୋର୍ଟରେ ଭାରତୀୟ ଅର୍ଥନୀତିର ଅଭିବୃଦ୍ଧି ସମ୍ପର୍କରେ ଅନୁମାନ କରାଯାଇଛି । ଭାରତୀୟ ଅର୍ଥନୀତିକୁ ନେଇ ଅନେକ ଗୁରୁତ୍ୱପୂର୍ଣ୍ଣ ଦିଗ ଉପରେ ଏହି ଅର୍ଥନୈତିକ ସର୍ଭେ ରିପୋର୍ଟରେ ଆଲୋକପାତ କରାଯାଇଛି । ଯେଉଁଥିରେ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ରହିଛି ଭାରତୀୟ ଅର୍ଥନୀତିର ପୁନଃରୁତ୍ଥାନ । ଅର୍ଥନୈତିକ ସର୍ଭେ ରିପୋର୍ଟରେ କୁହାଯାଇଛି ଯେ, ଭାରତୀୟ ଅର୍ଥନୀତି କଠିନ ପରିସ୍ଥିତିରୁ ବାହାରକୁ ବାହାରିସାରିଛି । ମୁଦ୍ରାସ୍ପିତୀ ମଧ୍ୟ ଖୁବଶୀଘ୍ର ହ୍ରାସ ପାଇପାରେ । ତେବେ ଭାରତ ପାଖରେ ଏବେ ବିଦେଶୀ ମୁଦ୍ରା ଭଣ୍ଡାରର ଅଭାବ ନଥିବା କଥା ମଧ୍ୟ ଏଥିରେ ଦର୍ଶାଯାଇଛି ।

Advertisment

ଅର୍ଥନୈତିକ ସର୍ଭେ ରିପୋର୍ଟରେ ଆଗାମୀ ଆର୍ଥିକ ବର୍ଷ ପାଇଁ ଅଭିବୃଦ୍ଧି ହାର ୬ରୁ ୬.୮ ପ୍ରତିଶତ ଭିତରେ ରହିପାରେ ବୋଲି ଅନୁମାନ କରାଯାଉଛି । ତେବେ ଅଭିବୃଦ୍ଧିର ବେସଲାଇନ୍ ୬.୫ ପ୍ରତିଶତ ରହିବ ବୋଲି ଆଶା କରାଯାଉଛି । ଚଳିତ ଆର୍ଥିକ ବର୍ଷରେ ଜିଡିପି ଅଭିବୃଦ୍ଧି ୭ ପ୍ରତିଶତ ରହିବା ନେଇ ଅନୁମାନ କରାଯାଉଛି । ତେବେ ଭାରତର ଏହି ଅଭିବୃଦ୍ଧି ବିଶ୍ୱର ବଡ ବଡ ରାଷ୍ଟ୍ରକୁ ପଛରେ ପକାଇ ଦେଇଛି । ଗୋଟିଏ ପଟେ ଆମେରିକା, ଇଂଲଣ୍ଡ ଓ ୟୁରୋପର ବଡ ବଡ ରାଷ୍ଟ୍ରର ଅର୍ଥନୈତିକ ଅଭିବୃଦ୍ଧି ତଳମୁହାଁ ହୋଇଥିବାବେଳେ, ଭାରତର ଅଭିବୃଦ୍ଧି ତାଙ୍କ ତୁଳନାରେ ଯଥେଷ୍ଟ ଭଲ ରହିବ ବୋଲି କୁହାଯାଉଛି ।

ଅନ୍ୟପଟେ ୨୦୨୨ ଆର୍ଥିକ ବର୍ଷରେ ମହଙ୍ଗା ଦର ଲୋକଙ୍କୁ ନାକେଦମ କରିଥିଲା । ହେଲେ ଚଳିତ ଆର୍ଥିକ ବର୍ଷରେ ଏହା ଉପରେ ଯଥେଷ୍ଟ ରୋକ୍ ଲାଗିପାରେ ବୋଲି ଅର୍ଥନୈତିକ ସର୍ଭେ ରିପୋର୍ଟରେ କୁହାଯାଇଛି । ଆଗାମୀ ଦିନରେ ମୁଦ୍ରାସ୍ପିତୀ କମିବା ସହିତ ଲୋକମାନେ ମହଙ୍ଗା ମାଡରୁ ମୁକ୍ତି ପାଇପାରିବେ । ତେବେ ଆସନ୍ତା ଅର୍ଥନୈତିକ ବର୍ଷ ୨୦୨୩-୨୪ରେ ଏହି ରିଟେଲ୍ ଇନଫ୍ଲେସନ୍ ୬ ପ୍ରତିଶତ ରହିବା ନେଇ ଆଶା କରାଯାଉଛି ।

ଆର୍ଥିକ ସର୍ଭେ ରିପୋର୍ଟରେ କୁହାଯାଇଛି ଯେ, ସରକାରୀ ବ୍ୟାଙ୍କର ବିତ୍ତୀୟ ସ୍ଥିତିରେ ସୁଧାର ଆସିଛି । ଜାନୁଆରୀରୁ ନଭେମ୍ବର ମାସ ଭିତରେ ଏମଏସଏମଇ ସେକ୍ଟରରେ କ୍ରେଡିଟ୍ ଚାହିଦା ୩୦ ପ୍ରତିଶତ ବୁଧା ପାଇଛି । ଏମଏସଏମଇ ରେ ସରକାରଙ୍କ ‘ଜରୁରୀକାଳୀନ କ୍ରେଡିଟ୍ ଲିଙ୍କ୍ ଗ୍ୟାରେଣ୍ଟିଂ ସ୍କିମ୍’ ବେଶ ଲାଭଦାୟକ ସାବ୍ୟସ୍ତ ହୋଇଛି । ଅନ୍ୟପଟେ ଅର୍ଥନୈତିକ ସର୍ଭେ ରିପୋର୍ଟରେ କୃଷି ବିଭାଗକୁ ନେଇ ଖୁସି ଜାହିର କରାଯାଇଛି । ଆର୍ଥିକ ସର୍ଭେରେ କୁହାଯାଇଛି ଯେ, ଗଲା କିଛି ବର୍ଷ ଧରି କୃଷି ବିଭାଗରେ ଅଭିବୃଦ୍ଧି ଠିକ୍ ରହିଛି । ଏଥିରେ ସରକାରଙ୍କ ନୀତି ହିଁ ବେଶ ଲାଭଦାୟକ ସାବ୍ୟସ୍ତ ହୋଇଛି । ସରକାର ବଜାରର ଭିତ୍ତିଭୂମିରେ ସୁଧାର ଆଣିଥିବାରୁ ଏହା ହୋଇପାରିଛି ବୋଲି କୁହାଯାଇଛି । ଯାହାର ଫାଇଦା କୃଷିକ୍ଷେତ୍ରକୁ ମିଳିଛି ।

ଅର୍ଥନୈତିକ ସର୍ଭେ ରିପୋର୍ଟରେ ଷ୍ଟିଲ ଉତ୍ପାଦନକୁ ନେଇ ବଡ ସୂଚନା ଦିଆଯାଇଛି । ଏଥିରେ କୁହାଯାଇଛି ଯେ, ଷ୍ଟିଲ ଉତ୍ପାଦନ କ୍ଷେତ୍ରରେ ଭାରତ ଏକ ବଡ ଶକ୍ତି ହୋଇସାରିଛି । ଭାରତ ଏବେ ସାରା ବିଶ୍ୱରେ ଦ୍ୱିତୀୟ ସର୍ବାଧିକ ଷ୍ଟିଲ ଉତ୍ପାଦନକାରୀ ଦେଶ ହୋଇସାରିଛି । ଚଳିତ ଆର୍ଥିକ ବର୍ଷରେ ଏହାର ପ୍ରଦର୍ଶନ ମଧ୍ୟ ବେଶ ଭଲ ରହିଛି ।