କାଲି ଆସିବ ମୋଦି ସରକାରଙ୍କ ଦ୍ୱିତୀୟ ପାଳିର ଦ୍ୱିତୀୟ ବଜେଟ୍ । ପିଏମ୍ କିଷାନ ଯୋଜନା ଆବଣ୍ଟନ କମିପାରେ । ମଧ୍ୟବିତ୍ତଙ୍କ ପାଇଁ ଆସିପାରେ ସ୍ବାସ୍ଥ୍ୟ ବୀମା

178

କନକ ବ୍ୟୁରୋ: ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଆସନ୍ତାକାଲି ବଜେଟ୍ ଘୋଷଣା କରିବାକୁ ଯାଉଥିବା ବେଳେ ଏଥର ପ୍ରଧାନମନ୍ତ୍ରୀ କିଷାନ ଯୋଜନାର ବ୍ୟୟବରାଦରେ ୨୦% ହ୍ରାସ ଘଟିପାରେ ବୋଲି ଆକଳନ କରାଯାଇଛି। ୨୦୧୯-୨୦ ବଜେଟରେ ଏହି ଯୋଜନା ପାଇଁ ୭୫ ହଜାର କୋଟି ଟଙ୍କା ଆବଣ୍ଟନ କରାଯାଇଥିଲା। ୨୦୨୦-୨୧ ବଜେଟରେ ଏହି ରାଶି ପରିମାଣ ୨୦% ହ୍ରାସ ପାଇ ୬୧ ହଜାର କୋଟି ଟଙ୍କା ହୋଇଯିବ ବୋଲି ଅନୁମାନ କରାଯାଉଛି। କେତେକ ରାଜ୍ୟରେ ଏହି ଯୋଜନା କାର୍ଯ୍ୟକାରୀ ହୋଇପାରୁନଥିବାରୁ ଏହାର ବ୍ୟୟବରାଦ କମ୍ କରିବା ଉପରେ କେନ୍ଦ୍ର ସରକାର ବିଚାର କରୁଛନ୍ତି। ଏହି ଯୋଜନାରେ ଚାଷୀମାନଙ୍କୁ ପ୍ରତିବର୍ଷ ତିନିଟି କିସ୍ତିରେ ୬୦୦୦ ଟଙ୍କା ପ୍ରଦାନ କରାଯାଉଛି। ପିଏମ୍ କିଷାନ ଯୋଜନା କାର୍ଯ୍ୟକାରୀ କରିବା ଲାଗି ପଶ୍ଚିମ ବଙ୍ଗ ଭଳି କେତେକ ରାଜ୍ୟ ଆଗ୍ରହ ପ୍ରକାଶ କରୁନାହାନ୍ତି। ଆଉ କେତେକ ରାଜ୍ୟରେ ଚାଷୀମାନଙ୍କୁ ନେଇ କୌଣସି ବିଶ୍ବାସଯୋଗ୍ୟ ତଥ୍ୟ ନାହିଁ। ୨୦୧୯ରେ ସଂସଦରେ ଉପସ୍ଥାପନ କରାଯାଇଥିବା ଅନ୍ତରୀଣ ବଜେଟ୍ରେ ପିଏମ୍ କିଷାନ ଯୋଜନା ବିଷୟରେ ଘୋଷଣା କରାଯାଇଥିଲା।

ପିଏମ୍ କିଷାନ ଯୋଜନାରେ ହିତାଧିକାରୀଙ୍କ ସଂଖ୍ୟା ଲଗାତାର ହ୍ରାସ ପାଉଛି। କୃଷି ମନ୍ତ୍ରଣାଳୟ ୱେବସାଇଟରେ ଉପଲବ୍ଧ ତଥ୍ୟ ଅନୁଯାୟୀ, ପ୍ରଥମ ପର୍ଯ୍ୟାୟରେ ଏହି ଯୋଜନା ପାଇଁ ୮.୮୦ କୋଟି ହିତାଧିକାରୀଙ୍କୁ ଚିହ୍ନଟ କରାଯାଇଥିଲା। ସେମାନଙ୍କ ମଧ୍ୟରୁ ୮.୩୫ କୋଟି କ୍ଷୁଦ୍ର ଚାଷୀ ହୋଇଥିବା ବେଳେ ସେମାନଙ୍କୁ ଦୁଇ ହଜାର ଟଙ୍କା ଲେଖାଏଁ ପ୍ରଦାନ କରାଯାଇଥିଲା। ଦ୍ବିତୀୟ କିସ୍ତରେ ହିତାଧିକାରୀଙ୍କ ସଂଖ୍ୟା ୭.୫୧ କୋଟିକୁ ହ୍ରାସ ପାଇଥିଲା। ତୃତୀୟ କିସ୍ତି ବେଳକୁ ସେମାନଙ୍କ ସଂଖ୍ୟା ୬.୧୨ କୋଟି ଓ ଚତୁର୍ଥ କିସ୍ତି ସମୟରେ ୩.୦୧ କୋଟିକୁ ଖସି ଆସିଥିଲା।୨୦୨୦-୨୧ ବଜେଟ୍ରେ କୃଷି ଋଣ ଲକ୍ଷ୍ୟକୁ ୧୩.୫ ଲକ୍ଷ କୋଟି ଟଙ୍କାକୁ ବୃଦ୍ଧି କରାଯିବାର ସମ୍ଭାବନା ରହିଛି। ଏହା ୨୦୧୯-୨୦ର ବଜେଟ୍ ଲକ୍ଷ୍ୟ ତୁଳନାରେ ୧୦% ଅଧିକ। ଏହା ବ୍ୟତୀତ କୃଷି ବୀମା ଯୋଜନା ଲାଗି ୧୫ ହଜାର କୋଟି ଟଙ୍କା ଆବଣ୍ଟନ କରାଯାଇପାରେ ବୋଲି ଆକଳନ କରାଯାଇଛି। ୨୦୧୯-୨୦ ବଜେଟ୍ରେ ଏଥିପାଇଁ ୧୪ ହଜାର କୋଟି ଟଙ୍କା ପ୍ରଦାନ କରାଯାଇଥିଲା।

ମଧ୍ୟବିତ୍ତଙ୍କ ପାଇଁ ଆସିପାରେ ସ୍ବାସ୍ଥ୍ୟ ବୀମା

୨୦୨୦-୨୧ ବଜେଟରେ ସ୍ବାସ୍ଥ୍ୟ ସେବା କ୍ଷେତ୍ରର ବ୍ୟୟବରାଦ ଜିଡିପିର ୨.୫ ପ୍ରତିଶତକୁ ବୃଦ୍ଧି ପାଇବାର ସମ୍ଭାବନା ରହିଛି। ଏବେ ସ୍ବାସ୍ଥ୍ୟ କ୍ଷେତ୍ରର ଖର୍ଚ୍ଚ ଜିଡିପିର ୧% ପାଖାପାଖି ରହିଛି। ଏହା ଅନ୍ୟ ବିକାଶଶୀଳ ଦେଶଗୁଡ଼ିକର ବ୍ୟୟବରାଦ ତୁଳନାରେ ବହୁତ କମ୍। ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନାରେ ବ୍ୟୟବରାଦ ବଢ଼ିବାର ସମ୍ଭାବନା ରହିଛି। ଏହା ବ୍ୟତୀତ ମଧ୍ୟବିତ୍ତ ପରିବାର ପାଇଁ ଅର୍ଥମନ୍ତ୍ରୀ ନୂଆ ସ୍ବାସ୍ଥ୍ୟ ବୀମା ବିଷୟରେ ଘୋଷଣା କରିବାର ସମ୍ଭାବନା ରହିଛି। ଗତଥର ଆୟୁଷ୍ମାନ ଭାରତ ସ୍କିମ୍ ପାଇଁ ୬୪୦୦ କୋଟି ଟଙ୍କା ଆବଣ୍ଟନ କରାଯାଇଥିଲା। ବର୍ତ୍ତମାନ ଏହି ସ୍କିମ୍ ଦାରିଦ୍ର୍ୟ ସୀମା ରେଖା ତଳେ ଥିବା ଲୋକଙ୍କ ପାଇଁ ଲାଗୁ କରାଯାଇଛି। ଆଗାମୀ ଦିନରେ ଏହାର ପରିସୀମାକୁ ବଢ଼ାଇ ମଧ୍ୟବିତ୍ତ ବର୍ଗର ଲୋକଙ୍କୁ ଏହାର ସୁବିଧା ପ୍ରଦାନ କରିବା ଲାଗି ବଜେଟ୍ରେ ଘୋଷଣା କରାଯିବାର ସମ୍ଭାବନା ରହିଛି।