ମୃତ ବ୍ୟକ୍ତିଙ୍କ ନାଁରେ କୋଟିଏରୁ ଅଧିକ ଟଙ୍କାର ବୀମା । ଗିରଫ ହେଲେ ଏଲଆଇସି ଏଜେଣ୍ଟ

ଖୋର୍ଦ୍ଧା ଏଲଆଇସି କାର୍ଯ୍ୟାଳୟର କବିରାଜ ବେହେରାଙ୍କୁ ଗିରଫ କଲା ଇଓଡବ୍ଲୁ,୨୦୦୫ରୁ ୨୦୦୯ ଭିତରେ ୨୩ଜଣ ମୃତ ବ୍ୟକ୍ତିଙ୍କ ନାଁରେ ବୀମା କରି ୧କୋଟି ୮୧ଲକ୍ଷ ଟଙ୍କା ବୀମା ଅର୍ଥ ଉଠାଇଥିବା ଅଭିଯୋଗ

304

କନକ ବ୍ୟୁରୋ : ମୃତ ବ୍ୟକ୍ତିଙ୍କ ନାଁରେ ବୀମା କରି ଗିରଫ ହେଲେ ଏଲଆଇସି ଏଜେଂଟ । ଖୋର୍ଦ୍ଧା ଏଲଆଇସି କାର୍ଯ୍ୟାଳୟର ଏଜେଂଟ କବିରାଜ ବେହେରାଙ୍କୁ ଗିରଫ କରିଛଇ ଇଓଡବ୍ଲୁ । ୨୦୦୫ରୁ ୨୦୦୯ ମସିହା ଭିତରେ ୨୩ଜଣ ମୃତ ବ୍ୟକ୍ତିଙ୍କ ନାଁରେ ବୀମା କରି ୧କୋଟି ୮୧ଲକ୍ଷ ଟଙ୍କା ବୀମା ଅର୍ଥ ଉଠାଇ ନେଇଥିବା ଅଭିଯୋଗ ରହିଛି ଏଲଆଇସି ଏଜେଂଟ କବିରାଜ ବେହେରାଙ୍କ ନାଁରେ । ଅଭିଯୁକ୍ତଙ୍କୁ ଖୋର୍ଦ୍ଧା କୋର୍ଟର ହାଜର କରିଛି ଇଓଡବ୍ଲୁ । ଏନେଇ ସୂଚନା ଦେଇଛନ୍ତି ଇଓଡବ୍ଲୁ ଏସପି ।

ଅନୁସନ୍ଧାନରୁ ଜଣାପଡ଼ିଛି ଯେ ଅଭିଯୁକ୍ତ କବିରାଜ ବେହେରା ୨୦୦୩ ରୁ ଏଲଆଇସି ଏଜେଣ୍ଟ ଭାବରେ କାର୍ଯ୍ୟ କରୁଛନ୍ତି । ସେ ୨୦୧୩ ରୁ ୨୦୧୯ ମଧ୍ୟରେ ଅଭିଯୁକ୍ତ ଏହି ଜାଲିଆତି କରିଥିବା ଜଣାଯାଇଛି । ମିଥ୍ୟା ଭାବରେ ଚାରିଜଣ ମୃତ ବ୍ୟକ୍ତିଙ୍କ ନାମରେ ୨୩ ଟି ଏଲଆଇସି ପଲିସିର ବୀମା ରାଶି ପଇଠ କରି ସେ ଅର୍ଥ ହଡ଼ପ କରିଥିବାର ଅଭିଯୋଗ ହୋଇଛି । ସେମାନଙ୍କୁ ଜୀବିତ ଦର୍ଶାଇ ସେ ଅର୍ଥ ହଡ଼ପ କରିବାର ଯୋଜନା କରିଥିଲେ । ଏହା ଜରିଆରେ ଅଭିଯୁକ୍ତ କବିରାଜ ବେହେରା ୧.୮୧ କୋଟି ଟଙ୍କାର ରାଶି ପାଇବାକୁ ଦାବି କରିଥିଲେ ।

ଏନେଇ ଅର୍ଥନୈତିକ ଅପରାଧ ଶାଖା ଏହାର ତଦନ୍ତ କରୁଥିବା ବେଳେ ଅଭିଯୁକ୍ତ ଆହୁରି ଏକାଧିକ ମୃତକଙ୍କ ନକଲି ବୀମା କରି କୋଟି କୋଟି ଟଙ୍କା ହଡ଼ପ କରିଥାଇପାରନ୍ତି ବୋଲି ସନ୍ଦେହ କରୁଛି । ସେଥିପାଇଁ ଅଭିଯୁକ୍ତଙ୍କୁ ରିମାଣ୍ଡରେ ଆଣି ପଚରା ଉଚରା କରିବ । ବଡ଼ କଥା ହେଉଛି ଅଭିଯୁକ୍ତ ଜଣକ ଯେଉଁ ମୃତ ବ୍ୟକ୍ତିଙ୍କ ନାଁ ରେ ନକଲି ବୀମା କରି ଥିଲେ ସେସମସ୍ତଙ୍କର ବ୍ୟାଙ୍କ ଆକାଉଣ୍ଟ ଗୁଡ଼ିକୁ ନିଜେ ପରିଚଳନ କରୁଥିଲେ,  ଯେଉଁଥିପାଇଁ ବୀମା ଟଙ୍କା ସହଜରେ ଉଠାଇ ପାରୁଥିଲେ । ଅଭିଯୁକ୍ତଙ୍କର ଘର ଖାନତଲାସ ବେଳେ ହଜାର ହଜାର ଲୋକଙ୍କ ଡକ୍ୟୁମେଣ୍ଟ , ଭୋଟର କାର୍ଡ, ଏଟିଏମ କାର୍ଡ , ଚେକବୁକ, ଆଧାର କାର୍ଡ, ନୋମିନି ଏବଂ ଏକାଧିକ ଲୋକଙ୍କର ସାର୍ଟିଫିକେଟ ମିଳିଛି ।