ସେନାବାହିନୀର ଯବାନ ଏବେ ପରିବେଶ ଯୋଦ୍ଧା । ସମୁଦ୍ର ଦାଉରୁ ଜନ୍ମମାଟିକୁ ରକ୍ଷା କରିବା ପାଇଁ ଉପକୂଳରେ ସୃଷ୍ଟି କରିଛନ୍ତି ତାଳବଣ, ନିଜସ୍ୱ ଉଦ୍ୟମରେ ୫୦ ହାଜର ଗଛ ଲଗାଇ ସାଉଁଟିଲେ ମୁଖ୍ୟମନ୍ତ୍ରୀଙ୍କ ପ୍ରଶଂସା

ଅବସର ପ୍ରାପ୍ତ ସାମରିକ କର୍ମଚାରୀଙ୍କ ନିଆରା ପ୍ରୟାସ

260

କନକ ବ୍ୟୁରୋ : ପ୍ରାକୃତିକ ବିପର୍ୟ୍ୟୟରୁ ସାଧାରଣ ଲୋକଙ୍କୁ ସୁରକ୍ଷା ଦେବାକୁ ଅବସର ପ୍ରାପ୍ତ ସାମରିକ କର୍ମଚାରୀଙ୍କ ନିଆରା ପ୍ରୟାସ। ଅସ୍ତରଙ୍ଗ ସମୁଦ୍ର କୂଳରେ ୫କିମି ବ୍ୟାପି ଏରିୟାରେ ୫୦ ହଜାର ତାଳ ଗଛ ଲଗାଇଲେ କୃଷ୍ଣଚନ୍ଦ୍ର ବିଶ୍ବାଳ । ଅବସରପ୍ରାପ୍ତ ସେନା ଯବାନଙ୍କ ଏଭଳି କାର୍ଯ୍ୟକୁ ନିକଟରେ ପ୍ରଶଂସା କରିଥିଲେ ମୁଖ୍ୟମନ୍ତ୍ରୀ

ପୁରୀ ଅସ୍ତରଙ୍ଗ ବ୍ଲକ ଗୁଣ୍ଡଳବା ଗାଁର ଅବସରପ୍ରାପ୍ତ ସାମରିକ କର୍ମଚାରୀ କୃଷ୍ଣ ଚନ୍ଦ୍ର ବିଶ୍ୱାଳ । ଦିନେ ମାତୃଭୂମୀର ସୁରକ୍ଷା ପାଇଁ ସୀମାରେ ସଜା ପ୍ରହରୀ ସାଜିଥିଲେ । ଶତ୍ରୁପକ୍ଷ ସହ ଲଢେଇ କରୁଥିଲେ, ହେଲେ ଆଜି ନିଜ ଜନ୍ମଭୂମୀର ସୁରକ୍ଷା ପାଇଁ ଅଣ୍ଟା ଭିଡିଛନ୍ତି । ସମୁଦ୍ର ନିକଟରେ ଥିବା ଗାଁଗୁଡିକୁ ଢେଉମାଡରୁ ବଞ୍ଚାଇବା ଉଦେଶ୍ୟରେ ତାଳବଣ ସୃଷ୍ଟି କରୁଛନ୍ତି କୃଷ୍ଣଚନ୍ଦ୍ର । ସମୁଦ୍ର କୂଳରେ ୫ କିଲୋମିଟର ବ୍ୟାପୀ ବେଳାଭୂମୀରେ ତାଳ ଗଛ ଲଗାଇଛନ୍ତି । ନିଜେ ତାଳ ଗୋଟମା ସଂଗ୍ରହ କରି ଯେଉଁଠି ବେଳଭୂମୀ ବାଲି ଅବକ୍ଷେୟ ହେଉଛି ସେଠାରେ ତାଳଗଛ ରୋପଣ କରୁଛନ୍ତି କୃଷ୍ଣଚନ୍ଦ୍ର ।

ପ୍ରାକୃତିକ ବିପର୍ଯ୍ୟୟକୁ ମୁକାବିଲା କରିବା ଓ ପରିବେଶ ସୁରକ୍ଷା ପାଇଁ ତାଳଗଛ ବନିକରଣ କରୁଛନ୍ତି କୃଷ୍ଣଚନ୍ଦ୍ର । ଅନେକ ସମୟରେ ବାତ୍ୟା ସମୟରେ ସମୁଦ୍ର ଜୁଆର ଗାଁକୁ ମାଡିଆସେ, ବହୁ କ୍ଷୟକ୍ଷତି ଘଟାଏ । ବେଳାଭୂମୀରେ କରାଯାଉଥିବା ତାଳବଣ ଏହାକୁ ସଂପୂର୍ଣ୍ଣ ରୋକିଦେବ ତା ନୁହେଁ କିଛି ମାତ୍ରାରେ ସୁରକ୍ଷା ଦେବ ନିଶ୍ଚୟ । କୃଷ୍ଣଚନ୍ଦ୍ରଙ୍କର ଏଭଳି ପ୍ରେରଣାଦାୟୀ ପ୍ରୟାସକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରଶଂସା କରିଥିଲେ । ଟ୍ୱିଟ୍ କରି ନବୀନ ଲେଖିଛନ୍ତି ସବୁଜ ଓଡିଶାର ୟୁକୋ ୱାରିୟର ଅବସରପ୍ରାସ୍ତ ସେନା ଯବାନ କୃଷ୍ଣଚନ୍ଦ୍ର ।